କରୋନା ଛଡାଇ ନେଲା ଇଦର ଖୁସି : ନିଜ ନିଜ ଘରେ କଲେ ନମାଜ ପାଠ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚଳିତ ବର୍ଷ ପ୍ରଥମ ଥର ପାଇଁ ମସଜିଦ ପରିସରରେ ଶୁଭିଲାନି ଇଦ୍ ମୁବାରକ ଗୁଞ୍ଜରଣ । ପରସ୍ପରକୁ ଆଲିଙ୍ଗନ କରି ଇଦ୍ ଶୁଭେଚ୍ଛା କିଏ କାହାକୁ ଜଣେଇ ପାରିଲେନି । ଏହି ଇଦରେ ମସଜିଦ କିମ୍ବା ମୁସଲମାନ ବସ୍ତିରେ ମୁସଲମାନ ଭାଇ ମାନଙ୍କ ଭିଡରେ ଚଳଚଞ୍ଚଳ ହେଉଥିବାର ଦେଖିବାକୁ ମିଳିଲା ନାହିଁ କିମ୍ବା ମସଜିଦ ସମ୍ମୁଖରେ ଗରିବ, ଅସହାୟ, ଦୁଃଖୀ ରଙ୍କିଙ୍କ ଲମ୍ବା ଲାଇନ ବି ଲାଗିଲାନି । ମହାମାରୀ କରୋନା କଟକଣା ପାଇଁ ରମଜାନ ମାସ ଭଳି ଖୁସିର ପର୍ବ ଇଦ୍ ମଧ୍ୟ ଫିକା ପଡିଗଲା । ଇଦ୍ ଉତ୍ସବକୁ ନେଇ ବିଶେଷ କରି ସାନ ପିଲାମାନଙ୍କ ମଧ୍ୟରେ ଯେଉଁ ଉତ୍ସାହ ରହିଥାଏ, ସେଥିରେ କରୋନା ପ୍ରତିବନ୍ଧକ ସାଜିଲା । ନୂଆ ପୋଷକ ମଧ୍ୟ ବହୁତ କମ୍ ଲୋକ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଇସଲାମିକ ପରମ୍ପରା ଅନୁଯାଇ ରମଜାନ ମାସ ଶେଷ ଦିନରେ ଜହ୍ନ ଦେଖି ପାଳିତ ହୁଏ ଇଦ୍ । ଏହି ଦିନ ମୁସଲମାନ ଭାଇ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖା ଦେଇଥାଏ । ଲକଡାଉନରେ ବିଭିନ୍ନ ନିୟମ କୋହଳ ହୋଇଥିଲେ ହେ ଧର୍ମାନୁଷ୍ଠାନ ବନ୍ଦ ରହିଛି । ଏଣୁ ଇଦ୍ ଦିନ ମଧ୍ୟ ମସଜିଦ ବନ୍ଦ ରହିଥିଲା । ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର ଓ ଆଖପାଖ ବିଭିନ୍ନ ଅଞ୍ଚଳରେ ଥିବା ମୁସଲିମ ଭାଇମାନେ ଟିକେ ମନ ଦୁଃଖରେ ରହିଥିଲେ ହେଁ କରୋନା ଯୁଦ୍ଧରେ ସରକାରଙ୍କ ନିୟମକୁ ମାନି ସହାୟତାର ହାତ ବଢ଼େଇଥିବା ଦେଖିବାକୁ ମିଳିଥିଲା । ପ୍ରତିବର୍ଷ ଇଦ୍ କୁ ମୁସଲମାନ ସମ୍ପ୍ରଦାୟ ଧୁମଧାମରେ ପାଳନ କରିଥାନ୍ତି କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ଏଥିରେ ପୂର୍ଣ୍ଣଛେଦ ଟାଣି ଦେଇଛି । ଚଳିତ ବର୍ଷ କନ୍ଧମାଳ ଜିଲ୍ଲାର ସମସ୍ତ ମୁସଲମାନ ଭାଇମାନେ ନିଜ ନିଜ ଘରେ ନାମାଜ ପାଠ କରିବା ସହ ସାମାଜିକ ଦୂରତ୍ବ ରଖି ପରସ୍ପରକୁ ଆଲିଙ୍ଗନ କରିନଥିଲେ । ଜଣେ ମୁସଲମାନ ଭାଇଙ୍କ କହିବା ପ୍ରକାରେ ଚଳିତ ବର୍ଷ ଇଦ୍ ନମାଜ ପାଠ କରିବା ନିମନ୍ତେ ମୌଲନା ମାନଙ୍କ ଠାରୁ ଫତ୍ଓ୍ବା ନେଇ ସେମାନଙ୍କ ଦେଇ ଥିବା ନିର୍ଦ୍ଦେଶ ଅନୁଯାୟୀ ଘରେ ରହି ଇଦ୍ ନମାଜ ପାଠ କରିଛୁ । ଚଳିତ ଇଦ୍ ରେ ନୂତନ ବସ୍ତ୍ର ପରିଧାନ ନ କରିବା ସହ ଘରେ ମଧ୍ୟ ଅତି ସାଧାରଣ ଖାଦ୍ୟ ପ୍ରସ୍ତୁତ କରି ନିରାଡମ୍ବର ସହ ଇଦ୍ ପାଳନ କରିଛୁ । ଦେଶର ସଙ୍କଟ ସମୟରେ ଗରିବ ଲୋକ ଖାଇବାକୁ ପାଉନଥିବା ବେଳେ ଜାକଜମକରେ ଇଦ୍ ପାଳନ କରିବା ମାନବିକତା ନୁହେଁ ବୋଲି କହିଥିଲେ । ଏହି ଅବସରରେ ଅଞ୍ଚଳର ବିଭିନ୍ନ ସଂଗଠନ ପକ୍ଷରୁ ମୁସଲମାନ ଭାଇ ମାନଙ୍କୁ ଇଦ୍ ର ଅଭିନନ୍ଦନ ଜଣାଇଥିଲେ ।