ଓସେପା ଏସପିଡିଙ୍କ ଗଞ୍ଜାମ ଜିଲ୍ଲା ପରିଦର୍ଶନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଓସେପା (ଓଡିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ)ର ଏସପିଡି (ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ) ଅନୁପମ ଶାହ ମଙ୍ଗଳବାର ଗଞ୍ଜାମ ଜିଲା ଗସ୍ତରେ ଆସି ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ସହ ଶିକ୍ଷା ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ଅନୁଧ୍ୟାନ କରିବା ସହ ତଥ୍ୟ ସଂଗ୍ରହ କରିଛନ୍ତି । ଛତ୍ରପୁର ସ୍ଥିତ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟରେ ଥିବା ମଧୁ-ଆପ୍ ଲ୍ୟାବକୁ ଯାଇ ଏସପିଡି ପରିଦର୍ଶନ କରିଥିଲେ । ମଧୁଆପରେ ବିିଭିନ୍ନ ସ୍କୁଲ ପାଠ୍ୟ ବିଷୟକୁ ଶିକ୍ଷକମାନେ ପାଠ ପଢାଉଥିବା ଭିଡିଓକୁ ଅପଲୋଡ୍ କରାଯାଇଥାଏ । ଏହି ଆପ୍ ଖୋଲି ପିଲାମାନେ ପାଠ ପଢିଥାନ୍ତି । ମଧୁ ଆପରେ ପାଠ ପଢାର ଭିଡିଓ ମଧ୍ୟ ଏସପିଡି ଦେଖି ଖୁସି ପ୍ରକଟ କରିବା ସହ ଗଞ୍ଜାମ ଜିଲା ପ୍ରଶାସନକୁ ପ୍ରଂଶସା କରିଥିଲେ । ମଧୁଆପ୍ ଗଞ୍ଜାମ ଜିଲା ପ୍ରଶାସନର ଏକ ନିଜସ୍ୱ ପ୍ରୟାସ ଥିଲା । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ । ଗଞ୍ଜାମ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପ୍ରଧାନ, ସମଗ୍ର ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନିତା ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ଛତ୍ରପୁର ସ୍ଥିତ ସମଗ୍ର ଶିକ୍ଷା ଅଭିଯାନର ଡିପିସି ଅଫିସ ସହ ଅନସ୍ଲୋ ସରକାରୀ ହାଇସ୍କୁଲକୁ ଯାଇ ଏସପିଡି ପରିଦର୍ଶନ କରିଥିଲେ । ଅନସ୍ଲୋ ସରକାରୀ ହାଇସ୍କୁଲରେ ଚାଲିଥିବା ସ୍କୁଲ ରୁୂପାନ୍ତରୀକରଣରେ ସ୍ମାର୍ଟ କ୍ଲାସର ସେ ଅନୁଧ୍ୟାନ କରିଥିଲେ । ହିଂଜିଳିର ଶାସନଆମ୍ବଗାଁ ଓଡିଶା ଆଦର୍ଶ ବିଦ୍ୟାଳୟ, ଗଣ୍ଡଳାର ଗଣେଷ ବିଦ୍ୟାପୀଠ ଓ ହିଂଜଳିର ବୃନ୍ଦାବନ ହାଇସ୍କୁଲରେ ୫ଟି କାର୍ଯ୍ୟକ୍ରମରେ ହୋଇଥିବା ସ୍କୁଲ ରୂପାନ୍ତରୀକରଣରେ କରାଯାଇଥିବା ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସ୍, ସ୍ମାର୍ଟ ଲାବ୍ରୋଟାରୀ ଆଦି ଅନୁଧ୍ୟାନ କରିଥିବା ଜଣାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା