ଏସଏମଆଇଟିର ହିଞ୍ଜିଳିକାଟୁ ଠାରେ ସ୍ଥାପିତ ବୃନ୍ଦାବନ ନାୟକ ଇଂଲିସ ମିଡିୟମ ସ୍କୁଲର ୧୩ତମ ବାର୍ଷିକ ଉତ୍ସବ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଏସଏମଆଇଟି ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ଦ୍ୱାରା ହିଞ୍ଜିଳିକାଟୁ ଠାରେ ସ୍ଥାପିତ ବୃନ୍ଦାବନ ନାୟକ ଇଂଲିସ ମିଡିୟମ ସ୍କୁଲ ପରିସର ମଧ୍ୟରେ ଫେବୃୟାରୀ ୭ ତାରିଖ ଶୁକ୍ରବାର ଦିନ ଅନୁଷ୍ଠାନର ସଭାପତି ଡ଼. ଭଗବାନ ଗନ୍ତାୟତଙ୍କ ଅଧ୍ୟକ୍ଷତାରେ ୧୩ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡ଼.ଗନ୍ତାୟତ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ ବୃନ୍ଦାବନ ନାୟକଙ୍କ ଗୁଣଗାନ କରିଥିଲେ ଏବଂ କହିଲେ ଯେ, ଏହି ଅଞ୍ଚଳର କର୍ମବୀର ସ୍ୱର୍ଗତ ବୃନ୍ଦାବନ ନାୟକଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏସଏମଆଇଟି ପ୍ରତିଷ୍ଠାନ ଦ୍ୱାରା ଏଠାରେ ଇଂଲିସ ମିଡିୟମ ସ୍କୁଲ ୨୦୦୭ ମସିହାରେ ପ୍ରତିଷ୍ଠା କରାଯାଇ ଏହାର ନିଜସ୍ୱ ଜମି ଓ କୋଠାବାଡି, କୋମଳମତି ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଯୁକ୍ତ ଶିକ୍ଷକ ଓ ସିବିଏସଇ ଶିକ୍ଷାଦାନ ପ୍ରଣାଳୀରେ ଶିକ୍ଷାଦାନ ଆରମ୍ଭ କରାଯାଇଛି । ଯାହାଦ୍ୱାରା ଏହି ଅଞ୍ଚଳର ବହୁଦିନର ଆଶା ସଫଳ ହୋଇପାରିଛି । ଡ଼.ଗନ୍ତାୟତ କୋମଳମତି ଶିଶୁ ମାନଙ୍କ ବିକାଶ ଓ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ଵଳ କାମନା କରିଥିଲେ । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ଗୋପୀନାଥ କୁଅଁର ଓ ମୁଖ୍ୟବକ୍ତା ଭାବେ ସ୍ଥାନୀୟ ଗୋଷ୍ଟି ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡା ଯୋଗଦାନ କରି ଉଦବୋଧନ ଦେଇଥିବା ବେଳେ ଅତିଥି ଭାବେ ଅନୁଷ୍ଠାନର ସମ୍ପାଦକ ଜାମୁଲା ଶଙ୍କର ନାରାୟଣ ଓ ଯୁଗାମ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ଯୋଗ ଦେଇଥିଲେ । ସ୍କୁଲର ଅଧ୍ୟକ୍ଷ ଭାଲଚନ୍ଦ୍ର ଷଡ଼ଙ୍ଗୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ଶିକ୍ଷୟତ୍ରୀ ରାଧାରାଣୀ ସାମନ୍ତରା, ଲିଲି ରାଣୀ ନାୟକ, ସନ୍ତୋଷିନୀ ମହାନ୍ତି, ଜ୍ୟୋତ୍ସାରାଣୀ ସାହୁ, ସୁରେଶ ଚନ୍ଦ୍ର ମହାନ୍ତି, ନିରୁପମା ସାହୁ, ରଶ୍ମିତା ରାଣୀ ପ୍ରମୂହ ଉତ୍ସବକୁ ପରିଚାଳନାରେ ସହାୟତା କରିଥିଲେ । ଅନୁଷ୍ଠାନର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

ରିପୋର୍ଟ : ରବି ପଟ୍ଟନାୟକ, ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା,