କାଳ ପୁରୁଷ…

କେଡେ ବିରାଟ ଓ କେତେ ସୁନ୍ଦର ମହଲ !! ନୀଳାଭ ସ୍ଫଟିକ କାନ୍ଥ । କାନ୍ଥରେ ମରକତ ଲଟାରେ ପଦ୍ମରାଗ ଓ ବୈଦୁର୍ଯ୍ୟର ଫୁଲ । ଛାତରୁ ପ୍ରଲମ୍ବିତ ଝାଡରେ ବିଭିନ୍ନ ବର୍ଣ୍ଣର ଆଲୋକ ଉଦ୍ ଭାସିତ । ଶଙ୍ଖ ମର୍ମର ଚଟାଣରେ ନାଲି ମଖମଲି କାଶ୍ମୀରୀ ଗାଲିଚା । ଗଜଦନ୍ତ ପଲଙ୍କରେ ଦୁଗ୍ଧ ଫେନ-ନିଭ କୋମଳ ଶଯ୍ୟା।ରୂପା ଟେବୁଲ୍ ଉପରେ ସୁନା ଥାଳିରେ ନାମ ଅଜଣା ବିଭିନ୍ନ ଖାଦ୍ୟ । ମହ ମହ ବାସ୍ନାରେ ସାରାଟା ପରିବେଶ ବାସ୍ନାୟିତ । ଆଘ୍ରାଣରେ କି ତୃପ୍ତି !! ଦାସୀମାନେ ବଡ ସମ୍ଭ୍ରମରେ ଖାଦ୍ୟ ପରଷି ଦେଲେ।ପରମ ଆଗ୍ରହରେ ସ୍ୱପ୍ନା ଭୋଜନ ଆରମ୍ଭକଲାବେଳକୁ କେଉଁଠୁ ଭାସି ଆସିଲା ଏ ଅଜବ ଶବ୍ଦ ଲହରୀ?ପରିବେଶ ସହିତ ପୁରା ବେଖାପ । ଏ ଲହରୀ ସ୍ୱପ୍ନାକୁ ସ୍ବପ୍ନର ସ୍ୱପ୍ନିଳ ପରିବେଶରୁ ଟାଣି ଆଣି ନିରାଟ ବାସ୍ତବତାର ସାମ୍ନା କରାଉଥିଲା । ସେ ଧ୍ୱନିକୁ ବେଖାତିର କରି ସ୍ୱପ୍ନା ପୁଣି ତନ୍ଦ୍ରାଜଗତକୁ ଫେରିଯାଇ ସ୍ୱପ୍ନଟିକୁ ଚାଲୁ ରଖିବାକୁ ଚେଷ୍ଟା କଲା । ବାସ୍ତବରେ ଯାହା କେବେ ସମ୍ଭବ ନୁହେଁ କମ୍ ସେ କମ୍ ତନ୍ଦ୍ରାଜଗତରେ ତାହା ଉପଭୋଗ କରିବାର ଲୋଭ ସ୍ୱପ୍ନା ସମ୍ବରଣ କରିପାରୁନଥିଲା । କିନ୍ତୁ ଏ ଧ୍ୱନି, ତ ନଛୋଡ ବନ୍ଧା । ସପନର ଆରପାରି ଗାଁ—–ରିଙ୍ଗ୍ ଟୋନ୍ ରେ ତା ମୋବାଇଲ୍ ଫୋନ୍ ଟା ତାକୁ ଅନବରତ ଡାକିଚାଲିଥିଲା । ରାତ୍ରିର ଏ ନିଝୁମ୍ ପ୍ରହରରେ କାହାପାଇଁ ସ୍ୱପ୍ନା ଏତେ ପ୍ରୟୋଜନୀୟ ହୋଇପଡିଲା ଭାବୁ ଭାବୁ ନିଦ ମଳମଳ ଆଖିରେ ତନ୍ଦ୍ରାବିଜଡିତ କଣ୍ଠରେ ସ୍ୱପ୍ନା -“ହାଲୋ”-କହୁ କହୁ ସେପଟୁ ଶୁଭିଲା,-“ହାଲୋ ସ୍ୱପ୍ନା, ମୁଁ ତୋ ରୁମ୍ ମେଟ୍ ଇଭା । ତୋ ଜେଜେ ମାଆ ବର୍ଣ୍ଣିତ କାଳପୁରୁଷକୁ ମୁଁ ଏବେ ଭେଟିଲି । ତୁ କାଲି ହଷ୍ଟେଲ୍ ଚାଲିଆ।ସବୁ କଥା କହିବି ।”ଏହାପରେ କିଛି ସମୟ କଇଁ କଇଁ କାନ୍ଦ । ଫୋନ୍ କଟିଗଲା । ବାରମ୍ବାର ଇଭାକୁ କଲ୍ କଲା ସ୍ୱପ୍ନା । କିନ୍ତୁ ସେ କଲ୍ ରିସିଭ୍ କଲା ନାହିଁ । ଫଳରେ ଅବଶିଷ୍ଟ ରାତି ଉନ୍ନିଦ୍ର ରହି ସ୍ୱପ୍ନା ଗୋଲକ ଧନ୍ଦାରେ ଧନ୍ଦି ହେଲା । ତା ଆଖି ଆଗରେ ଅତ୍ୟନ୍ତ ଆତ୍ମାଭିମାନୀ ଉଗ୍ର ଆଧୁନିକା ରୁମ୍ ମେଟ୍ ଇଭା ସେନ୍, ସ୍ନେହମୟୀ ସ୍ୱର୍ଗତା ଜେଜେମାଆ ଓ ଜେଜେମାଆ ବର୍ଣ୍ଣିତ ଅଦ୍ଭୁତ “କାଳପୁରୁଷ” ନାଚୁଥିଲେ । ତା ମନର ଭୂତ କାଳପୁରୁଷ ଯାର ଅସ୍ତିତ୍ୱ ସମ୍ବନ୍ଧରେ ସେ ନିଜେ ସନ୍ଦିହାନ, କେମିତି ଇଭା ସେନ୍ ପାଖକୁ ଉଡିଗଲା ? ତାହା ଏକ ଆଧିଭୌତିକ ସତ୍ତା ନା ଦୁଷ୍ଟ ପ୍ରେତାତ୍ମା ? କେବଳ ଏକ କାଳ୍ପନିକ ଚରିତ୍ର,କି?ଆଜି ଇଭା ସେନ୍ କାଳପୁରୁଷକୁ ଭେଟିଛି ବୋଲି କହି କୋହରେ ଲୁହ ରେ ରୁନ୍ଧିହୋଇ ନୀରବ ହୋଇଗଲା । କିନ୍ତୁ ମାତ୍ର ମାସକ ତଳେ—କ’ଣ କହିଲୁ କାଳପୁରୁଷ ?? ସେ ପୁଣି ଆକ୍ରମଣ କରିବ!!ହି—ହି—ହସି ହସି ନୟାନ୍ତ ହୋଇଯାଇଥିଲା । ଅନ୍ୟ ରୁମ୍ ମେଟ୍ ମାନେ ମଧ୍ୟ ହସିଉଠିଥିଲେ । ଗାଉଁଲି—ବୋକି—ମଫୁ—ଚୁଡାଟା–କେତେ କ’ଣ ଅପମାନସୂଚକ ଶବ୍ଦରେ ସ୍ୱପ୍ନାକୁ ପୋତି ଦେଇଥିଲେ । କାନ୍ଥ କଡକୁ କଡେଇ ହୋଇ ଶୋଇଥିଲା ସ୍ୱପ୍ନା । ବିନା ଶବ୍ଦରେ ଆଖିରୁ ଲୁହ ଦୁଇ ଧାର ବହିଯାଇଥିଲା । ଟିକେ ସମବେଦନା ଜଣାଇ ଚିତ୍ରା ପଚାରିଥିଲା –‘ସ୍ୱପ୍ନା’ ତତେ କେବେ କାଳପୁରୁଷ ଆକ୍ରମଣ କରିଛି କି ? ନା–ନା –ମୋ ଜେଜେ ମାଆ କହିଥିଲେ, ଝିଅପିଲା ମାନେ ଚିତ୍ ହୋଇ ଶୋଇଲେ କାଳପୁରୁଷ ଆକ୍ରମଣ କରିବ । —ଏଇ ରୁମ୍ ରେ ତତେ ଛାଡି ଆମେ ସମସ୍ତେ ଚିତ୍ ହୋଇ ଶୋଊଛୁ । ଆମକୁ, ତ ଆକ୍ରମଣ କରୁନି ! ଆଛା ତୋ ଜେଜେମାଆ ଆଉ କ’ଣ କହିଥିଲେ ? ଆଉ ତୋ ଜେଜେମାଆ ବର୍ଣ୍ଣିତ ସେ କାଳପୁରୁଷର ଚେହେରାଟା କିପରି ? ଲୁହଧାର ପୋଛିଦେଇ ସ୍ୱପ୍ନା କହିଥିଲା —ମୋ ଜେଜେମାଆ କହିଥିଲେ–ତୁମେ ପାଞ୍ଚ ଜଣରେ ଜଣେ ହୁଅ । ପାଠ ପଢ। ଚାକିରି କର । ନାମ କମାଅ । ମନା ନାହିଁ । କିନ୍ତୁ ନିଜକୁ ନିଜେ ସୁରକ୍ଷିତ ରଖ।ତୁମ ବେଶ ପୋଷାକ ଚାରି ଚଳନ ଏପରି ହେବା ଦରକାର ଯେ କୌଣସି ବାହାର ଲୋକ ତୁମକୁ ଖରାପ ନଜରରେ ଦେଖିବାକୁ ସାହସ କରିବ ନାହିଁ । ଖରାପ ବ୍ୟବହାର ତ ଦୂର କଥା, ତୁମକୁ ଦେଖିଲେ ସେମାନଙ୍କ ମୁଣ୍ଡ ସମ୍ଭ୍ରମରେ ନଇଁଯିବାକୁ ବାଧ୍ୟ ହେବ ।ଆହୁରି କହିଥିଲେ ଅଯଥାରେ ପୁଅପିଲାଙ୍କ ସାଙ୍ଗରେ ହେଁ ହେଁ ଫେଁ ଫେଁ ହବନି । ସେମାନେ ହେଲେ ନିଆଁ ତୁମେ ହେଲ ଘିଅ । କାଳପୁରୁଷ ଚେହେରା କଥା ପଚାରିଲୁଯେ ଜେଜେ ମାଆ କହିଥିଲେ । ସେଟା ବିରାଟ ବଡ।ତ୍ରିପଣ୍ଡ କଳା । ଠିକ୍ ଧାନ ଉଁଷା ହାଣ୍ଡି ଭଳି ରଙ୍ଗ । ଶାବଳ ଭଳିଆ ଦାନ୍ତ।ତା ନଖ ଭାରି ଧାରୁଆ । ବହୁତ ଵଳ ତା’ର।ଆକ୍ରମଣ କରିବ ମାନେ ଜୀଵନରୁ ମାରିଦେବ, ନଚେତ୍ ଦରମରା ନିଶ୍ଚୟ କରିବ ସେ ଯେତେବେଳେ ଆକ୍ରମଣ କରିବ ତୋ ଦେହରୁ ସବୁ ବଳ ଶୋଷି ହୋଇଯିବ । ତୁ ଗୋଡ ହାତ ହଲେଇ ପାରିବୁନି । କାହାକୁ ଡାକିବାକୁ ଚାହିଁଲେ ଡାକିପାରିବୁନି । ଜେଜେ ମାଆ ଏକଥା କହିଲାବେଳେ ମତେ ବହୁତ ଡର ଲାଗେ । ମୁଁ ଜେଜେ ମାଆଙ୍କ ପାଖକୁ ଗୁଞ୍ଜିହୋଇ ଶୋଇପଡେ । ଘର ହେଉ ବା ବନ୍ଧୁଘର ହେଉ ଶୋଇବା ପୂର୍ବରୁ କବାଟ ବନ୍ଦ କରି ଶୋଇବା ପାଇଁ ଜେଜେ ମାଆଙ୍କର କଡା ନିର୍ଦ୍ଦେଶ ଥିଲା । ଏମିତି ନାନାଦି କଥା ସ୍ୱପ୍ନା ରାତି ତମାମ ଚିନ୍ତା କରୁଥିଲା । ବେଳେବେଳେ ଜେଜେ ମାଆ କଥାରେ ସ୍ୱପ୍ନା ମୁହଁ ଫୁଲଉଥିଲା, କାନ୍ଦୁଥିଲା । ଆଲୋ ଫୁଲେଇ ଏତିକି କଥାରେ ଏତେ କାନ୍ଦ!ତୋର ଏଇଟା ଫୁଲଫୁଟା ବୟସ । ତୋ ନିଜକୁ ଯଦି ତୁ ନିଜେ ସମ୍ଭାଳି ନରଖିବୁ, ପକ୍ଷିରାଜ ଚଢି ଯୋଉ ରାଜକୁମାର ଆସିବ ତା ପାଇଁ ଆଉ କ’ଣ ରଖିଥିବୁଯେ?–କହି ଜେଜେମାଆ ସ୍ବପ୍ନାକୁ ବୁଝାଇଦେଉଥିଲେ । ସେ ତାକୁ ଆଚାର ବ୍ୟବହାର ସଣ୍ଠଣା ରୂପକ ଯେଉଁ ପାଠ,ପଣକିଆ ଘୋଷେଇଲା ଭଳି ଘୋଷେଇଦେଇ ଯାଇଛନ୍ତି ତାକୁ ସେ ଭୁଲିନାହିଁ କିମ୍ବା ମରିବା ପର୍ଯ୍ୟନ୍ତ ଭୁଲିପାରିଵ ନାହିଁ । ଏମିତି ଭାବନା ଭିତରେ କୁଆ, କା କହିଲା । ଝରକା ଫାଙ୍କରେ ନାଲି ସୂର୍ଯ୍ୟ ଉଙ୍କି ମାରିଲା । ସ୍ୱପ୍ନା ତରତର ହୋଇ ନିତ୍ୟକର୍ମ ସାରିଦେଲା୍ । ବସୄ ଧରି ଦିନ ଏଗାରଟା ଭିତରେ ହଷ୍ଟେଲ୍ ରେ ପହଞ୍ଚିଗଲା । ତା ପୂର୍ବରୁ ଇଭା ହଷ୍ଟେଲ୍ ରେ ପହଞ୍ଚିସାରିଥିଲା ।ତା ଗୋରା ମୁହଁଟା ନାଲି ଦେଖାଯାଉଥିଲା।ଆଖି ଦୁଇଟା ଫୁଲି ଗେଣ୍ଡା ଭଳି ଦେଖାଯାଉଥିଲା । ସ୍ୱପ୍ନାକୁ ଦେଖୁଦେଖୁ ଇଭା କାଳପୁରୁଷ କାହାଣୀ ବଖାଣି ବସିଲା । ଆମେ କାଲି ରାତିରେ ଖାଇ ସାରି ସାଙ୍ଗ ହୋଇ ଟି.ଭି. ଦେଖୁଥିଲୁ । ଭାଉଜ, ମୁଁ, ଖୁଡି ଓ ଅପା ଖଟ ଉପରେ ଶୋଇକି ଦେଖୁଥିଲୁ । ନିଭା ଓ ସୀମା ଚେଆର୍ ରେ ବସି ଦେଖୁଥିଲେ । ନିଭା କହିଲା-ମତେ ନିଦ ଲାଗିଲାଣି, ଆ ଯିବା ଆମ ରୁମ୍ ରେ ଶୋଇବା । ସିନେମାଟା ଅଧା ଦେଖିଥିବାରୁ ମୁଁ କହିଲି–ତୁ ଯା ଶୋଇବୁ । ସିନେମାଟା ସରିଗଲେ ମୁଁ ଯାଇ ଶୋଇବି । ସିନେମା ଦେଖିବା ଭିତରେ ମତେ ବୋଧହୁଏ ନିଦ ଲାଗିଯାଇଛି । ଭାଉଜ, ଖୁଡି, ଅପା ଓ ସୀମା କେତେବେଳେ ଟି.ଭି. ସ୍ଵିଚ୍ ଅଫ୍ କରିଯାଇଛନ୍ତି ମୁଁ ଜାଣିନାହିଁ । କେତେ ରାତି ହେବ କେଜାଣି । ହଠାତ୍ ମୁଁ ଅନୂଭବ କଲି ମୋ ଉପରେ ମହଣ ମହଣ ବୋଝ । ମୋ ଓଠ ଉପରେ ଧାରୁଆ ଦାନ୍ତର ଚାପ । ପୋଷାକ ଫାଙ୍କରେ ମୁନିଆ ନଖର ସ୍ପର୍ଶ ।