କରି କରାଉଥାଏ ମୁହିଁ….

ଆପଣମାନଙ୍କ ମଧ୍ୟରୁ ଯିଏ ଦକ୍ଷିଣ ଭାରତ ଯାଇଥିବେ, ସେଠି କୌଣସି ନା କୌଣସିଠାରେ ଉଡୁପୀ ହୋଟେଲ ଶୁଣିଥିଵେ,ଦେଖିଥିବେ ବା ସେଠାରେ ଖାଇଥିବେ । ଉଡୁପୀ ଦକ୍ଷିଣ ଭାରତର ଏକ ହୋଟେଲ ଶୃଙ୍ଖଳା । ଉଡୁପୀ ଖାଣ୍ଟି ସ୍ବାଦିଷ୍ଟ ନିରାମିଷ ଖାଦ୍ୟ ପାଇଁ ବିଖ୍ୟାତ।ପ୍ରଥମେ କର୍ଣ୍ଣାଟକର ଉଡୁପୀ ସହର/ଜିଲ୍ଲାଠାରୁ ଆରମ୍ଭ ହୋଇ ଏହା ସାରା ଦକ୍ଷିଣ ଭାରତରେ, ପରେ ସମଗ୍ରଭାରତରେ ଓ ଅଧୁନା ପୃଥିବୀର ଅନେକସ୍ଥାନରେ ଉଡୁପୀ ହୋଟେଲ ଶୃଙ୍ଖଳା ବିଦ୍ୟମାନ,ନାମ ଅଲଗା ଅଲଗା ହୋଇପାରେ।ଆମ ରାଜ୍ୟରଦକ୍ଷିଣର ବଡ଼ ସହର ବ୍ରହ୍ମପୁରରେ ମଧ୍ୟ ଏକ ଉଡୁପୀ ଭୋଜନାଳୟ ଅଛି । ସବୁଠି ଏହିହୋଟେଲ ଖାଣ୍ଟି ସ୍ବାଦିଷ୍ଟ ନିରାମିଷ ଭୋଜନ ସକାଶେ ବିଖ୍ୟାତ।ଏହି ହୋଟେଲରେ ସର୍ବଦା ସ୍ଥାନୀୟ ପନିପରିବା, ଖାଦ୍ୟଶସ୍ୟ, ଡାଲି, ଶାଗ ସବଜି,ଫଳମୂଳ ବ୍ୟବହାର କରି ସ୍ବାଦିଷ୍ଟ ଭୋଜନ ପ୍ରସ୍ତୁତ କରିବାରେ ଗୁରୁତ୍ୱ ଦିଆଯାଇଥାଏ ।ଭାରତର ଦକ୍ଷିଣ ପଶ୍ଚିମ ତଟୀୟ ସହର ଉଡୁପୀର “କ୍ରୀଷ୍ଣା ମନ୍ଦିର”ରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ନିମନ୍ତେ ମାଧବ ବ୍ରାହ୍ମଣମାନଙ୍କଦ୍ଵାରା ପ୍ରସ୍ତୁତ ବିଭିନ୍ନ ସୁସ୍ବାଦୁ ବ୍ୟଞ୍ଜନରୁ ଏହି ଉଡୁପୀ ଖାଦ୍ୟ ସମ୍ଭାରର ସୃଷ୍ଟି ।ପରେ ଉଡୁପୀର ମାଧବା- ଚାର୍ଯ୍ୟଙ୍କଦ୍ଵାରା ପ୍ରତିଷ୍ଠିତ ଶ୍ରୀକୃଷ୍ଣ ମଠରେ ଏହି ଖାଦ୍ୟ ସମ୍ଭାରର ପ୍ରଭୂତ ବିସ୍ତୃତି ଓ ଉନ୍ନତି କରାଯାଇଥିଲା। ସେଥିପାଇଁ ଉଡୁପୀ ଖାଦ୍ୟକୁ “ମାଧବା ଖାଦ୍ୟ ସମ୍ଭାର” ମଧ୍ୟ କୁହାଯାଏ । ଉକ୍ତ ଉଡୁପୀ ଖାଦ୍ୟ ସମ୍ଭାର ପଛରେ ଏକ ସୁନ୍ଦର କାହାଣୀ ରହିଛି । ମହାଭାରତ ମହାସମର ଆସନ୍ନପ୍ରାୟ,ମହାଭାରତ ପ୍ରାୟ ୫,୦୦୦ଵର୍ଷତଳର କଥା।ସମଗ୍ରଭାରତବର୍ଷର ରାଜନ୍ୟଵର୍ଗ ଯୁଦ୍ଧରେ ଯୋଗଦେବା ସକାଶେ ଆସି କୁରୁକ୍ଷେତ୍ର ନିକଟରେ ପହଞ୍ଚୁଥିଲେ, କିଏ କୋଉ ପକ୍ଷରେ ଯୋଗଦେବେ ତାଙ୍କ ଇଛାନୁସାରେ ଯୋଗଦେଉ ଥାଆନ୍ତି । ନିର୍ଦ୍ଧାରିତ ଦିନ ପାଖେଇ ଆସିଲା,ଏଇ ସମୟରେ ଦକ୍ଷିଣ ପଶ୍ଚିମ ତଟସ୍ଥ ଉଡୁପୀ ଦେଶର ରାଜା ଆସି ପହଞ୍ଚିଲେ,କୌରବ ଓ ପାଣ୍ଡବ ଉଭୟ ପକ୍ଷ ଉଡୁପୀରାଜାଙ୍କୁ ନିଜ ପକ୍ଷକୁ ନେବାକୁ ଚେଷ୍ଟା କଲେ ।ଉଡୁପୀରାଜା କୌଣସି ପକ୍ଷରେ ଯୋଗ ନରଦେଇ ପ୍ରଭୁ ଶ୍ରୀକୃଷ୍ଣଙ୍କୁ କହିଲେ,ପ୍ରଭୁ ମୁଁ ଯୁଦ୍ଧରେ କୌଣସି ପକ୍ଷରେ ଯୋଗ ଦେବାକୁ ଚାହୁଁନାହିଁ,ମାତ୍ର ଏମିତି ତ ହୋଇନପାରେ ଯୁଦ୍ଧକ୍ଷେତ୍ରକୁ ଆସି କୌଣସି ପକ୍ଷରେ ଯୋଗନଦେଇ ରହିହେବ ନାହିଁ,ତେଣୁ ମୁଁ ଗୋଟିଏ କାମ କରୁଛି,ଏହି ବିଶାଳ ମହାସମରରେ ଯୋଗ ଦେଇଥିବା ସମସ୍ତଙ୍କ ନିମନ୍ତେ ଖାଦ୍ୟ- ପ୍ରବନ୍ଧର ବ୍ୟବସ୍ଥା ମୁଁ କରିବି,ମୋତେ ଆପଣ ଆଜ୍ଞା ଦିଅନ୍ତୁ ।ସେତେବେଳ ପର୍ଯ୍ୟନ୍ତ ଏକଥା କାହା ମୁଣ୍ଡକୁ ଆସି ନଥିଲା,ତେଣୁ ପ୍ରଭୁ ଅତ୍ୟନ୍ତ ପ୍ରୀତ ହୋଇ କହିଲେ,ଉଡୁପୀରାଜନ, ଯାହାହେଉ ଗୋଟିଏ ବଡ଼ ସମସ୍ୟାର ସମାଧାନ କରିଦେଲ,ଆଜିପର୍ଯ୍ୟନ୍ତ ଏକଥା କାହା ନଜରକୁ ଆସିନଥିଲା ।ତେଣୁ ଯୁଦ୍ଧର ପ୍ରଥମ ଦିନରୁ ଉଡୁପୀରାଜା ତାଙ୍କ ପାଚକ ଓ ସହ-କର୍ମୀମାନଙ୍କ ସହ ଖାଦ୍ୟ ପ୍ରସ୍ତୁତିରେ ଲାଗି ପଡିଲେ,ପ୍ରତ୍ୟହ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତକରାଇ ସମସ୍ତଙ୍କୁ ଖୁଆଇବାରେ ଲାଗିଲେ ।ମାତ୍ର ଉଡୁପୀରାଜାଙ୍କର ଖାଦ୍ୟ ପ୍ରସ୍ତୁତି ପରିଚାଳନା ଏତେ ଚମତ୍କାର ଥିଲା ଯେ କେବେ କୋୖଣସି ଖାଦ୍ୟ ବଳକା ହେଉନଥିଲା ବା ନିଅଣ୍ଟ ହେଉନଥିଲା,ଏହା ଅତୀଵ ବିଚକ୍ଷଣତାର କଥା ! ଯୁଦ୍ଧ ଶେଷରେ ପ୍ରତିଦିନ ସୈନ୍ୟ- ଗଣ ଓ ସମସ୍ତେ ଆସି ଏକାଠିବସି ଖାଆନ୍ତି,ସମସ୍ତେ ପରିତୃପ୍ତିର ସହିତ ଭରପୁର ଭୋଜନ କରନ୍ତି,କିନ୍ତୁ କୌଣସି ଦିନ କିଛି ଖାଦ୍ୟ ନଷ୍ଟ ହେଉନଥିଲା।ଏକଥା ପ୍ରାୟ ସମସ୍ତଙ୍କୁଆଶ୍ଚର୍ଯ୍ୟ କରି ଦେଉ ଥିଲା । ପୁଣି ସବୁଦିନ ଯୁଦ୍ଧପରେ ପ୍ରଭୁ ଶ୍ରୀକୃଷ୍ଣ ଓ ଧର୍ମରାଜ ଯୁଧିଷ୍ଠିର ଏକସଙ୍ଗେ ଖାଉଥିଲେ,ସ୍ବୟଂ ଉଡୁପୀରାଜା ତାଙ୍କୁ ପରଷିଦେଉଥିଲେ।ଏତେ ନିଖୁଣ/ସଠିକଭାବେ ଉଡୁପୀରାଜା କେମିତି ଖାଦ୍ୟ ପ୍ରସ୍ତୁତିର ପରିଚାଳନା କରୁଛନ୍ତି,ତାହା ସମସ୍ତଙ୍କୁ ବିସ୍ମୟ- ଚକିତ କରିଦେଉଥିଲା ।ଏହାର ପର୍ଯ୍ୟବେକ୍ଷଣ ନିମନ୍ତେ ଥରେ ପାଣ୍ଡବଗଣ ସମସ୍ତେ ଖାଇ ସାରିବାପରେ ରୋଷଶାଳକୁ ଯାଇ ରୋଷେଇଆଙ୍କୁ ପଚାରିଲେ, କିଛି ଖାଦ୍ୟ ବଳକା ଅଛି କି ?ରୋଷେଇଆ କହିଲେ, ଉଡୁପୀରାଜନ ଏପରିଭାବେ ରୋଷେଇ ସକାଶେ ସରଞ୍ଜାମ ଦେଇଥାନ୍ତି ଯେ କିଛି ଖାଦ୍ୟ ବଳକା/ନିଅଣ୍ଟ ହୁଏନାହିଁ ।ପ୍ରତିଦିନ ଲକ୍ଷ ଲକ୍ଷ ବ୍ୟକ୍ତିଙ୍କ ନିମନ୍ତେ ରୋଷେଇ ହୁଏ, ତଥାପି ପ୍ରତ୍ୟହ କେତେ ଲୋକଙ୍କ ପାଇଁ ରୋଷେଇ ହେବ ସେ ହିସାବ ଉଡୁପୀରାଜା ବରାବର କରିଥାନ୍ତି,ଆଚମ୍ବିତ କଥା !