ଓଷ୍ଟାର ପୂର୍ବତନ ସାଧାରଣ ସଂପାଦକ ପରଲୋକ : ଶିକ୍ଷକ ସମାଜରେ ଶୋକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଷ୍ଟାର ପୂର୍ବତନ ରାଜ୍ୟ ସାଧାରଣ ସଂପାଦକ ନିଗମାନନ୍ଦ ପାଣିଗ୍ରାହୀଙ୍କ ଗତ ୨୬ ତାରିଖରେ ୭୦ ବର୍ଷ ବୟସରେ ପରଲୋକ ହୋଇଥିବା ଜାଣି ଆଜି ଜଳେଶ୍ୱର ଅଂଚଳରେ ଶୋକ ପ୍ରକାଶ ପାଇଛି । ଆୟୋଜିତ ଏକ ସ୍ମୃତିସଭାରେ ପୂର୍ବତନ ରାଜ୍ୟ ସଭାପତି ତଥା ସର୍ବଭାରତୀୟ ସ୍କୁଲ ମହାସଂଘର ପୂର୍ବତନ ଉପସଭାପତି ଇନ୍ଦୁ ମାଧବ ମହାନ୍ତି ଏଥିରେ ପୌରହିତ୍ୱ କରିଥିଲେ । ଦିବଂଗତ ପାଣିଗ୍ରାହୀ ୧୯୭୬ ମସିହାରେ ନୀଳଗିରି ରୋଡସ୍ଥିତ ବରୁଣ ସିଂ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ଚାକିରୀ ଆରମ୍ଭ କରି ୨୦୦୬ରେ ପ୍ରଧାନ ଶିକ୍ଷକଭାବେ ମହାରାଜପୁର ହାଇସ୍କୁଲ ଓ ପରେ ସାନପାଟପୁର ହାଇସ୍କୁଲରେ ରହି ୨୦୦୮ରେ ଅବସର ଗ୍ରହଣ କରିଥିଲେ । ଜଣେ ଆଦର୍ଶ ଛାତ୍ରବତ୍ସଳ, ଦୃଢମନା, ନିର୍ଭିକ, ସଂଗ୍ରାମୀ ଶିକ୍ଷକ ନେତା ସୁ ସଂଗଠକ ଭାବେ ରେ ରାଜ୍ୟରେ ପରିଚିତ ଥିଲେ । ୧୯୮୩ ମସିହାରେ ରେମୁଣା ବ୍ଲକ ଶିକ୍ଷକ ସଂଘ ସଂପାଦକ, ୧୯୮୬ରେ ବାଲେଶ୍ୱର ଜିଲା ସଂପାଦକ ଓ ୧୯୯୫ରେ ରାଜ୍ୟ ଓଷ୍ଟା ଶିକ୍ଷା ପ୍ରଦସୀପର ସଂପାଦକ ଓ ୨୦୦୦ ମସିହାରେ ଓଷ୍ଟାର ସାଧାରଣ ସଂପାଦକଭାବେ ନିର୍ବାଚିତ ହୋଇ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ତାଙ୍କ ପରଲୋକ ଖବର ଶୁଣି ବାଲେଶ୍ୱର ଜିଲାର ପୂର୍ବତନ ସଭାପତି ଗିରିଜା କଂକର ମହାନ୍ତି, କିଶୋର କୁମାର ପଣ୍ଡା, କାମରାଜୁ ମହାରଣ, ପ୍ରେମାନନ୍ଦ ଜେନା, ସୁଧାଂଶୁ ବାବୁ, ତ୍ତ୍‌ରଂଜନ ସେନପତି ପ୍ରମୁଖ ଶୋକ ବାର୍ତ୍ତା ପଠାଇଥିବା ବେଳେ ଶଶାଙ୍କ ସେଖର ମହାନ୍ତି, ରମେଶ ଚନ୍ଦ୍ର ନାୟକ, ଅକ୍ଷୟ କୁମାର ମିଶ୍ର, ଅଜିତ୍ କୁମାର ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖି ସମଗ୍ର ଶିକ୍ଷକ ସମାଜ ଜଣେ ସଂଗ୍ରାମୀ ବଂଧୁଙ୍କୁ ହରାଇଲା ବୋଲି କହିବା ସହିତ ଶ୍ରଦ୍ଧା ସୁମନ ପ୍ରଦାନ ଓ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।