ଏ.ପି.ଜେ. ଅବଦୁଲକାଲାମ୍ ଜନକଲ୍ୟାଣ ପରିଷଦ ପକ୍ଷରୁ ସମୃଦ୍ଧ ଓଡିଶା ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା…

ଛତ୍ରପୁର (ସମୃଦ୍ଧ ଓଡିଶା) ଜାତୀୟ ବିପର୍ଯ୍ୟୟ କୋଭିଡ୍ କଟକଣା ସମୟରେ ସାହାସିକତା ପ୍ରଦର୍ଶନ କରି କରୋନା ମୁକାବିଲା ପାଇଁ ଲାଗିପଡିଥିବା ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସମେତ ସମୃଦ୍ଧ ଓଡିଶାର ଜିଲ୍ଲା ପ୍ରତିନିଧି ସାମ୍ବାଦିକ ନିମାଇଁ ଚରଣ ପଣ୍ଡାଙ୍କୁ ନିର୍ଭିକ ଓ ସତ୍ୟ ସମ୍ବାଦ ସଂଗ୍ରହ କରିଥିବାରୁ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଏପିଜେ ଅବଦୁଲ କଲାମ ଜନକଲ୍ୟାଣ ପରିଷଦ ଆଜି ତାଙ୍କୁ କରୋନା ଯୋଦ୍ଧା ହିସାବରେ ଉପଢୌକନ ଦେଇ ସମ୍ମାନିତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସ୍ଥାନୀୟ ଶିବରାମ ପଟ୍ଟନାୟକ ରିଡିଂରୁମ୍ ପରିସରରେ ଖଲ୍ଲିକୋଟ ଅଞ୍ଚଳର ଡଃ ଏ.ପି.ଜେ. ଅବଦୁଲକାଲାମ୍ ଜନକଲ୍ୟାଣ ପରିଷଦ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି । ଏଥିରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କରୋନା ମହାମାରୀ ସମୟରେ କରୋନା ଯୋଦ୍ଧାମାନଙ୍କ ନିଷ୍ଠାପର ସେବାକୁ ଭୂୟଶ୍ରୀ ପ୍ରଶଂସା କରିଛନ୍ତି । ଜାତୀୟ ସ୍ତରରୁ ଜିଲ୍ଲା ଯାଏଁ କରୋନା ସଚେତନ ଓ ନିୟନ୍ତ୍ରଣରେ ସହଯୋଗିତାରେ ସାମ୍ବାଦିକମାନଙ୍କ ଭୂମିକା ଅତୁଳନୀୟ ବୋଲି ମୁଖ୍ୟ ଅତିଥି ପ୍ରଶଂସା କରିଛନ୍ତି । ଜିଲ୍ଲା ପ୍ରଶାସନର ପ୍ରତିଟି ପଦକ୍ଷେପକୁ ଜନସାଧାରଣଙ୍କୁ ସଚେତନତା ଦିଗରେ ସାମ୍ବାଦିକମାନେ ଜୀବନକୁ ବାଜି ଲଗାଇ ବେଶ୍ ସେବା ଯୋଗାଇଛନ୍ତି ବୋଲି ମଧ୍ୟ ମୁଖ୍ୟ ଅତିଥି କହିଛନ୍ତି । ସେହିମାନଙ୍କୁ ସମ୍ବର୍ଦ୍ଧନା କରାଯାଉଥିବାରୁ ସେ ନିଜକୁ ଧନ୍ୟ ମନେ କରିଥିବା ପ୍ରକାଶ କରିଛନ୍ତି । ରମ୍ଭା ବନ୍ୟ ବିଭାଗର ରେଞ୍ଜର ରଶ୍ମିତା ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଆୟୋଜକ ଓ ସମ୍ବର୍ଦ୍ଧିତ କରୋନା ଯୋଦ୍ଧାମାନଙ୍କ ପ୍ରତି ସମ୍ମାନ ଜଣାଇ କୃତଜ୍ଞତା ଜ୍ଞାପନ କରିଥିଲେ । ଡଃ.ଏ.ପି.ଜେ. ଅବଦୁଲକାଲାମ୍ ଜନକଲ୍ୟାଣ ପରିଷଦର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା, ଉପସଭାପତି ବିଦୁପ୍ରଭା ରଥ, ପୂର୍ବତନ କାଉନସିଲର ଶକୁନ୍ତଳା ବେହେରା ପ୍ରମୁଖ ମଞ୍ଚାସୀନ ରହି ଯୋଦ୍ଧାମାନଙ୍କ ସାହାସିକତା କାର୍ଯ୍ୟକ୍ରମ ପ୍ରତି ପ୍ରଶଂସା କରିଥିଲେ । ଶିକ୍ଷୟିତ୍ରୀ ଅଞ୍ଜନା କୁମାରୀ ବେହେରା ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯେଉଁମାନେ କରୋନା ଯୋଦ୍ଧା ହିସାବରେ କାର୍ଯ୍ୟ କରିଛନ୍ତି ସେଭଳି ବ୍ୟକ୍ତି ମାନଙ୍କୁ ବିଶେଷ କରି ଛତ୍ରପୁର ଓ ଖଲ୍ଲିକୋଟ ଅଞ୍ଚଳର ସାମ୍ବାଦିକ ଓ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିରେ ସମୃଦ୍ଧ ଓଡିଶା ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିବାରୁ ସମୃଦ୍ଧ ଓଡିଶା ପରିବାର କୃତଜ୍ଞତା ଜଣାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା