କମ୍ ଛାତ୍ରଛାତ୍ରୀ ଯୋଗୁଁ ଶିକ୍ଷାବିଭାଗ କ୍ଷୁବ୍ଧ ବନ୍ଦ ତାଲିକାରେ ଜଳେଶ୍ୱରରେ ୨୪ଟି ବିଦ୍ୟାଳୟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମସ୍ତଙ୍କୁ ଶିକ୍ଷା ଓ ଶିକ୍ଷାର ଉନ୍ନତି ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରୁଥିବା ବେଳେ ଏବେ ସମଗ୍ର ରାଜ୍ୟରେ କେତେକ ବିଦ୍ୟାଳୟକୁ ବନ୍ଦ କରିବାର ମସୁଧା ଚଳାଇଥିବା ଯୋଗୁଁ ଗ୍ରାମବାସୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ହୋଇଛି । ବାଲେଶ୍ୱର ଜିଲାର ଜଳେଶ୍ୱର ଶିକ୍ଷାଜିଲାରୁ ୨୪ଟି ବିଦ୍ୟାଳୟକୁ ବନ୍ଦ କରାଯାଇ ନିକଟସ୍ଥ ଅନ୍ୟ ବିଦ୍ୟାଳୟରେ ମିଶ୍ରଣ ହେବାର ଜଣାଯାଇଛି । ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସିଦ୍ଧାନ୍ତ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୨୦ରୁ କମ୍ ସଂଖ୍ୟକ ଛାତ୍ରୀଛାତ୍ର ଥିବା ୪ ବିଦ୍ୟାଳୟକୁ ସଂପୂର୍ଣ୍ଣ ବନ୍ଦ କରାଯିବାର ନିର୍ଦ୍ଦେଶ ଥିବା ବେଳେ ଅନ୍ୟ ୨୦ଟି ବିଦ୍ୟାଳୟର ଛାତ୍ରୀଛାତ୍ର ୪୦ରୁ କମ୍ ଥିବାରୁ ସେ ଗୁଡିକ ମଧ୍ୟ ନିକଟସ୍ଥ ଅନ୍ୟ ବିଦ୍ୟାଳୟ ସହିତ ମିଶ୍ରଣ ହେବାର ଚୁଡାନ୍ତ ହୋଇଛି । ଏକ ସୂଚନା ଅନୁଯାୟୀ ଜଳେଶ୍ୱର ଶିକ୍ଷା ଜିଲାରେ ବାଉଁଶବଣି, ପୀରବାଗ, ଘୋଳେଇ ଓ ମ୍ୟୁନିସିପାଲଟିର ମଣିପାଟଣା ପ୍ରାଥମିକ ବିଦ୍ୟାଳୟରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବାରୁ ସେ ଗୁଡିକ ସଂପୂର୍ଣ୍ଣ ବନ୍ଦ ହୋଇ ଯିବାର ସ୍ଥିର କରାଯାଇଛି । ସେହିପରି ଘଣ୍ଟିଆଡି, ବାଖୁଡିପଦା, ଗୁଣ୍ଡରିଶୋଳ, କଳମା, ଅସୁରଡିହା, ସାହାପୁର, ଚାଫଲା, ସରକାତିଆ, ନାଙ୍ଗୁଡସାହି, ସାହାଡାପଡା, ଆଡିନଗା, ବଳରାମପୁର, ଚକ୍ରଡା, ବାରକୋଣା, କାସିମପୁର, ଅପୂର୍ବବନମାଳି, ବେଲବାରିଆ, ଧାନସିମୁଳିଆ, ଚକବିଷ୍ଣୁ ଇତ୍ୟାଦି ୨୦ଟି ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ ଅନ୍ୟ ପ୍ରାଥମିକ ବିଦ୍ୟାଳୟ ସହିତ ମିଶିବାର ସ୍ଥିର ହୋଇଛି । ଉପରୋକ୍ତ ବିଦ୍ୟାଳୟ ଗୁଡିକରେ ୪୦ରୁ କମ୍ ଛାତ୍ରୀଛାତ୍ର ଥିବାର ଗଣଶିକ୍ଷା ବିଭାଗର ପ୍ରକାଶିତ ବିଜ୍ଞପ୍ତିରୁ ଜଣାଯାଇଛି । ପ୍ରକାଶଯୋଗ୍ୟ ଉପରୋକ୍ତ ବିଦ୍ୟାଳୟ ମଧ୍ୟରୁ କେତେକ ନିକଟସ୍ଥ ବିଦ୍ୟାଳୟ ଠାରୁ ୪ କିମି. ଦୂର, ଜଂଗଲ ଘେରା ଅଂଚଳ, ନଦୀନାଳ ଘେରା ଓ ରାଜପଥ ଥିବାରୁ ସେ ଗୁଡିକ ମିଶ୍ରଣ ନ କରିବା ପାଇଁ ସେଠାକାର ଗ୍ରାମବାସୀ, ବୁଦ୍ଧିଜିବୀ ଓ ଅଭିଭାବକମାନେ ଦାବି କରିଛନ୍ତି । କେତେକ ବିଦ୍ୟାଳୟ ଏ ବିଷୟରେ ସବିଶେଷ ଲେଖି ନକ୍ସା ସହିତ ଉର୍ଚ୍ଚ କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କେତେକ ଗ୍ରାମବାସୀ ତାଙ୍କ ଅଂଚଳର ଛାତ୍ରୀଛାତ୍ର ଦୂର ଘରୋଇ ବିଦ୍ୟାଳୟକୁ ଚାଲି ଯାଇଥିବାରୁ ସେପରି ପରିସ୍ଥିତି ସୁଧାରିବା ଲାଗି ଆସନ୍ତା ଶିକ୍ଷାବର୍ଷ ଲାଗି ଛାତ୍ରୀଛାତ୍ର ସଂଖ୍ୟ ବୃଦ୍ଧି ନିମନ୍ତେ ପ୍ରତିଶୃତି ଦେଇଛନ୍ତି । ଏ ସଂପର୍କରେ ଜଳେଶ୍ୱର ବିଇଓ ସୁଧାଂଶୁ ସେଖର ଜେନାଙ୍କୁ ପଚାରିବାରୁ ଏ ସଂପର୍କରେ ଆବଶ୍ୟକୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା