ଏପ୍ରିଲ ୧୬ରେ ଜଳେଶ୍ୱରର ରେଳରୋକ ଆନ୍ଦୋଳନ ୧୫ ଦିନ ପାଇଁ ସ୍ଥଗିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଭିନ୍ନ ରାଜନୈତିକ ଦଳ ଓ ଗଣ ସଂଗଠନର ସମୂହ ନିଷ୍ପତ୍ତି କ୍ରମେ କୋଭିଡ୍-୧୯ ପୂର୍ବରୁ ଚାଲୁଥିବା ସମସ୍ତ ପାସେଞ୍ଜର, ଏକ୍ସପ୍ରେସ ଓ ସୁପରଫାଷ୍ଟ ଟ୍ରେନ ଯଥାରୀତି ଚାଲିବାର ଦାବିରେ ଜଳେଶ୍ବର ରେଳ ଷ୍ଟେସନ ସମ୍ମୁଖରେ ଆସନ୍ତା ତା-୧୬/୦୪/୨୨ରିଖ  ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ରେଳରୋକ ଅନୁଷ୍ଠିତ ହେବା ପାଇଁ ଜଳେଶ୍ୱର ଡେଭଳ୍ପମେଣ୍ଟ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇ ଗତ ୧୨ ତାରିଖରେ ରେଳ କର୍ତ୍ତୃପକ୍ଷଙ୍କୁ ଏକ ଦାବିପତ୍ର ମାଧ୍ୟମରେ ଅବଗତ କରା ଯାଇଥିଲା । ଏହି ରେଳରୋକ ସମ୍ପର୍କରେ ଦାବିପତ୍ର ପାଇବା ପରେ ଗତକାଲି ଅପରାହ୍ନରେ ଖଡ଼ଗପୁର ରେଳ ଡିଭିଜନର ଏସିଏମ ଆଶୁତୋଷ ସିଂ, ଏଏସସି ପ୍ରଭୁନାଥ ତିୱାରୀ, ବାଲେଶ୍ବର ଆରପିଏଫ ଇନ୍ସପେକ୍ଟର ସଂଜୀବ କୁମାର ସିନ୍ହା, ସିଆଇ ଶୁଭଙ୍କର ରାଉଳ ପ୍ରମୁଖ ବରିଷ୍ଠ ପଦାଧିକାରୀ ମାନେ ଜଳେଶ୍ବର ଆସି ଅପରାହ୍ନ ୪.୩୦ ମିନିଟ ସମୟରେ ଜଳେଶ୍ୱର ଷ୍ଟେସନର ୧ନମ୍ୱର ପ୍ଲାଟଫର୍ମରେ ଥିବା ଡର୍ମିଟୋରୀ ଭବନ ପରିସରରେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନଙ୍କ ସହିତ ବିଭିନ୍ନ ଦାବୀ ସମ୍ପର୍କରେ ଆୟୋଜିତ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି ବୈଠକରେ ଖଡ଼ଗପୁର ରେଳ ଡିଭିଜନର ଏସିଏମ ଆଶୁତୋଷ ସିଂ ଡିଆରଏମ ମନୋରଞ୍ଜନ ପ୍ରଧାନଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରି ଖଡ଼ଗପୁର-ଖୋର୍ଦ୍ଧା ରୋଡ ଫାଷ୍ଟ ପାସେଞ୍ଜର ଟ୍ରେନ ଓ ପୂର୍ବ ନିର୍ଦ୍ଧାରିତ ସମୟ ସାରଣୀ ଅନୁଯାୟୀ ଖଡ଼ଗପୁର-ଭଦ୍ରକ ମେମୁ ଟ୍ରେନ ଚଳାଚଳ ପାଇଁ ଲିଖିତ ସମ୍ମତି ପ୍ରଦାନ କରିଥିଲେ । ଆଜି ପୂର୍ବାହ୍ନରେ ଷ୍ଟେସନ ପରିସରରେ ଜଳେଶ୍ୱର ୟୁଜର୍ସ କମିଟି ସଭାପତି ସୁକୁମାର ରଣା ଓ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସମ୍ପାଦକ ଡ.ଲଳିତ ରଞ୍ଜନ ସେନାପତିଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡ଼ଃ ରମାକାନ୍ତ ଭଞ, ଅରୁଣ କୁମାର ବେଜ, ପୂର୍ଣ୍ଣ ଚନ୍ଦ୍ର ପାତ୍ର, ସୁଦର୍ଶନ ଦାସ, ସୀତାଂଶୁ ସେନାପତି, ଦିଲ୍ଲୀପ କୁମାର ଗିରି, ଭାଗବତ ଚନ୍ଦ୍ର ପରିଡ଼ା, ଭାସ୍କର ଚନ୍ଦ୍ର ମିଶ୍ର, ରିୟାଜ ଖାଁ, ଆଶିଷ ଦତ୍ତ, ସୁଧୀର କୁମାର ମହାନ୍ତି, ଅପର୍ଣ୍ଣା ଚୌଧୁରୀ, ସୌଭିକ କୁମାର ଜେନା, ମାନସ ବାର୍ଡ, ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ କର୍ମକର୍ତ୍ତା ଯୋଗ ଦେଇ ଆସନ୍ତା ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ୧୫ ଦିନ ପାଇଁ ଏହି ରେଳ ରୋକ ଆନ୍ଦୋଳନ କୁ ସ୍ଥଗିତ ରଖିବା ପାଇଁ ନିଷ୍ପତି ନେଇଥିଲେ । ଏହି ସମୟ ମଧ୍ୟରେ ଦାବି ପୂରଣ ନ ହେଲେ ମେ ମାସ ପ୍ରଥମ ସପ୍ତାହରେ ଜଳେଶ୍ୱର ଷ୍ଟେସନରେ ରେଳ ରୋକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ରିପୋର୍ଟ : ଭୂପତି ପରିଡା