କାର୍ଯ୍ୟାଳୟରେ ତାଲା : ନାହିଁ ନାହିଁରେ ଚାଲିଛି ଉଦ୍ୟାନ ବିଭାଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉଦ୍ୟାନ ବିଭାଗ ଦ୍ୱାରା ଚାଷୀଙ୍କୁ ଅର୍ଥକାରୀ ଫସଲ ଚାଷ କରିବା ପାଇଁ ସରକାର କେତେକ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ଜଳେଶ୍ୱର ବ୍ଲକରେ ତାର ସଫଳ ରୂପାୟନ ହୋଇ ପାରୁନାହିଁ । ଫଳରେ ଏହି ବିଭାଗ ଏବେ ସ୍ଥାଣୁ ପାଲଟିଛି । ଜଳେଶ୍ୱରରେ ଭୂମୀ ରୂପ କେଉଁଠି ଉଚ୍ଚ ତ ହେଉଁଠି ତଳିଆ ଅଟେ । ଏଠାରେ ୪୭୪ ହେକ୍ଟର ଉଚ୍ଚ ଜମି, ୮୦୧୭ ହେକ୍ଟର ସମତଳ ଓ ୧୧୭୦୯ ହେକ୍ଟର ତଳିଆ ଅଞ୍ଚଳ ରହିଛି । ଉଚ୍ଚ ଓ ସମତଳ ଅଞ୍ଚଳରେ ଉଦ୍ୟାନ ବିଭାଗ ପକ୍ଷରୁ ଫଳଚାଷ ନେଇ କେତେକ ଅନୀୟମିତତା ହେଉଥିବା ଅଭିଯୋଗ ହେଉଛି । ଚଳିତବର୍ଷ ୧୦୦ ହେକ୍ଟର ଜମିରେ କାଜୁ, ୧୦ ହେକ୍ଟର ଜମିରେ ଆମ୍ବ ଓ ଅନ୍ୟ ୧୦ ହେକ୍ଟର ଜମିରେ ନଡିଆ ଚାଷ ହେଉଥିବା ସୂଚନା ମିଳିଛି । ଏହି ସବୁ ଚାଷ ରାଇବଣିଆ ଅଂଚଳର ଖୁଆଡ, ଶ୍ୟାମନଗର, ପୁରୁଣାପାଣି, ବରଡିହା, କଳମା ଇତ୍ୟାଦି ପଞ୍ଚାୟତରେ ହେଉଥିବାର କହୁଯାଇଥିବା ବେଳେ ଏନ୍‌ଆର୍‌ଇଜିଏସ୍ କାର୍ଯ୍ୟ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ଏ ସଂପର୍କରେ ଆଜି କେତେକ ଗଣମାଧ୍ୟମ ପ୍ରତିନିଧି ଉଦ୍ୟାନ ବିଭାଗର କାର୍ଯ୍ୟାଳୟକୁ ଯାଇଥିବା ବେଳେ ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ତାଲା ପଡିଥିବାର ଦେଖିବାକୁ ମିଳିଛି । ଏ ସଂପର୍କରେ ସହକାରୀ ଉଦ୍ୟାନବିତ୍ ଓ ବିଭାଗୀୟ ଡେପୁଟି ଡାଇରେକ୍ଟରଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା । କାର୍ଯ୍ୟାଳୟରେ ତାଲା ପଡିବା ଏବଂ ଏଠାରେ ଉପ ଉଦ୍ୟାନବିତ,୨ଜଣ ସମ୍ପ୍ରସାରଣ ଅଧିକାରୀ ଓ ୩ଜଣ ଉଦ୍ୟାନସାଥି ନିଯୁକ୍ତି ପାଇଥିଲେ ମଧ୍ୟ ଜଣେହେଲେ କେହି ରହୁ ନ ଥିବାରୁ ଚାଷୀମାନେ ବାରମ୍ବାର ଆସି ଫେରୁଥିବା ଅଭିଯୋଗ ହୋଇଛି । କତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।

ରିପୋର୍ଟ : ଭୂପତି କୁମାର ପରିଡା