ମୁଁ ପାଟି ଖୋଲି କାହାକୁ ଡାଟିପାରିଲି ନାହିଁ । ହାତ ଗୋଡ ମଧ୍ୟ ହଲେଇ ପାରିଲିନି । ତଥାପି ମୁଁ ଯେତେବେଳେ ମୋର ସମସ୍ତ ଶକ୍ତି ଖଟାଇ ପ୍ରତିରୋଧ କରିଛି । ତନ୍ଦ୍ରାଜଗତରୁ ବାସ୍ତବ ଜଗତକୁ ଫେରି ଆସିଛି । ମୋ ଉପରୁ ମହଣ ମହଣ ଓଜନ ଅପସରି ଗଲା । ଝରକା ଫାଙ୍କ ଦେଇ ମଳିଛିଆ ଜହ୍ନାଲୋକ ଝରିପଡୁଥିଲା । ଅଳ୍ପ ଛାଇ ଛାଇ ଅନ୍ଧାରରେ ମୋ ଆଖି ଅଭ୍ୟସ୍ତ ହେଲାବେଳକୁ ମୁଁ ଦେଖିଲି କାନ୍ଥରେ ଗୋଟାଏ ବିରାଟ କଳାଛାଇ ଅପସରି ଯାଉଛି । ଆରେ ମୋ ଜେଜେ ମାଆ ତ ଠିକ୍ ଏମିତିଆ କାଳପୁରୁଷ କଥା କହୁଥିଲେ । ସେଟା ନିଶ୍ଚୟ ଗୋଟାଏ ଅଶରୀରୀ ଦୁଷ୍ଟ ପ୍ରେତାତ୍ମା । ଭୟ କାକୁସ୍ଥ ସ୍ୱପ୍ନା କହିଲା । ବିଜ୍ଞାନ ଛାତ୍ରୀ ହୋଇ ତୋର ଏ କି ଅନ୍ଧବିଶ୍ୱାସ?ମୁଁ ଜୋର୍ ଦେଇ କହୁଛି ସେଟା ଏକ ଭୌତିକ ସତ୍ତା ନଥିଲା । ବରଂ ଏକ ରକ୍ତମାଂସଧାରୀ ମଣିଷ ହିଁ ଥିଲା । ତାର ଗରମ ନିଶ୍ଵାସ ମୁଁ ଅନୂଭବ କରିପାରିଥିଲି । ଆଉ କେଵଳ ମଣିଷ ନୁହେଁ, ମୋର ଅତି ପରିଚିତ ସମ୍ପର୍କୀୟ ମାନଙ୍କ ମଧ୍ୟରୁ ଜଣେ ହିଁ ଥିଲା । କାହିଁକି ନା ଆମ ଘର ଚାରିପଟେ ମୁନିଆ ଲୁହା କଣ୍ଟା ଥିବା ପାଚିରି ଘେରା ହୋଇଛି । ସନ୍ଧ୍ୟାରୁ ଗେଟ୍ ରେ ତାଲା । ବାହାର ପିଣ୍ଡାରେ ଗ୍ରୀଲ୍ ଭିତରେ ଜ୍ୟାକ୍–ଆଲ୍ ସିସିଆନ୍ କୁକୁରଟା ଖୋଲାଥାଏ । ମଣିଷ ଛାର । ବାଘ, ସିଂହଙ୍କ ସହିତ ଲଢିବା ତାକତ୍ ତା’ର ଅଛି । ତେଣୁ ଅପରିଚିତ କେହି ପ୍ରବେଶ କରିବାର ପ୍ରଶ୍ନ ଉଠୁନାହିଁ । ପୁଣି ମୁଁ ପ୍ରକୃତିସ୍ଥ ହେବା ସଙ୍ଗେ ସଙ୍ଗେ ସେ ମୁହଁ ଲୁଚାଇ ପଳାଇଲା କାହିଁକି ?କ’ଣ ପରିଚୟଟା ଜଣା ପଡିଯିବା ଭୟରେ ?
—ତେବେ ତୁ ସେହି ଅଦ୍ଭୁତ ପୁରୁଷ, ନା–ନା–କାପୁରୁଷ,ଲମ୍ପଟର ପରିଚୟ ପାଇଲୁକି ?
—କେମିତି ପାଇଥାନ୍ତି ? ସେ ତ ରାତ୍ରିର ଘନ ଅନ୍ଧାରରେ ତମସାର ତିମିରରେ ଆତ୍ମଗୋପନ କଲା ।
ଇଭାର ଗୋରା ମୁହଁରେ ଏକାବେଳେ କ୍ରୋଧ ଓ ଅସହାୟତା ଫୁଟିଉଠୁଥିଲା ।
ପ୍ରଚଣ୍ଡ ଆତ୍ମାଭିମାନୀ ଉଗ୍ର ଆଧୁନିକା ଇଭା ସେନ୍:ଅସହାୟା !!
ଆଶ୍ଚର୍ଯ୍ୟ ହେଉଥିଲା ସ୍ୱପ୍ନା ।
–ଘରେ ଜଣେଇଲୁ?
–କି ଲାଭ ? ମୁଁ କ’ଣ ପଚାରିଥାନ୍ତି,କାଲି ରାତିରେ—-ସେ ମେରୁଦଣ୍ଡହୀନ ପୁରୁଷ ପରିଚୟ ଦେଇଥାଆନ୍ତା କି ? ବରଂ ଘରେ ଗୋଟିଏ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥାଆନ୍ତା ।
–ତେବେ ?
—ତେବେ ଆଉ କ’ଣ ? ଏଣିକି ମୁଁ ତୋ ଜେଜେ ମାଆ ଦେଖେଇଥିବା ପନ୍ଥାନୂସରଣ କରିବି । ଅନ୍ୟ ମାନଙ୍କୁ ପ୍ରବର୍ତ୍ତାଇବି ।ଜୀବନରେ ଆଉକେବେ କାଳପୁରୁଷକୁ ଭେଟିବି ନାହିଁ । ପ୍ରିଭେନ୍ ସନ୍ ଇଜ୍ ବେଟର୍ ଦ୍ୟାନ୍ କ୍ବିଓର୍ ।
ସ୍ୱପ୍ନା ଓ ଇଭାକୁ ଆଉ କେତେଜଣ ବେଢିଯାଇଥିଲେ । ଏକସ୍ବରରେ ସେମାନେ କହିଲେ, ସତର୍କ ରହିବା ହିଁ ଶ୍ରେଷ୍ଠ ଉପାୟ ।ସୁନ୍ଦର ମହୌଷଧି ।

ଲେଖକ …. ଶ୍ରୀମତୀ ମମତା ଶତପଥୀ, 
ଗ୍ରନ୍ଥାଗାର ଅଧିକ୍ଷକା ଡେରାବିସ ମହା ବିଦ୍ୟାଳୟ