ଉଲ୍ଲେଖ ଯୋଗ୍ୟ ୧୮ ଦିନ ବ୍ୟାପି ଏହି ମହାଭାରତ ଯୁଦ୍ଧରେ ପ୍ରାୟ ୫୦,୦୦,୦୦୦ରୁ ଉର୍ଦ୍ଧ୍ବ ସୈନ୍ୟ ଯୋଗଦେଇଥିଲେ ପ୍ରତ୍ୟେକଦିନ କେତେ ସୈନିକ ମୃତ୍ୟୁବରଣ କରିବେ ତାହା ଆକଳନ କରି ଖାଦ୍ୟ ପ୍ରସ୍ତୁତ କରିବା ଏକ ଦୁରୂହ ବ୍ୟାପାର ! ଅତଏବ ପାଣ୍ଡବମାନେ ଏହି ରହସ୍ୟର ଉନ୍ନୋଚନ ସକାଶେ ଉଡୁପୀରାଜାଙ୍କ ନିକଟରେ ପହଞ୍ଚିଲେ,ଉଡୁପୀରାଜା କହିଲେ,”ଏସବୁର କର୍ତ୍ତା ସ୍ବୟଂ ଦ୍ଵାରକାଧୀଶ ପ୍ରଭୁ ଶ୍ରୀକୃଷ୍ଣ,ସିଏ ନିମିତ୍ତ ମାତ୍ର ।ପ୍ରଭୁ ସବୁଦିନ ରାତିରେ ସିଝା ବାଦାମ ଖାଇବାକୁ ଭଲପାଆନ୍ତି। ସବୁଦିନ ସିଏ ପ୍ରଭୁଙ୍କୁ ନେଇ ସିଧା ବାଦାମ ଖାଇବାକୁ ଦିଅନ୍ତି ଏବଂ ଖାଇସାରିବାପରେ ସେ ପାତ୍ରକୁ ଫେରାଇଆଣନ୍ତି ।ଇତିମଧ୍ୟରେ ଉଡୁପୀରାଜା ହିସାବ ରଖିଥାନ୍ତି,ପ୍ରଭୁ ଯେତିକିଟି ବାଦାମ ଖାଇଥାନ୍ତି,ସେତିକି ଗୁଣନ ହଜାର,ତା’ପରଦିନ ମୃତ୍ୟୁବରଣ କରିବେ, ତାକୁ ଚାହିଁ ଉଡୁପୀ ରାଜନ ଖାଦ୍ୟ ପ୍ରଵନ୍ଧ କରିଥାନ୍ତି । ଧରାଯାଉ ପ୍ରଭୁ ୧୦ଟି ବାଦାମ ଖାଇଛନ୍ତି,ତେଣୁ ଆସନ୍ତାକାଲି ୧୦ ଗୁଣନ ୧,୦୦୦ ସମାନ ୧୦,୦୦୦ ସୈନ୍ୟ,ଆସନ୍ତାକାଲିର ଯୁଦ୍ଧରେ ମୃତ୍ୟୁବରଣ କରିବେ,ତେଣୁ ଆସନ୍ତାକାଲି ୧୦,୦୦୦ ଜଣଙ୍କର ଖାଦ୍ୟ କମ୍ ପ୍ରସ୍ତୁତ ହେବ, ଏଇ ହେଲା ଉଡୁପୀରାଜାଙ୍କର ଖାଦ୍ୟପ୍ରସ୍ତୁତି ପରିଚାଳନାର ରହସ୍ୟ । ପର୍ଯ୍ୟବେକ୍ଷଣ କରିବାକୁ ଯାଇଥିବା ପାଣ୍ଡବମାନେ ଗୋଟାଏ ମହାଶିକ୍ଷା ପାଇଲେ ଏଥିରୁ, ଏହା ମାଧ୍ୟମରେ ସାରା ସଂସାରକୁ ମଧ୍ୟ ଗୋଟିଏ ମହାନଶିକ୍ଷା ଦେଇଛନ୍ତି ଲୀଳାମୟ ପ୍ରଭୁ ଶ୍ରୀକୃଷ୍ଣ । ସିଏ ମହାବୀର ଅର୍ଜୁନ ହୁଅନ୍ତୁ ବା ମହାଯୋଦ୍ଧା ଭୀମସେନ ହୁଅନ୍ତୁ,କେହି କାହାକୁ ମାରୁନାହାନ୍ତି, ମାରିବାବାଲା ସେଇ ଜଣେ,”କରି କରାଉଥାଏ ମୁହିଁ,ମୋ ବିନୁ ଅନ୍ୟ ଗତି ନାହିଁ।”କିଏ ମରିବ ତାହା ପୂର୍ବରୁ ସ୍ଥିରୀକୃତ ହୋଇଥାଏ, ଆଉ ଏହା କରିଥାନ୍ତି, ସର୍ଵାନ୍ତର୍ଯ୍ୟାମୀ,ସର୍ଵ- ନିୟନ୍ତା ଦ୍ଵାରକାଧୀଶ ମହାପ୍ରଭୁ ଶ୍ରୀକୃଷ୍ଣ ।ମଣିଷ ଖାଲି ମିଛରେ ମୁଁ କରିଛି,ମୁଁ କରିଛି ହେଉଥାଏ, ସର୍ଵମୟକର୍ତ୍ତା ଜଣେ !ସେଥିପାଇଁ ପୁରାଣରେ ଅଛି,”ତ୍ରିଗୁଣ ରଜ୍ଜୁ କରେଧରି, ମୃଗୀ ନଚାଏ ନରହରି।ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଯେତେବେଳେ ଏକଥା ପଚରାଗଲା,ପ୍ରଭୁ ଉତ୍ତର ଦେଇଥିଲେ,ଭବିଷ୍ୟତ ସବୁବେଳେ ଭବିଷ୍ୟତ ହୋଇଥାଉ,ତାକୁ ଜାଣିବାର ଚେଷ୍ଟା କରାନଯିବା ଉଚିତ ।କାରଣ ଆସନ୍ତାକାଲି କଥା ଜାଣିଗଲେ,ଆମେ ଆଜି ଆଉ କିଛି କରିବାନାହିଁ।ତେଣୁ ଆଜିରେ ହିଁ ସନ୍ତୁଷ୍ଟ ରହିବା ଉଚିତ୍, ନଚେତ୍ ପରଦିନ/ଭବିଷ୍ୟତର ମର୍ଯ୍ୟାଦା ରହିବ ନାହିଁ । ମହାଭାରତ ଯୁଦ୍ଧ ପରିସମାପ୍ତିପରେ ଉଡୁପୀରାଜନ ପାଣ୍ଡବମାନେ ଓ ପ୍ରଭୁ ଶ୍ରୀକୃଷ୍ଣଙ୍କ ଠାରୁ ବିଦାୟ ନେଇ ନିଜରାଜ୍ୟକୁ ଫେରିଗଲେ ।ପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ଏକ ମନ୍ଦିର ପ୍ରତିଷ୍ଠା କରି ସେଠାରେ ପ୍ରଭୁଙ୍କୁ ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ଅର୍ପଣ ଜାରି ରଖିଲେ,ସେ ମନ୍ଦିରର ନାଁ ଶ୍ରୀକୃଷ୍ଣ ମଠ ଯାହା ସେ ଅଞ୍ଚଳରେ ପ୍ରସିଦ୍ଧ।ସେଠାରେ ପ୍ରତ୍ୟହ ସ୍ବାଦିଷ୍ଟ ଉଡୁପୀ ଖାଦ୍ୟ ଭକ୍ତଗଣଙ୍କୁ ମାଗଣାରେ ବଣ୍ଟନ କରାଯାଏ,ପ୍ରସାଦମ୍,ଯାହା ଆଜିସୁଦ୍ଧା ପ୍ରଚଳିତ ।