କାଲିଠୁ ଗଞ୍ଜାମରେ କୋହଳ ହେବ ଲକଡାଉନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଆସନ୍ତାକାଲି ଠାରୁ ଲକଡାଉନ କୋହଳ ହେବାକୁ ଯାଉଛି । ଏହି କଥା ଜିଲ୍ଲାର ମୁଖିଆ ଜିଲ୍ଲାପାଳ ଆଜି ଘୋଷଣା କରିଛନ୍ତି । କିନ୍ତୁ ସାମାଜିକ ଦୂରତ୍ୱ ଓ ମାସ୍କ ନ ପିନ୍ଧିଲେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହିଛି । ଅବମାନନା କରୁଥିବା ଏଭଳି ଲୋକଙ୍କୁ ୨୦୦ ଟଙ୍କା ଜୋରିମାନା ଦେବାକୁ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ମୋଟର ସାଇକେଲରେ କେବଳ ଯେ ଚାଳକ ସେ ହିଁ ଯାଇପାରିବ ବୋଲି କୁହାଯାଇଛି । ମୋଟର ସାଇକେଲରେ ଦୁଇ ଜଣ ଯିବାକୁ ସମ୍ପୂର୍ଣ୍ଣ ନିଶେଦ୍ଧାଜ୍ଞା ଜାରୀ ହୋଇଛି । ଆସନ୍ତାକାଲି ଅର୍ଥାତ ୨୦ ତାରିଖରୁ ଏହି ନିୟମ ପାଳନ ହେବାକୁ ଯାଉଛି । ଅତି ଆବଶ୍ୟକ ସାମଗ୍ରିକୁ ବିକ୍ରି ଉପରେ କୌଣସି ସମୟ ସିମା ନାହିଁ ଓ ଖୋଲା ଯାଇଥିବା ଦୋକାନ ଗୁଡିକ ସାମାଜିକ ଦୂରତ୍ୱ ରକ୍ଷା ନ କଲେ ଜୋରିମାନା ଦେବାକୁ ପଡିବ ବୋଲି କୁହାଯାଇଛି । ଗୁଟଖା, ପାନ, ଚା ଓ ମଦ ଦୋକାନ ସମ୍ପୁର୍ଣ୍ଣ ବନ୍ଦ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଥିରେ ଖିଲାପ କରିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସାମ୍ବାଦିକ ମାନଙ୍କୁ ଜିଲ୍ଲାପାଳ କହିଛନ୍ତି । ଏ ସମ୍ପର୍କରେ ଏକ ଭିଡିଓକ୍ଲିପ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜାରି କରିଛନ୍ତି । ଆଉମଧ୍ୟ ପବ୍ଲିକ ଟ୍ରାନ୍ସପୋର୍ଟ ବନ୍ଦ ରହିବ ବୋଲି କହିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନଗୁଡ଼ିକରେ ସାମାଜିକ ଦୂରତ୍ୱ ପାଳନ ହେଉଛି କି ନାହିଁ ତାହାର ଯାଞ୍ଚ କରାଯିବ ଏବଂ ଏଥିପାଇଁ ଜିଲ୍ଲାରେ ଏକ ସୋଶାଲ ଡିସ୍‌ଟାନ୍ସିଂ ମନିଟରିଂ ସ୍କ୍ୱାଡ ଗଠନ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ମନ୍ଦିର, ମସଜିଦ, ଚର୍ଚ୍ଚ ବନ୍ଦ ରହିବା ସହ ବାହାଘର ଭଳି ସାମାଜିକ ଉତ୍ସବ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ରହିବ । ଶବ ସତ୍କାର କାର୍ଯ୍ୟରେ ୨୦ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯିବ ନାହିଁ । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ କରିବାକୁ ଦିଆଯିବ । ସାମାଜିକ ଦୂରତା ରଖି ଶ୍ରମିକମାନେ କାମ କରିବେ । ଏନେଇ ବିଡିଓ ଓ ତହସିଲଦାରମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି । ତେବେ ରାସ୍ତା କଡ଼ରେ ଥିବା ଠେଲା ଦୋକାନ, ପାନ, ଗୁଟଖା, ମଦ ଦୋକାନ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ । ଗତକାଲି ସୁଦ୍ଧା ଜିଲ୍ଲାରେ ୮ଶହଟି ଟେଷ୍ଟ ହୋଇଛି ଓ ସମସ୍ତ ନମୂନା ନେଗେଟିଭ ବାହାରିଥିବା ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା