ଓଡ଼ିଆ ଲୋକେ ହିଁ ଏଥର ମୁଖ୍ୟମନ୍ତ୍ରୀନବୀନଙ୍କୁ ହରେଇବେ: ଧର୍ମେନ୍ଦ୍ର

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା) ବରଗଡ଼ ଏଥର ଓଡିଶା ନିର୍ବାଚନର ଏକ ପ୍ରମୁଖ ରଣକ୍ଷେତ୍ର ହେବ। ବରଗଡ଼ ଜିଲ୍ଲାରେ ଚାଷୀ ଉତ୍ପୀଡ଼ନ, ପିଇବା ପାଣି, ରୋଜଗାର, ଜଳସେଚନ, ଅଭାବୀ ବିକ୍ରି, ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ଉପ ନିର୍ବାଚନବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତା’ର ଉତ୍ତର ଦେବାର ମଧ୍ୟ ସମୟ ଆସିଛି। ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କୁ ଏଥର ଓଡ଼ିଆ ଲୋକେ ହିଁ ହରେଇବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।ଆଜି ବରଗଡ଼ରେ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କରିବା ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବରଗଡ଼ ଜିଲ୍ଲା ଏଥର ଓଡ଼ିଶା ରାଜନୀତିର ଏକ ବହୁଚର୍ଚ୍ଚିତ ନିର୍ବାଚନ ସାମ୍ନା କରିବାକୁ ଯାଉଛି। ରାଜ୍ୟ ସରକାରଙ୍କ ଅପାରଗତା, ଦୁର୍ନୀତି, ସ୍ଥାଣୁତା, ସମ୍ବେଦନହୀନତା ହିଁ ଏବେ ମୁଖ୍ୟ ପ୍ରଶ୍ନ ହୋଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗତକାଲି ଗୋଟେ ନୂଆ ସୁଆଙ୍ଗ ରଚିଛନ୍ତି। ଭାରତବର୍ଷରେ ଏକ ସ୍ଥିର ସରକାର ଓ ନିର୍ଣ୍ଣାୟକ ସରକାର ନହେଉ ବୋଲି ରାହୁଲ ଗାନ୍ଧି, ମାୟାବତୀ, ଚନ୍ଦ୍ରବାବୁ ନାଇଡୁ, ମମତା ବାନାର୍ଜୀ ଚାହୁଁଛନ୍ତି। ଗତକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି କ୍ଲବରେ ସାମିଲ ହୋଇଛନ୍ତି। ପାକିସ୍ତାନ ସହ ଲଢ଼େଇ କରିବାକୁ ଓ ଗରିବ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ଏକ ମଜଭୁତ ସରକାରର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।