ଏହିଠାରୁ ଆରମ୍ଭ ପ୍ରଖ୍ୟାତ ଉଡୁପୀ ଖାଦ୍ୟସମ୍ଭାର ବା ଉଡୁପୀ ହୋଟେଲ/ରେଷ୍ଟୁରାଣ୍ଟ ଶୃଙ୍ଖଳା।ଏହି ହୋଟେଲ/ରେଷ୍ଟୁରାଣ୍ଟ ଶୃଙ୍ଖଳା ଆଜି ସମଗ୍ର ଦେଶରେ ତା’ର କାୟା ବିସ୍ତାର କଲାପରେ ଏବେ ବିଶ୍ଵର ଅନେକ କୋଣ ଅନୁକୋଣରେ ନିଜର ସ୍ଵକୀୟ ମାନ ଓ ସ୍ଥିତି ଜାହିର କରି- ପାରିଛି ।ଉଡୁପୀ ଖାଦ୍ୟଶୃଙ୍ଖଳା ଭାରତର ପଶ୍ଚିମପାର୍ଶ୍ଵର ଆରବ ସାଗର ତଟସ୍ଥ ଟୁଲୁନାଡୁ ଅଞ୍ଚଳର ପ୍ରଖ୍ୟାତ ଟୁଲୁ ଖାଦ୍ୟ ସମ୍ଭାରର ଏକ ଅଂଶବିଶେଷ ।ଏହା ଅତି ପବିତ୍ର ଓ ସାତ୍ତ୍ୱିକ, ସର୍ବଦା ତଳେ(ଭୂମିରେ)ବସି କଦଳୀ ପତ୍ର ଉପରେ ଏହି ଉଡୁପୀ ଭୋଜନ କରାଯାଏ । ଆଜିକାଲି ଅନେକ ପ୍ରକାରର ସଂସ୍କାର ଆସିଲାଣି ଏ ବ୍ୟବସ୍ଥାରେ ।ଏହା ସେହି ମହା- ଭାରତ କାଳରୁ ଚଳି ଆସୁଥିଲେ ସୁଦ୍ଧା ଆଧୁନିକ ସମୟରେ,ଦୁଇଜଣ ଏହି ଉଡୁପୀ ଖାଦ୍ୟସମ୍ଭାରକୁ ନୂଆ ରୂପଦେଇ ପ୍ରଭୁତ ବିକାଶ ଆଣିପାରିଛନ୍ତି।ପ୍ରଥମ ବ୍ୟକ୍ତି ଭାବେ କେ.କ୍ରୀଷ୍ଣା ରାଓ ୧୯୨୭ରେ କ୍ରୀଷ୍ଣା ବିଳାସ ହୋଟେଲ ଭାବେ ଆରମ୍ଭ କରିଥିଲେ ଯାହା ପରେ “ଉଡଲ୍ୟାଣ୍ଡସ୍” ନାମରେ ବିଖ୍ୟାତ ହୋଇଥିଲା,ଏହାଥିଲା ତତ୍କାଳୀନ ସମୟର ସାହେବ ମାନଙ୍କ ସକାଶେ ।୨ୟବ୍ୟକ୍ତିଭାଵେ ଶ୍ରୀ କେ. ସୀତାରାମା ରାଓ ୧୯୫୪ରେ “ଦାସପ୍ରକାଶ” ନାମରେ ଏକ ଉଡୁପୀ ହୋଟେଲ ଶୃଙ୍ଖଳା ଆରମ୍ଭ କଲେ ଯାହା ତତ୍କାଳୀନ ସମ୍ଭ୍ରାନ୍ତ ଭାରତୀୟମାନଙ୍କ ନିମନ୍ତେ ଉପଲବ୍ଧ ଥିଲା ।ଏହି ଉଡୁପୀ ଖାଦ୍ୟ ବର୍ତ୍ତମାନ ଆଉ ଅନେକ ନାମରେ ଉଡୁପୀ ହୋଟେଲ/ରେଷ୍ଟୁରାଣ୍ଟ ଶୃଙ୍ଖଳାର ଜୟଯାତ୍ରାକୁ ଆଗେଇ ନେଇଛି ସାରା ବିଶ୍ବରେ ।ଆଜିକାର ଯୁଗରେ ସମଗ୍ର ପୃଥିବୀରେ ବିଶ୍ଵପ୍ରସିଦ୍ଧ ଖାଦ୍ୟଭାବେ ପରିଚିତି ଲାଭ କରିଥିବା ପତଳା/ମୁସମୁସ୍ “ମସଲା ଦୋସା”ଏହି ଉଡୁପୀ ଖାଦ୍ୟସମ୍ଭାରର ଏକ ବିଶିଷ୍ଟ ଅଵଦାନ ।ଏଇଠି ଗୋଟିଏ କଥା ମନକୁ ଆସୁଛି,ଆଜିକୁ ୫,୦୦୦ ଵର୍ଷତଳେ, ମହାଭାରତ କାଳରେ,ବିସ୍ତୃତ ସ୍ବାଦିଷ୍ଟ ଖାଦ୍ୟ ସମ୍ଭାର(ସ୍ଥାନୀୟ ଉପଲବ୍ଧ ପଦାର୍ଥକୁ ନେଇ),ସର୍ବୋତ୍ତମ ପରିଚାଳନା,ସଠିକ୍ ହିସାବ ଓ ନିର୍ଭୁଲ ଆକଳନ(ଗଣିତର ଗୁଢ ରହସ୍ୟ-ବିଶ୍ବକୁ ଶୂନ୍ୟ, ବୃତ୍ତ-ଚକ ଏବଂ ପରିଧି ଭାରତର ଅବଦାନ)ରେ ମାହିରଥିଲେ ଭାରତୀୟମାନେ,ଯେତେବେଳେ ବିଶ୍ଵରେ ଅନ୍ୟତ୍ର ସଭ୍ୟତା ଥିଲା କି ନାହିଁ ସନ୍ଦେହ ! ଯଦି ଏହା ସତ୍ୟ ପଶ୍ଚିମ ଦେଶମାନଙ୍କରେ ଏତେ ବିଖ୍ୟାତ ଆବିଷ୍କାରକ/ଉଦ୍ଭାବକ ସବୁ ବାହାରିଲେ କିପରି,ତା ପୁଣି ଏଇ ଉନ୍ନବିଂଶ ଶତାବ୍ଦୀ କିମ୍ବା କିଛି ପୂର୍ବରୁ ।କାରଣ ଆମ ଭାରତୀୟମାନଙ୍କର ପ୍ରଚାର/ପ୍ରସାର ପ୍ରାୟ ନଥିଲା ବା ସେଥିରେ ବିଶ୍ଵାସ ନଥିଲା । ଉଦାହରଣଟିଏ ଦେଉଛି,ସ୍କଟଲାଣ୍ଡର କମାର ମ୍ୟାକମିଲାନ ୧୮୪୨ରେ ବାଇସାଇକଲ ଉଦ୍ଭାବନ କରିଥିଲେ,ଏବେ ୨,୦୦୦ ବର୍ଷତଳର ଏକ ଦକ୍ଷିଣ ଭାରତୀୟ ମନ୍ଦିରର ଗାତ୍ରରେ ଜଣେବ୍ୟକ୍ତି ଆଧୁନିକ ସାଇକଲ ଚଳାଉଥିଵାର ମୂର୍ତ୍ତୀ ଉତକୀର୍ଣ୍ଣ, ଅନେକ ସୋସିଆଲ ମିଡିଆରେ ଭାଇରାଲ । ଏସବୁ ଏବେ ଅନେକ ଭାରତୀୟଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କଲାଣି !

ଲେଖକ : ଜୟନ୍ତ ପଟ୍ଟନାୟକ