ଏପ୍ରିଲ ୩୦ଯାଏଁ ରାଜ୍ୟ ବଢ଼ାଇଲା ଲକ୍‌ଡାଉନ୍‌ ଅବଧି…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏପ୍ରିଲ ୩୦ ଯାଏଁ ଲକ୍ ଡାଉନ୍ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତା ଜାରି କରି ରାଜ୍ୟବାସୀଙ୍କୁ ସଚେତନ କରିଛନ୍ତି । ଏପ୍ରିଲ ୩୦ ଯାଏଁ ଲକ୍ ଡାଉନ ବୃଦ୍ଧି ପାଇଁ କେନ୍ଦ୍ରକୁ ସୁପାରିଶ କରାଯିବା ସହ ଏପ୍ରିଲ ୩୦ ଯାଏଁ ଟ୍ରେନ ଓ ବିମାନ ସେବା ମଧ୍ୟ ବନ୍ଦ କରିବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ ବୋଲି ସୂଚନା ଦିଆଯାଇଛି । କରୋନା ପାଇଁ ପ୍ରଧାନ ମନ୍ତ୍ରୀ ଘୋଷଣା କରିଥିବା ୨୧ଦିନିଆ ଲକ୍‌ଡାଉନ୍‌ ଅବଧି ଆସନ୍ତା ଏପ୍ରିଲ ୧୪ ତାରିଖରେ ସରୁଥିବା ବେଳେ ବିଭିନ୍ନ ରାଜ୍ୟ ମୁଖ୍ୟ ଏବଂ ବିଶେଷଜ୍ଞମାନେ ଲକ୍‌ଡାଉନ୍‌ ଅବଧି ବଢ଼ାଇବା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ । ତେଣୁ ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧି ବଢ଼ାଇବା ନେଇ ବିଚାର କରୁଥିବା ସରକାରୀ ସୂତ୍ରରୁ ଜଣାପଡ଼ିଥିଲା । ଗତକାଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରି ଦେଶରେ କରୋନା ନିୟନ୍ତ୍ରଣ ପାଇଁ ଲକ୍‌ଡାଉନ୍‌ ଅବଧି ବଢ଼ାଇବାକୁ କହିଥିଲେ । ଲକ୍‌ଡାଉନ୍‌ ହଟିଲେ ଦେଶରେ ଅନେକ ଜୀବନହାନି ହେବ ବୋଲି ଶ୍ରୀ ରାଓ କହିଥିଲେ । ତାଙ୍କ ପୂର୍ବରୁ ଉତ୍ତରପ୍ରଦେଶ ସରକାର ବି ୧୪ ତାରିଖରେ ଲକ୍‌ଡାଉନ୍‌ ହଟିବନି ବୋଲି ପୂର୍ବରୁ ସୂଚାଇ ଦେଇଥିଲେ । ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡ଼ୁ ଆଜି କହିଥିଲେ ଯେ, ଲକ୍‌ଡାଉନ୍‌ର ଶେଷ ସପ୍ତାହ ଅତ୍ୟନ୍ତ ଚିନ୍ତାଜନକ । କରୋନା ଭାଇରସ୍‌ ବ୍ୟାପିବା ତଥ୍ୟକୁ ଆଧାର କରି ସରକାର କିଛି ନିଷ୍ପତ୍ତି ନେ‌ବେ । ଯେହେତୁ ଦେଶର ପରିସ୍ଥିତି ଗମ୍ଭୀର ଅଛି ସେଥିପାଇଁ ସରକାର ଯେ କୌଣସି ନିଷ୍ପତ୍ତି ନେଲେ ବି ସମସ୍ତ ଲୋକେ ଏହାକୁ ମା‌ନିନେବା ପାଇଁ ନାଇଡ଼ୁ ଅନୁରୋଧ କରିଛନ୍ତି ।

ରିପୋର୍ଟ : ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ପଣ୍ଡା