ଏଣିକି ଟୋକନ୍‌ଧାରୀ ଚାଷୀଙ୍କଠାରୁ ଆକଳନ ସମସ୍ତ ଧାନ ସରକାର କିଣିବେ : ଡିଆର୍‌ସିଏସ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ସମସ୍ତ ସମବାୟ ସମିତିରେ ପଂଜିକରଣ କରିଥିବା ସମସ୍ତ ଚାଷୀ ଟୋକନ୍ ପାଇବା ସହିତ ସେମାନଙ୍କର ଆକଳନ କରାଯାଇଥିବା ସମସ୍ତ ଧାନ ସରକାର କିଣିବେ ବୋଲି ଆଜି ବାଳେଶ୍ୱର ପ୍ରଶାସନ ପକ୍ଷରୁ ରାଇବଣିଆ ଠାରେ ଚାଷୀମାନଙ୍କୁ ପ୍ରତିଶୃତି ଦିଆଯାଇଛି । ଘଟଣାରୁ ପ୍ରକାଶ, ଜିଲା ପ୍ରଶାସନ ସମବାୟ ସମିତିର ଚାଷୀଙ୍କୁ ପଂଜିକରଣ କରିବା ପରେ ସେମାନଙ୍କୁ ଯୋଗାଣ ବିଭାଗ ଓ ଆର୍‌ସିଏସ୍ ମିଳିତଭାବେ ଜମିର ପରିମାଣକୁ ଲକ୍ଷ୍ୟକରି ଟୋକନ୍ ପ୍ରଦାନ କରିବାର ସହିତ କେତେ ଧାନ କ୍ରୟ କରିବେ ତାହା ପୂର୍ବପରି ମୋବାଇଲ୍‌ରେ ଚାଷୀଙ୍କୁ ଜଣାଇ ଦିଆଯିବ । ରାଇବଣିଆ ସମବାୟ ସମିତିରେ ଚଳିତବର୍ଷ ୪ଶହ ଜଣ ଚାଷୀ ଧାନ ବିକ୍ରିଲାଗି ଟୋକନ୍ ପାଇଥିବା ବେଳେ ସେମାନଙ୍କଠାରୁ ୨୭୫୨୭ କ୍ୟୁଣ୍ଟାଲ ଧାନ କିଣିବାକୁ ଥିବାବେଳେ ମାତ୍ର ୧୮୮ଜଣ ଚାଷୀଙ୍କ ଠାରୁ ୯୩୯୮ କ୍ୟୁଣ୍ଟାଲ ଧାନ କ୍ରୟ କରାଯାଇଛି । ଫଳରେ ୨୧୨ଜଣ ଚାଷୀ ପ୍ରୟ ୧୮ହଜାର କ୍ୟୁଣ୍ଟାଲ ଧାନ ବିକ୍ରି କରିପାରିନାହାନ୍ତି । ତେଣୁ ସେମାନେ ପର୍ଯ୍ୟୟକ୍ରମେ ୩ଥର ଆନ୍ଦୋଳନ କରିବା ଓ ବିଭିନ୍ନ ସମୟରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ଆସିଛନ୍ତି । ଗତ ୩୧ ତାରିଖ ଦିନ ସେମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆନ୍ଦୋଳନରେ ବସିଥିଲେ ମଧ୍ୟ ପ୍ରଶାସନୀକ ଅଧିକାରୀ ସେମାନଙ୍କ ନିକଟକୁ ନ ଆସିବାରୁ ସମାଜସେବୀ ସୁଦର୍ଶନ ଦାସ ଘଟଣାସ୍ଥଳରେ ପହଞ୍ଚି ଏଡିଏମ୍‌, ପୂର୍ବତନ ଉପଜିଲାପାଳ, ଡିଆର୍‌ସିଏସ୍‌, ଏପରିକି ଖାଦ୍ୟମନ୍ତ୍ରୀଙ୍କ ପିଏଙ୍କ ସହ ଆଲୋଚନା କରିଥିଲେ । ଆଜି ସବିଶେଷ ଆଲୋଚନା ହେବ ବୋଲି ସ୍ଥିର ହୋଇଥିଲା । ଘଟଣାସ୍ଥଳକୁ ଡିଆର୍‌ସିଏସ୍ ବିଜୟ କୁମାର ରାଉଳ, ଏସିଏସ୍‌ଓ ଅଜୟ କୁମାର ମଲ୍ଲିକ, ଏମ୍‌ଆଇ ସାଗରିକା ରାଉତରାୟ ଆଜି ଦ୍ୱିପ୍ରୟରେ ରାଇବଣିଆ ସେବା ସମବାୟ ସମିତି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁକୁମାର ଘୋଷ, ସମିତି ସଦସ୍ୟ ଦିଗାମ୍ବର ଦାସ, ନୃସିଂହ ଜେନା, ସଂଜୟ ଜେନା, ଶଂକର ଘୋଷ, ପୂର୍ବତନ ଜିଲାପରିଷଦ ସଦସ୍ୟ ସୁଧାଂଶୁ ଘୋଷ, ଗୋକୁଳାନନ୍ଦ ଘୋଷ, ବିଶ୍ୱନାଥ ପରିଡା, ଚନ୍ଦ୍ରଶେଖର ଘୋଷ, ଅଶୋକ ଶୁକ୍ଳା ପ୍ରମୁଖ ଆଲୋଚନା ବେଳେ ଉପସ୍ଥିତ ଥିଲେ । ଏଣିକି ଟୋକନ୍ ‌ପାଇଥିବା ସମସ୍ତ ଚାଷୀଙ୍କ ସମସ୍ତ ଧାନ କିଣିଯିବା ସଂପର୍କରେ ଚାଷୀମାନଙ୍କୁ ସେମାନେ ପ୍ରତିଶୃତି ଦେଇଥିଲେ ।