କମ୍ୟୁନିଷ୍ଟ ପାର୍ଟିର ଶତ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କମ୍ୟୁନିଷ୍ଟ ପାର୍ଟିର ଶତ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି । ସୂଚନା ଅନୁଯାୟୀ ଭାରତରେ କମ୍ୟୁନିଷ୍ଟ ପାର୍ଟି ଗଠନର ଶହେ ବର୍ଷ ପୂରଣ ହୋଇଛି । ତେଣୁ ସିପିଏମ ପକ୍ଷରୁ ସାରା ଦେଶରେ ସତ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଉଛି । ଅକ୍ଟୋବର ୧୦ ରୁ୧୭ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଥିବା ଜଣାପଡିଛି । ଆଜି ବ୍ରହ୍ମପୁରରେ ପ୍ରଥମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଯୋଗଦେଇ କମ୍ୟୁନିଷ୍ଟ ପାର୍ଟିର ଇତିହାସ ସମ୍ପର୍କରେ କହିଥିଲେ ଯେ, ଭାରତର ସାଧାରଣ ଲୋକମାନଙ୍କ ଉପରେ ଶୋଷଣ ଓ କଷଣରୁ ମୁକ୍ତି ସଂଗ୍ରାମର ଇତିହାସ, କମ୍ୟୁନିଷ୍ଟ ପାର୍ଟି ଅନ୍ୟ ରାଜନୈତିକ ଦଳଠାରୁ ଭିନ୍ନ, କ୍ଷମତା ହାସଲ କରିବା କେବଳ ମୂଳ ଲକ୍ଷ୍ୟ ନୁହେଁ । ଦେଶର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ପରିବର୍ତ୍ତନ ପାଇଁ ଏହା ଏକ ସଂଗ୍ରାମ । ସ୍ୱାଧୀନତା ଆନ୍ଦୋଳନ ଠାରୁ ଆଜି ପର୍ଯ୍ୟନ୍ତ ପାର୍ଟି ଏହି ସଂଗ୍ରାମକୁ ଜାରି ରଖିଛି ବୋଲି ସେ ଉଲ୍ଲେଖ କରିଥିଲେ । କମ୍ୟୁନିଷ୍ଟମାନେ କେରଳ, ପଶ୍ଚିମବଙ୍ଗ ଓ ତ୍ରିପୁରାରେ ଯେତେବେଳେ କ୍ଷମତା ପାଇଛନ୍ତି ସେତେବେଳେ ଲୋକଙ୍କ ଆର୍ଥିକ ସାମାଜିକ ଓ ରାଜନୈତିକ ବିକାଶ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି । ଜ୍ୟୋତି ବସୁ, ଇଏମଏସ ନମ୍ରୁଦିପଦ, ମନିକ୍ ସରକାର ହେଉଛି ଏହାର ପ୍ରତୀକ । ଯେତେ ସରକାର ପରିବର୍ତ୍ତନ ହେଲେ ମଧ୍ୟ ଲୋକଙ୍କ ଅବସ୍ଥାରେ ପରିବର୍ତ୍ତନ ହେବ ନାହିଁ ଏହା ଆମ ଦେଶରେ ପ୍ରମାଣିତ ହୋଇଛି।କମ୍ୟୁନିଷ୍ଟ ପାର୍ଟି ଶକ୍ତିଶାଳୀ ହେଲେ ହିଁ ଲୋକଙ୍କ ଅବସ୍ଥାର ପରିବର୍ତ୍ତନ ହେବ । ତେଣୁ ଛାତ୍ର, ଯୁବକ, ଶ୍ରମିକ, କୃଷକ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେବାକୁ ଆହ୍ଵାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ କୈଳାସ ଷଡଙ୍ଗୀ, ବ୍ରହ୍ମପୁର ସମ୍ପାଦକ ଯୁଧିଷ୍ଠିର ବେହେରା, ବସନ୍ତ ନନ୍ଦ, ବିଦ୍ୟାଧର ଜେନା, ହରିକୃଷ୍ଣ ରେଡ୍ଡୀ, ଶିବ ପ୍ରସାଦ ମହାପାତ୍ର, ବାବୁଲା ନାୟକ, ହରି ନାହାକ, ଲୋକନାଥ ରଥ, ପଞ୍ଚାନନ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ଏଥିରେ ବରିଷ୍ଠ ଶ୍ରମିକ ନେତା ପ୍ରତାପ ଚୌଧୁରୀ ସଭାପତିତ୍ୱ କରିଥିଲେ । ଏହି ଅବସରରେ ମୁଜାଫର ଅହମଦଙ୍କ ଦ୍ଵାରା ରଚିତ ଓ କୈଳାଷ ଷଡଙ୍ଗୀଙ୍କ ଦ୍ୱାରା ଅନୁବାଦ କମ୍ୟୁନିଷ୍ଟ ପାର୍ଟିର ଇତିହାସ ପୁସ୍ତକ ଉନ୍ମୋଚନ କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା