ଓଡିଶାରୁ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ପାଇଁ ଏକାଠି ହେବେ ରାଜ୍ୟର ସବୁ କର୍ମଚାରୀ ସଙ୍ଘଠନ : ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କୁତ୍ସିତ ଚୁକ୍ତିଭିତ୍ତିକ ପ୍ରଥା ତଥା ସମାନ କାମକୁ ସମାନ ଦରମା ପ୍ରତିବାଦରେ ଦୀର୍ଘ ତିନି ବର୍ଷ ଧରି ରାଜ୍ୟ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ପକ୍ଷରୁ ଡିଜିଟାଲ ଆନ୍ଦୋଳନ ସହ ଗାନ୍ଧୀ ମାର୍ଗରେ ବହୁ ବାର ଆନ୍ଦୋଳନ କରିଥିଲେ ବି ସରକାର କର୍ଣ୍ଣପାତ କରୁନାହାନ୍ତି । ବିଶ୍ୱ ମହାମାରୀ କରୋନାର ନିୟନ୍ତ୍ରଣ ନିମନ୍ତେ ପ୍ରକୃତ ବିନ୍ଧାଣି ସାଜିଥିବା କରୋନା ଯୋଦ୍ଧାଙ୍କୁ ସରକାର ଖାଲି ନାମକୁ ମାତ୍ର ପ୍ରଶଂସା କରୁଛନ୍ତି । ଓଡ଼ିଶା ସରକାର ଯେତେବେଳେ ଯୁବ ନୀତି-୨୦୧୩ କରିଥିଲେ ସେତେବେଳେ ଆଉ ଏକ ହୀନ ଚୁକ୍ତିଭିତ୍ତିକ ନିଯୁକ୍ତି-୨୦୧୩ ପ୍ରଥା ଓଡ଼ିଶାର ଯୁବକ ଓ ଯୁବତୀ ମାନଙ୍କ ଉପରେ ଲଦି ନିଜର ବର୍ବରତାର ପରିଚୟ ପ୍ରଦାନ କଲେ, ତଥାପି ରାଜ୍ୟର ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ରାଜ୍ୟରେ ଲାଗୁ ହେବାକୁ ଥିବା ସପ୍ତମ ବେତନ କମିଶନକୁ ନେଇ ଯଥେଷ୍ଟ ଆଶାବାଦୀ ଥିଲେ କିନ୍ତୁ ୨୦୧୭ରେ ଲାଗୁ ହେଇଥିବା ସପ୍ତମ ବେତନ କମିଶନରେ ସରକାର ମୂଳ ଦରମାର ମାତ୍ର ୨୫ ପ୍ରତିଶତ ବୃଦ୍ଧି କରି ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଆଶାକୁ ଧୂଳିସାତ କରିବା ସହ ସେମାନଙ୍କ ଭବିଷ୍ୟତକୁ ମଧ୍ୟ ଅନ୍ଧାରକୁ ଠେଲିଦେଲେ; ଯାହାକି ରାଜ୍ୟ ସରକାରଙ୍କ ଏକ ଅସାମ୍ବିଧାନିକ ପଦକ୍ଷେପ । ଏହା ବିରୋଧରେ କର୍ମଚାରୀମାନେ ଅନେକ ଥର ରାଜ ରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିଛନ୍ତି, ଯେଉଁ ଆନ୍ଦୋଳନରେ କି ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗୋଟିଏ ମାସ ପରେ ଆମ କଥାକୁ ବିଚାର କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଏବଂ ଏବେକାର ମୁଖ୍ୟ ସଚିବଙ୍କ ପ୍ରତ୍ରୁଶୃତି ପାଣିର ଗାର ପାଲଟିଯାଇଛି । ପୁନଶ୍ଚ ନିର୍ବାଚନ ପୂର୍ବରୁ ଯେଉଁ ତିନିଜଣିଆ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯାଇଥିଲା ସେ ନେଇ ମଧ୍ୟ ସରକାରଙ୍କ ତରଫରୁ କୌଣସି ରିପୋର୍ଟ ଆସି ନ ଥିଲା । ପୁନର୍ବାର ଅର୍ଥସଚିବ ତୁହିନ କାନ୍ତ ପାଣ୍ଡେ ଏକ ଆଲୋଚନା କରି ୧୫ ଦିନ ମଧ୍ୟରେ ନିହାତି କିଛି ପଦକ୍ଷେପ ନେବେ ବୋଲି କହି ମଧ୍ୟ ପ୍ରତିଶ୍ରୁତି ରଖିଲେ ନାହିଁ । ରାଜ୍ୟର ଏଭଳି ସଙ୍ଗୀନ ପରିସ୍ଥିତିରେ ମୁଖ୍ୟ ସେନା ସାଜିଥିବା କରୋନା ଯୋଦ୍ଧାଙ୍କ ବିଭିନ୍ନ ଦାବି ଯଥା ଚୁକ୍ତିଭିତ୍ତିକ ପ୍ରଥାର ପ୍ରତ୍ୟାହାର ସହ ୬ ବର୍ଷ ଚୁକ୍ତିଭିତ୍ତିକ ଚାକିରୀକୁ ନିୟମିତ ଚାକିରୀରେ ଯୋଗ କରିବା, ସମାନ କାମକୁ ସମାନ ଦରମା, GIS ଏକ କୋଟିକୁ ବୃଦ୍ଧି ଏବଂ କେନ୍ଦ୍ରୀୟ ତଥା ସାର୍ବଜନୀନ କ୍ଷେତ୍ର ସଂଗଠନ ପରି ସ୍ୱାସ୍ଥ୍ୟ ବୀମା ପ୍ରଦାନ ଦାବି ନେଇ ଓଡ଼ିଶାର ସବୁ କର୍ମଚାରୀ ସଙ୍ଘଠନ ଗୋଟିଏ ଛାତ ତଳେ ଏକ ହୋଇ ଆଗାମୀ ଦିନରେ ରଣ ହୁଙ୍କାର ଦେବେ ବୋଲି ସଙ୍ଘ ସଭାପତି ବିଜୟ ମଲ୍ଲ, ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ଜ୍ୟୋତିପ୍ରକାଶ ମହାପାତ୍ର, କିଷାନ ବରାଇ ଏବଂ ସଞ୍ଜୟ ପଟ୍ଟନାୟକ, ସମ୍ପାଦକ କ୍ଷିତିଶ ପଣ୍ଡା, ଶୁଭ୍ରହିତ୍ ପ୍ରତିହାରୀ, ବିଶ୍ୱଜିତ ବିଶ୍ୱାଳ, ଉପସଭାପତି ପ୍ରଭାସ ଭୋଇ, ଦେବଦତ ସ୍ୱାଇଁ, ଜୀବନ ମହାନ୍ତି, ଯୁମ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର, ସ୍ୱାଗତ ନନ୍ଦ, ସୁରେଶ ମହାନ୍ତି, ଦେବାଶିଷ ନାୟକ, ରାଜେନ୍ଦ୍ର ମଲ୍ଲିକ, ସନ୍ତୋଷ ଗୌଡ଼, ଅମୂଲ୍ୟ କୁମାର ଭାରିମଲ୍ଲ, ଅନିତା ବେହେରା, ଲୋଜାଳିନ ପଣ୍ଡା, ଅଳକା ମହାନ୍ତି, ରଶ୍ମି ଦାଶ ପ୍ରମୁଖ ପ୍ରେସ ବ୍ରିବୃତିରେ କହିଛନ୍ତି ବୋଲି ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ସଭାପତି ବିଜୟ ମଲ୍ଲ ଜଣାଇଛନ୍ତି ।