ଏକ ଦମନଶୀଳ ରାଷ୍ଟ୍ର ଗଠନର ମୂଳ ମନ୍ତ୍ର….

ମଣିଷ ସମାଜରେ ଶାସକ ଶାସିତ ବ୍ୟବସ୍ଥା ପ୍ରଚଳନର ଅୟମାରମ୍ଭ ଏକ କ୍ରୁର ମାନସିକତାରୁ ଉଦ୍ଧୃତ ହୋଇ ବର୍ତ୍ତମାନର ପରିସ୍ଥିତି ବିଷୟ ବ୍ୟାଖ୍ୟା କରିବା ଆବଶ୍ୟକତା ନଥିବା ଅନୁଭବ ହୁଏ ଆମର । ମଣିଷର ଜନ୍ମଦାତ୍ରୀ ପ୍ରକୃତି କୌଣସି ଭେଦଭାବ ସୃଷ୍ଟିର ନିୟାମକ ମଧ୍ୟରେ ରଖିନଥିବା ବେଳେ ଅମାନୁଷିକ ଭାବଧାରା ହେତୁ ମଣିଷ ସମାଜରେ ବ୍ୟାପକ ଗୋଷ୍ଠୀ, ସାମ୍ପ୍ରଦାୟୀକ ମନୋଭାବ ସୃଷ୍ଟି କରିବାରେ କିଛି କ୍ରୁର ଚତୁରଙ୍କ ସ୍ଥାନ ଶୀର୍ଷରେ । ମଣିଷର କାର୍ଯ୍ୟକଳାପ ତଥା ଜନ୍ମଗତ ଚରିତ୍ର, ଆଚରଣ ଗୁଡିକୁ ଲକ୍ଷ କରି ପ୍ରଥମେ ଗୋଷ୍ଠୀଗତ ଏବଂ ତା’ପରେ ସାମ୍ପ୍ରଦାୟୀକ ମନୋଭାବ, ଭେଦଭାବ ସୃଷ୍ଟି ହେଲା । ପରବର୍ତ୍ତୀ ସମୟରେ ସେହି ସାମ୍ପ୍ରଦାୟୀକ ତଥା ଗୋଷ୍ଠୀ ମଧ୍ୟରେ କିଛି ଅନୈତିକ ବିଚାରଧାରା ଜନିତ ବାହୁବଳୀ ମାନେ ସାଧାରଣ ନୀରିହଙ୍କ ଉପରେ ପ୍ରକୋପ ସାଧନ କରି ସେମାନଙ୍କୁ ଦମନ କରି ରଖିବା ପ୍ରୟାସ ଆରମ୍ଭ କଲେ ! କାଳକ୍ରମେ ସେହି ଦମନ ଲୀଳାର ରୂପାନ୍ତରୀଣ ଫଳାଫଳ ସଦୃଶ୍ୟ ସେମାନଙ୍କୁ ଯୋର ଦେଖାଇ କିଛି ନିଜସ୍ୱ ସ୍ୱାର୍ଥ ହାସଲ କରିବା ଦିଗରେ ସେମାନେ କୃତକାର୍ଯ୍ୟ ହେଲେ । ପୁଣି ଧୀରେ ଧୀରେ ସେମାନଙ୍କ ଠାରୁ ଖଜଣା ଆଦାୟ କରି ନିଜର ପ୍ରାଚୁର୍ଯ୍ୟ ବୃଦ୍ଧି କରିବା ସାଙ୍ଗକୁ ପ୍ରଖର ଆକ୍ରମଣ ପୂର୍ବକ ଦମନଲୀଳା ଆରମ୍ଭ କରନ୍ତେ ପ୍ରାଚୀନ ମଣିଷ ସମାଜରେ ଆରମ୍ଭ ହେଲା ରାଜତନ୍ତ୍ର । ସାଧାରଣ ନୀରିହଙ୍କ ଉପରେ ବ୍ୟାପକ ପ୍ରକୋପ ନ୍ୟସ୍ତ କରି ସେମାନଙ୍କ ମଧ୍ୟରେ ରହିଥିବା ପ୍ରେମ ଭାବକୁ ଖଣ୍ଡ ବିଖଣ୍ଡିତ କରି ଗୋଷ୍ଠିଗତ, ସମ୍ପ୍ରଦାୟୀକ ବିଚାରଧାରାକୁ ତୀବ୍ରତର କରି କ୍ରୁର ବାହୁବଳୀ ମାନେ ନିଜକୁ ରାଜା ରୂପରେ ସଜାଇ ଶାସନ କରିବାକୁ ଲାଗିଲେ ସମାଜରେ । ଇତି ମଧ୍ୟରେ ସେମାନଙ୍କ ପିଢ଼ିକୁ ପିଢ଼ି ସେହି ରାଜଗାଦିରେ ବସି ଶାସନ ଭାର ତୁଲାଉଥିବା ବେଳେ କେଉଁ ସମୟରେ କିପରି ମନୋଭାବ ପରାୟଣ ରାଜା ସୃଷ୍ଟି ହୋଇ ସମାଜରେ କେତେଯେ ଭିନ୍ନ ଭିନ୍ନ ଚରିତ୍ର ପ୍ରବାହ କରିଥିବା କୁହେ ଆମ ଇତିହାସ । ଏହିଭଳି ଶହ ଶହ ବର୍ଷ ଧରି ବିଭିନ୍ନ ରାଜାମାନଙ୍କ ଦ୍ୱାରା ଶାସିତ ହୋଇ ଆସୁଥିବା ସାଧାରଣ ନିରୀହ ମାନଙ୍କ ଏକ ପ୍ରକାର ଚାରିତ୍ରିକ ମାନ୍ୟତା ସୃଷ୍ଟି ହେଲା ଯେ ସେମାନେ ଶାସକ ଆଉ ଆମେ ଶାସିତ, ନିଷ୍ପେସିତ ହୋଇ ରହିବା ପ୍ରାବଧାନ ହୁଏତ ରଖିଛି ଜନ୍ମଦାତ୍ରୀ ଯାହା ସମସ୍ତେ ଗ୍ରହଣ କରିବାକୁ ବାଧ୍ୟ । ନହେଲେ ସାଧାରଣାରୁ ଆରମ୍ଭ କରି ମୁଣ୍ଡ କାଟ ପର୍ଯ୍ୟନ୍ତ ଦଣ୍ଡ ବିଧାନକୁ ସ୍ୱୀକାର କରିବାକୁ ପଡିବ । ଏହିଭଳି ମାନସିକତା ମଣିଷ ମନରେ ସୃଷ୍ଟି ହୋଇ ତାହାର କିଂଚିତ ରୂପାନ୍ତରିତ ଭାବଧାରା ପ୍ରଚଳିତ ହେଉଥିବା ବେଳେ ସେହି ଶାସକ, ଶାସିତଙ୍କ ସମ୍ପର୍କ ପ୍ରାୟତଃ ସମାନ ରହିଛି ଅଦ୍ୟାବଧି । ପୃଥିବୀ ପୃଷ୍ଠରେ ଏକ ଚତୁର ଗୋଷ୍ଠୀ, ବ୍ରିଟିଶ ମାନଙ୍କ ଦ୍ୱାରା ପ୍ରଚଳିତ ଏକ ନୂତନ ଶାସନ ବ୍ୟବସ୍ଥା ବିଶ୍ୱର ପ୍ରାୟତଃ ଅନେକ ଦେଶରେ ଦେଖିବାକୁ ମିଳିବ ଆଜି ସମୟରେ । ରାଜାମାନେ ନିଜ ନିଜ ରାଜ୍ୟ ସୀମାରେଖା ମଧ୍ୟରେ ଶାସନ କରୁଥିବା ବେଳେ ଏହି ବ୍ରିଟିଶ ଗଣତନ୍ତ୍ର ବ୍ୟବସ୍ଥା ପ୍ରତି ସାଧାରଣ ମଣିଷଙ୍କ ଆକୃଷ୍ଠଭାବ ଆଲୋଡିତ କରିବାରେ ସିଦ୍ଧହସ୍ତ ହୋଇଥିଲେ ସେମାନେ । ତେଣୁ ସେମାନେ ସେମାନଙ୍କ ଶାସନ ଚଳାଇ ପ୍ରାୟତଃ ବଶ୍ୱବାସୀଙ୍କୁ ଏକ ରୂପାନ୍ତରିତ ଶାସନ ବ୍ୟବସ୍ଥା ଶିକ୍ଷା ଦେଇଥିଲେ ଯାହା ଅଦ୍ୟାବଧି ସାରା ବିଶ୍ୱରେ ପ୍ରଚଳିତ ହେଉଥିବା ସମସ୍ତେ ଜାଣନ୍ତି । କିନ୍ତୁ ସେମାନଙ୍କ ଦ୍ୱାରା ପ୍ରଚଳିତ ଗଣତନ୍ତ୍ର ବ୍ୟବସ୍ଥାଯେ କେବଳ କହିବାକୁ ଗଣତନ୍ତ୍ର କିନ୍ତୁ ପରୋକ୍ଷରେ ରାଜତନ୍ତ୍ର ଠାରୁ ଯଥେଷ୍ଟ କଠୋର, ଏହି କଥା ଆଜି ପର୍ଯ୍ୟନ୍ତ କାହା ମନରେ ଜାଗରିତ ହେଉଥିବା ଦେଖା ଯାଉ ନାହିଁ । ଏହା ପଛରେ ରହିଥିବା ରହସ୍ୟ ଅଦ୍ୟାବଧି ରହସ୍ୟମୟ ହୋଇ ରହିଛି ସମସ୍ତଙ୍କ ମନରେ । ଇତି ମଧ୍ୟରେ କେତେକ କଠୋରପନ୍ଥୀ କ୍ରୁର ଶାସନକ୍ଷମ ମଣିଷ ସମଗ୍ର ବିଶ୍ୱକୁ ନିଜ ଅକ୍ତିଆରକୁ ଆଣି ଶାସନ କରିବା ଲକ୍ଷ ରଖି ସମାଜରେ ଅନେକ ବ୍ୟଭିଚାର କରିଥିବା ପ୍ରାୟତଃ ସମସ୍ତଙ୍କର କିଛି କିଛି ଐତିହାସିକ ଜ୍ଞାନ ରହିଛି । ସେମାନଙ୍କ ଦ୍ୱାରା ପ୍ରଚଳିତ କଠୋର ନୀତି ଗୁଡିକୁ କାଳକ୍ରମେ ବ୍ରିଟିଶ ଶାସନ ବ୍ୟବସ୍ଥାରେ ମିଶାଇ ଏକ କଳୁଷିତ ଗଣତନ୍ତ୍ର ବ୍ୟବସ୍ଥା ଆରମ୍ଭ ହୋଇଥିଲା କୌଣସି ଗୋଟିଏ ସମୟରେ ଯାହା ଏପର୍ଯ୍ୟନ୍ତ ଅନେକ ଦେଶରେ ପ୍ରଚଳିତ ଅଛି । ସେମାନଙ୍କ ମଧ୍ୟରେ ଆମ ଦେଶ ଅନ୍ୟତମ ଯେଉଁଠାରେ ସେହି ବ୍ରିଟିଶ ସମ୍ବିଧାନର ରାଜତନ୍ତ୍ରିକ ଗଣତନ୍ତ୍ର ଅଦ୍ୟାବଧି ପ୍ରଚଳିତ ହେଉଛି ଯାହାକୁ ସାଧାରଣ ମଣିଷମାନେ ଗଣତନ୍ତ୍ର ନାମରେ ନାମିତ କରି କ୍ଷଣ ସୁଖ ଅନୁଭବ ପୂର୍ବକ ଅତ୍ୟନ୍ତ ଜଟିଳ ଜୀବନ ଯାପନ କରିବାରେ କୌଣସି ପ୍ରତିବାଦ ନାହିଁ କାହାର । ତେଣୁ ଏହି ବ୍ରିଟିଶ ରାଜତନ୍ତ୍ରିକ ଗଣତନ୍ତ୍ର ଶାସନରେ ଆମ ଦେଶର ଶାସକ ଶାସିତ ମଧ୍ୟରେ ରହିଥିବା ସମ୍ପର୍କ ମଧ୍ୟରେ ଉପଯୁକ୍ତ ସମୀକ୍ଷା ନକରି ଗୋଷ୍ଠିଗତ ବିଚାରଧାରା ଜନିତ ପରିଣତି ଯାହାସବୁ ପ୍ରତିଫଳିତ ହେଉଅଛି ସେଇଥିରେ ସମସ୍ତେ ସନ୍ତୁଷ୍ଟ ନଥିଲେ ମଧ୍ୟ ନିରୁପାୟ ଅବସ୍ଥାରେ । ଇତି ମଧ୍ୟରେ ଆମଦେଶରେ ଅନେକ ଗୋଷ୍ଠୀଙ୍କ ଦ୍ୱାରା ଶାସିତ ଆମେ ସାଧାରଣ ଜନତା କେବଳ ସମୟ ସ୍ରୋତରେ ପରିଚାଳିତ କିଛି ଆଲୋଚନା, ଅନୁଭୂତି ମଧ୍ୟରେ ନିଜକୁ ସୀମିତ ରଖି କୌଣସି ବାସ୍ତବ ଜ୍ଞାନ ରହିତ ଜୀବନ ଆମର ଏକ ଭିନ୍ନ ରୁଚିରେ । ସମୟର କରାଳତାରେ ପ୍ରବାହିତ ଆମ ଶାସକ, ଶାସିତ ସମ୍ପର୍କ ବିଷୟରେ କୌଣସି ବିଷଦ୍ ଜ୍ଞାନ ଆହରଣ କରିବା କ୍ଷମତା, ବ୍ୟବସ୍ଥା ରହିତ ଆମ ସମାଜର ସାଧାରଣ ଲୋକଙ୍କ ଜୀବନ ଶୈଳୀ ଏକ ଭିନ୍ନ ରକମର ଯାହା ପୃଥିବୀର ଅନ୍ୟାନ୍ୟ ଦେଶ ଗୁଡିକରେ ଦେଖାଯିବା ବିରଳ । ତେଣୁ ସମୟର ସୁଯୋଗ ନେଇ କେତେବେଳେ କେଉଁ ଶାସକ ଆମକୁ କିପରି ପରିଚାଳିତ କରିବେ ଏବଂ ତତ୍ ଜନିତ ଆମର ଜୀବନ ଯାପନ ଶୈଳୀ କେଉଁ ପଥରେ ଅତିକ୍ରମ କରିବ ତାହାର କୌଣସି ସଜ୍ଞା ବିହୀନ ପଥିକ ଆମେ ଆମ ଜୀବନ ଯାତ୍ରାର । କି ବିଚିତ୍ର ଆମ ଦେଶ ଭାରତ ଯେଉଁଠି ଲୋକଙ୍କ ଅସଂଖ୍ୟ ଭେଦଭାବ ମଧ୍ୟରେ ଏକତା ଜାଗ୍ରତ କରାଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଶାସକ ଗୋଷ୍ଠୀ ଶାସନ କରନ୍ତି ଆମକୁ ! ଏବଂ ଏହିସବୁ ବିଭିନ୍ନତା କାରଣରୁ ଅନେକ ସମୟରେ ବିଭିନ୍ନ ଶାସକ ଦଳ କେମିତି ଦମନ ଲୀଳା ଚଳାଇ ଶାସନ କରିଥାନ୍ତି ଆମ ଦେଶରେ ବିଚାର କରି ଦେଖିଲେ ଜାଣିହୁଏ….. ବିଭିନ୍ନ ସମୟରେ ଶାସନ କ୍ଷମତାରେ ରହି ଆସୁଥିବା ଶାସକ ଦଳ ସାଧାରଣ ଲୋକଙ୍କୁ ଦମନ କରି ନିଜର କ୍ରୁର ଉଦ୍ଦେଶ୍ୟକୁ ହାସଲ କରିବାରେ ସମର୍ଥ କରାଇଥାଏ ଆମ ଦେଶରେ ପ୍ରଚଳିତ ବ୍ରିଟିଶ ଶାସନ ବ୍ୟବସ୍ଥା । ଏହି ବ୍ୟବସ୍ଥାରେ ରହିଥିବା ସମ୍ବିଧାନ ଶାସକ ଦଳଙ୍କ ପାଇଁ କେବଳ ଗୋଟିଏ ଧାଡିରେ ସମାପ୍ତ ହେଉଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ହଜାର ହଜାର ନିୟାମକ ପ୍ରଦର୍ଶିତ କରିଥାଏ । ଅର୍ଥାତ ଏହି ସମ୍ବିଧାନରେ ଲିଖିତ ହଜାର ହଜାର ଆଇନ କାନୁନ କେବଳ ସାଧାରଣ ଲୋକଙ୍କୁ ପ୍ରଦର୍ଶନ ପାଇଁ ରହିଥିବା ବେଳେ ଶାସକ ଦଳଙ୍କ ପାଇଁ ସମ୍ପୂର୍ଣ୍ଣ ସମ୍ବିଧାନ କେବଳ ଗୋଟିଏ ଧାଡିରେ ସମାପ୍ତ ହୋଇଥାଏ । ଏହା ବ୍ରିଟିଶ ଶାସନ ବ୍ୟବସ୍ଥାର ଏକ ଅଲୌକିକ ନିୟାମକ ସଂଯୋଜିତ ଗଣତାନ୍ତ୍ରିକ ସମ୍ବିଧାନ ଯାହା ସାଧାରଣ ଲୋକଙ୍କୁ ଆଦୌ ଅଂତରଣୀୟ ହୋଇନଥାଏ । ତେଣୁ କେବଳ ଏହିଭଳି ସାମ୍ବିଧାନିକ ଆଇନ ପ୍ରଣୟନ କରି ସେମାନେ ସମଗ୍ର ବିଶ୍ୱରେ ନିଜର ଶାସନ ପ୍ରଚଳନ କରିବାରେ ସକ୍ଷମ ହୋଇ ପାରିଥିଲେ । ସେହି ସାମ୍ବିଧାନିକ ଆଇନ ଅଦ୍ୟାବଧି ଆମ ଦେଶରେ ପ୍ରଚଳିତ ଥାଇ ଏକ ଦମନଶୀଳ ରାଷ୍ଟ୍ରରେ ଗଣତାନ୍ତ୍ରିକ ସମ୍ବିଧାନର ଭ୍ରାନ୍ତିକର ପରିଭାଷା ସାଧାରଣ ଲୋକଙ୍କ ଅଂତରଣୀୟ ହେଉନଥିଲେ ମଧ୍ୟ ଗୋଟିଏ ଗଣତନ୍ତ୍ର ରାଷ୍ଟ୍ରର ସୁରକ୍ଷିତ ନାଗରିକ ଭାବେ ନିଜକୁ ଅନୁଭବ କରି ଗର୍ବିତ ହେଉଥିବା ଭାରତୀୟଙ୍କ ପ୍ରସନ୍ନତାର ରୁଚି ଏକ ଭିନ୍ନ ରକମର ଦେଖିବାକୁ ମିଳେ ! ବିଭିନ୍ନ ସମୟରେ ଆମ ଦେଶ ଶାସକଙ୍କ ଦ୍ୱାରା କରାଯାଉଥିବା ଦମନଲୀଳା ସହିତ କ୍ରୁର ଶାସନ ପ୍ରକ୍ରିୟା ମଧ୍ୟରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳେ ଯେ ଶାସକ ଗୋଷ୍ଠୀ ଦ୍ୱାରା କରାଯାଉଥିବା ଦମନ ଲୀଳାକୁ ମଧ୍ୟ ସାଧାରଣ ଲୋକେ ସହଜରେ ବୁଝିନପାରି ଅହେତୁକ ସମର୍ଥନ କରିଥା’ନ୍ତି । ଅଧିକନ୍ତୁ ସେମାନଙ୍କ ଦ୍ୱାରା ପ୍ରଚଳିତ କାର୍ଯ୍ୟଧାରା ଗୁଡିକୁ ନିଜପାଇଁ ଉନ୍ନତିର ସ୍ୱରୂପ ଗ୍ରହଣ କରିଥାନ୍ତି । କିନ୍ତୁ ପରବର୍ତୀ ସମୟରେ ସେଗୁଡିକର ଫଳାଫଳ ଉପରେ କ୍ଷୁବ୍ଧ ହୋଇ ପୁନଶ୍ଚ ବାଛିଥା’ନ୍ତି ଅନ୍ୟ ଏକ ଗୋଷ୍ଠୀକୁ ଯାହାଙ୍କ ଶାସନ ବ୍ୟବସ୍ଥା ମଧ୍ୟ ସମାନ୍ତରାଳ ହୋଇଥାଏ ପୂର୍ବ ତୁଳନାରେ । ଏହାର ସ୍ଥାଇ ସମାଧାନ ନାହିଁ ବୋଧେ ଆମ ପାଖରେ……??!! ପ୍ରତ୍ୟେକ ସମୟରେ ଶାସକ କେମିତି ଦମନଶୀଳ ପରିବେଶ ସୃଷ୍ଟି କରି ସାଧାରଣ ଲୋକଙ୍କୁ ପ୍ରତାରିତ କରିଥା’ନ୍ତି ସେହି ବିଷୟରେ ଉପଯୁକ୍ତ ଅନୁଶୀଳନାତ୍ମକ ଜ୍ଞାନ ରହିତ ସମାଜ ଆମର ପ୍ରତ୍ୟେକ ସମୟରେ ଅସନ୍ତୁଳିତ ଅବସ୍ଥାରେ । ହେଲେ ସେମାନଙ୍କ କ୍ରୁରଚକ୍ରକୁ ବୁଝିବାକୁ ହେଲେ ସ୍ଥିର ଚିତ୍ତରେ କାହାର ପ୍ରରୋଚନରୁ ମୁକ୍ତ ରହି ନିଜର ଅନ୍ତର୍ଜ୍ଞାନ ବ୍ୟବହାର ପୂର୍ବକ ସମୀକ୍ଷା କଲେ ଅନେକ ବିଷୟ ଅଂତରଣୀୟ ହୋଇପାରିବ । ଏକ ଦମନଶୀଳ ରାଷ୍ଟ୍ର ସୃଷ୍ଟି କରି ଶାସକ ନିଜକୁ ଅନେକ ସମୟ ପର୍ଯ୍ୟନ୍ତ କ୍ଷମତାସୀନ କରି ରଖିବା ପଛର ରହସ୍ୟ କ’ଣ, ବିଚାର କରି ଦେଖିଲେ ଜାଣିହେବ ଯେ…… ପ୍ରଥମେ ଗୋଷ୍ଠିଗତ ଏବଂ ସମ୍ପ୍ରଦାୟୀକ ଭାବଧାରା, ଭେଦଭାବ ସୃଷ୍ଟି କରି ମଣିଷ ମନରେ ରହିଥିବା ପ୍ରେମ, ସଦ୍‌ଭାବନାକୁ କ୍ଷୀଣ କରି ଫାଟ ସୃଷ୍ଟି କଲେ କାହାର କାହା ପ୍ରତି ଆନ୍ତରିକତା ନରହି କେବଳ ବ୍ୟକ୍ତିଗତ ସ୍ୱାର୍ଥ ଭାବନା ଜାଗ୍ରତ ହୋଇଥାଏ । ଅର୍ଥାତ ବିଭିନ୍ନ ଗୋଷ୍ଠୀ, ତଥା ସମ୍ପ୍ରଦାୟ ମଧ୍ୟରେ ମତାନ୍ତର ସୃଷ୍ଟି କରି ଭ୍ରାତୃଭାବକୁ ନଷ୍ଟ କରିବା ଦ୍ୱାରା ଜନମେଳି ହୋଇ ପାରିବ ନାହିଁ ଏବଂ ଶାସକ କ୍ଷମତାସୀନ ଆସନ ଅକ୍ଷୁର୍ଣ୍ଣ ରହିବାରେ ସହାୟକ ହୋଇପାରିବ । ଅନୈତିକ, ଅସାମାଜିକ କାର୍ଯ୍ୟରେ ଲିପ୍ତ ଅମାନବୀୟ ଚେହେରା ଗୁଡିକୁ ସମାନ୍ତରାଳ ପରିବେଶରେ ରଖି ସେମାନଙ୍କୁ ଯଥେଷ୍ଟ ସୁଯୋଗ, ସୁରକ୍ଷା ଯୋଗାଇଦେଲେ ସେମାନେ ଶାସକଙ୍କୁ ସହଯୋଗ କରି ସାଧାରଣ ନିରୀହ ଲୋକଙ୍କୁ ଦମନ କରି ରଖିବାରେ ସାହାଯ୍ୟ କରିଥା’ନ୍ତି । ସେମାନଙ୍କ ଦ୍ୱାରା ଭ୍ରଷ୍ଟାଚାରରେ ପ୍ରପୀଡ଼ିତ ସାଧାରଣ ଲୋକଙ୍କ ଜୀବନ ଶୈଳୀ ବ୍ୟାଘାତ ହେଲେ ଶାସକ ସେମାନଙ୍କୁ କିଂଚିତ ସାହାଯ୍ୟ ଦର୍ଶାଇ ଦାନ ଧର୍ମ କରି ନିଜର ଶାସନ ଗାଦିକୁ ବଞ୍ଚାଇ ରଖିବାରେ ସମର୍ଥ ହୋଇଥା’ନ୍ତି । ବିଭିନ୍ନ ସମୟରେ ସାମାଜିକ, ଆର୍ଥିକ ପରିସ୍ଥିତିକୁ ବେକାବୁ କରି ଲୋକଙ୍କ ଜୀବନ ବ୍ୟଥିତ କରିବା ପରେ ଆର୍ଥିକ ଅନାଟନ ହେତୁ ସାଧାରଣ ଲୋକଙ୍କ ଜୀବନ ଶୈଳୀ ବାଧିତ ହେଲେ ସେମାନେ ଶାସକଙ୍କ କବଳିତ ହୋଇ ରହିବା ତଥା ବିଭିନ୍ନ ସହାୟତା ଉପରେ ନିର୍ଭର କରିବା ଶାସକଙ୍କୁ ନିଜର ଆସନ ବଞ୍ଚାଇ ରଖିବାରେ ଯଥେଷ୍ଟ ସାହାଯ୍ୟ କରିଥାଏ । ଅନେକ ସମୟରେ ନିଷ୍ପ୍ରଭ ଅହେତୁକ ଭୟ ସୃଷ୍ଟି କରି ସାଧାରଣ ଲୋକଙ୍କ ମନକୁ ବିଚଳିତ କରିବା ତଥା ସେହି ଦୂର୍ଦିନକୁ କବଳିତ କରିବାରେ କେବଳ ସମ୍ପୃକ୍ତ ଶାସକଙ୍କ କ୍ଷମତାସୀନ ପରିସରଭୁକ୍ତ ଭାବେ ପ୍ରଦର୍ଶନ ପୂର୍ବକ ସାଧାରଣ ଲୋକଙ୍କ ମନକୁ ଜିତିବା କ୍ଷମତାସୀନ ଶାସକଙ୍କ ଆସନକୁ ଅକ୍ଷୁର୍ଣ୍ଣ ରଖିବାରେ ଯଥେଷ୍ଟ ସହାୟକ ହୋଇଥାଏ । କ୍ଷମତା ଆଶାୟୀ ଶାସକଙ୍କ ଏକ ସାଙ୍ଘାତିକ ଷଢ଼ଯନ୍ତ୍ର ରହିଥାଏ ଲୋକଙ୍କ ସ୍ମରଣିକା ନଷ୍ଟ କରିବାରେ । ଅର୍ଥାତ ବିଗତ ସ୍ମୃତି ଗୁଡିକୁ ନଷ୍ଟ କରିଦିଆଗଲେ ସାଧାରଣ ଲୋକଙ୍କ ପୂର୍ବ ସ୍ମରଣିକା ଜନିତ ଅଭାବନୀୟତା ଗୁଡିକୁ ଭୁଲିଯାଇ ଉପସ୍ଥିତ ସମୟ ସ୍ରୋତରେ ନିଜକୁ ପ୍ରବାହିତ କରି ଶାସକଙ୍କୁ ସମର୍ଥନ କରିବା ନିଶ୍ଚିତତା ବୃଦ୍ଧି ପାଇଥାଏ । ଅନେକ ସମୟରେ ପୂର୍ବ ଘଟଣାବଳୀ ଗୁଡିକର ବିପରୀତମୁଖୀ ଭାବଧାରା ଗୁଡିଏ ଜାଗ୍ରତ କରାଇ ମଣିଷ ମନକୁ ବ୍ୟଥିତ କରାଇବା ତଥା ଭବିଷ୍ୟତ ଅନ୍ଧକାରକୁ ଅତିରଂଜିତ କରି ଭାବାବେଗ ଜାଗ୍ରତ କରାଇବା ଏକ କ୍ରୁର ଶାସକଙ୍କ ମୁଖ୍ୟ ଷଢ଼ଯାନ୍ତ୍ରୀକ ବିଚାରଧାରା ହୋଇଥାଏ । ସୁରକ୍ଷା ମଣିଷର ଏକ ପ୍ରଧାନ ସମସ୍ୟା ହୋଇଥିବା ବେଳେ ଭବିଷ୍ୟତ ଅସୁରକ୍ଷିତ ଦର୍ଶାଇ ବିଭିନ୍ନ ଭାବଧାରା ସୃଷ୍ଟି କରି ମଣିଷ ମନରେ ଶାସକ ନିଜର ପ୍ରତିଷ୍ଠା ସୃଷ୍ଟି କରିବାରେ ବ୍ରତୀ ହୋଇଥାନ୍ତି ।ପ୍ରଶିକ୍ଷଣାତ୍ମକ ବ୍ୟବସ୍ଥାକୁ ସଂକୁଚିତ ତଥା ସମୟୋପୋଯୋଗୀ କରାଇ ମଣିଷର ବିକାଶଶୀଳ ମସ୍ତିଷ୍କକୁ ଗୋଟିଏ ସୀମାରେଖା ମଧ୍ୟରେ ରଖି ପ୍ରାଚୁର୍ଯ୍ୟର ଅପ୍ରାକୃତିକ ଲାଳସା ଜାଗ୍ରତ କଲେ ଯଥେଷ୍ଟ ଶିକ୍ଷାତ୍ମକ ବିଷୟରେ ବିଶେଷଜ୍ଞ ହୋଇ ଅନ୍ତର୍ଜ୍ଞାନ ଅଭାବ ରହିବା କାରଣରୁ ଶାସକଙ୍କ କ୍ଷମତାସୀନ ରହିବା ଅନିବାର୍ଯ୍ୟ ହୋଇପଡେ ସାଧାରଣ ମଣିଷ ପାଖରେ । ଅର୍ଥାତ ଜ୍ଞାନ ଆହରଣର ଉତ୍ସକୁ ସଂକୁଚିତ କରି ଯଥୋଚିତ ସମୟସାପେକ୍ଷ ଶିକ୍ଷା ପ୍ରଦାନ ପୂର୍ବକ ନିଜର କ୍ରୀତଦାସ ଭଳି ବ୍ୟବହାର କରି ସାଧାରଣ ଲୋକଙ୍କୁ ଜଣେ ସୁଶାସକ ବୋଲାଉଥିବା ମଣିଷ କେବେହେଲେ ବାସ୍ତବ ସୁଶାସକ ନୁହନ୍ତି । ତାହାର ତର୍ଜମା ବାସ୍ତବତା ବିଶ୍ଲେଷଣ ବ୍ୟବଛେଦ କରି ଯଥୋଚିତ ଭାବଧାରା ସୃଷ୍ଟି କରିବା ଆବଶ୍ୟକ । ସାମାଜିକ ଆର୍ଥିକ ବ୍ୟବସ୍ଥା ତଥା ବିନିମୟକୁ ନିମ୍ନଗାମୀ କରାଗଲେ ଶାସନ କ୍ଷମତାରେ ରହିଥିବା ମଣିଷଙ୍କ ତଥା ସେମାନଙ୍କ ସହଯୋଗୀ ଗଣ ସାଧାରଣ ମଣିଷଙ୍କ ଉପରେ ପ୍ରକୋପ ବିସ୍ତାର କରିବାରେ ସମର୍ଥ ହୋଇଥାନ୍ତି । ତେଣୁ କ୍ରୁର ଶାସକ ସବୁବେଳେ ସାମାଜିକ ଆର୍ଥିକ ପରିସ୍ଥିତିକୁ ବେକାବୁ କରି ଲୋକଙ୍କ ଜୀବନ ଯନ୍ତ୍ରଣା ବୃଦ୍ଧି କରିବାରେ ପ୍ରୟାସରତ ରହିଥା’ନ୍ତି । ଭ୍ରାନ୍ତିକର ତଥ୍ୟ ପ୍ରଦାନ କରି ସାଧାରଣ ନିର୍ବୋଧଙ୍କୁ ପଥଚ୍ୟୁତ ମନ୍ତବ୍ୟ ଦେଇ ନିଜର କ୍ଷମତାସୀନ ଆସନ ସୁରକ୍ଷିତ ରଖିବା ଜଣେ ଦମନକାରୀ ଶାସକର ମୂଳ ମନ୍ତ୍ର । କ୍ଷଣ ସୁଖ ଜନିତ ପ୍ରବଚନ ତଥା ମିଥ୍ୟା ପ୍ରହେଳିକା ମାଧ୍ୟମରେ ସାଧାରଣ ନିର୍ବୋଧଙ୍କ ମନକୁ ଜିତିବାରେ କ୍ରୁର ଶାସକ ଅତ୍ୟନ୍ତ ସମର୍ଥ ହୋଇଥା’ନ୍ତି । ବିଭିନ୍ନ କୃତ୍ରିମ ଅଭାବନୀୟତା ତଥା ଭୟ ଜାଗ୍ରତ କରାଇ ମଣିଷ ମନକୁ ଅସ୍ଥିର ପ୍ରବଣ କରାଇ ପାରିଲେ ଶାସକଙ୍କ ଆଭ୍ୟନ୍ତରୀଣ କାର୍ଯ୍ୟ କଳାପ ଗୁଡିକ ଉପରେ ନଜର ରହିବ ନାହିଁ ସାଧାରଣ ଲୋକଙ୍କ ଯାହା ସେମାନଙ୍କୁ ସ୍ୱେଚ୍ଛାଚାରୀ ଶାସନ ଚଳାଇବାରେ ଯଥେଷ୍ଟ ସାହାଯ୍ୟ କରିଥାଏ । ନିଶା ଦ୍ରବ୍ୟର ବ୍ୟାପକତା ତଥା ସାମୁହିକ ସେବନ ଉପରେ କୌଣସି କଟକଣା ପରିବର୍ତ୍ତେ ସହଯୋଗୀତାର ହାତ ବଢାଇଥା’ନ୍ତି କ୍ରୁର ଶାସକ । ଏହା ଦ୍ୱାରା ସମାଜରେ ନିଶାଖୋର ମଣିଷ ସୃଷ୍ଟି ହୋଇ ଦୁଇ ପଇସା ପାଇଁ ଅନ୍ୟର ହାତକୁ ଚାହିଁ ରହିଥା’ନ୍ତି ସେମାନେ । ଏହିଭଳି ପରିବେଶ କ୍ରୁର ଶାସକଙ୍କ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବାରେ ଯଥେଷ୍ଟ ସହାୟକ ହୋଇଥାଏ । ତେଣୁ ସମାଜରେ ଏକ ଅସ୍ଥିର ମାନସିକତା ପ୍ରବଣ ପରିବେଶ ସୃଷ୍ଟି କରିବା ଜଣେ ଦମନକାରୀ ଶାସକଙ୍କ ଗୁରୁତ୍ୱପୂର୍ଣ ଷଢ଼ଯନ୍ତ୍ର ହୋଇଥାଏ ! ସମସ୍ତଙ୍କ ପାଇଁ ସ୍ୱର୍ଗାରୋହଣର ଅଲୌକିକ ପଥ ପ୍ରଦର୍ଶନ ଜନିତ ବିଭିନ୍ନ କ୍ଷଣ ସୁଖ ଦାୟକ ପ୍ରବଚନ ମାଧ୍ୟମରେ ନିଜକୁ ଜଣେ ଦକ୍ଷ ଶାସକ ରୂପରେ ସଜାଇ ଲୋକଙ୍କ ମନକୁ ଜିତିବା ପ୍ରୟାସ ରଖିଥା’ନ୍ତି କ୍ରୁର ଶାସକ । ମୁଖ୍ୟତଃ ପୂର୍ବ ଘଟଣା ଗୁଡିକୁ ଦୋହରାଇ ସେହି ସମୟର ଅଭାବନୀୟତା ଗୁଡିକୁ ସର୍ବାଦୌ ଆଲୋଚନା, ସମୀକ୍ଷା କରୁଥିବା ଶାସନ କ୍ଷମତାଧାରୀ ଜଣେ ସୁଶାସକ ହେବା ସମ୍ପୂର୍ଣ୍ଣ ଅସମ୍ଭବ । କାରଣ ଜଣେ ଭବିଷ୍ୟ ଦ୍ରଷ୍ଟା କେବେହେଲେ ପଛକୁ ଫେରି ନଚାହିଁ ବରଂ ଆଗକୁ କଣ ବିଚାର କରିଥାନ୍ତି ! ତେଣୁ ପୂର୍ବାନୁମାନ ରହିତ ଶାସକ କେବେହେଲେ ସାଧାରଣ ଲୋକଙ୍କ ଉନ୍ନତି କରି ପାରିବ ବୋଲି ଭାବିବା ସମ୍ପୂର୍ଣ୍ଣ ନିଷ୍ଫଳ ବିଚାର ନିଶ୍ଚିତ । ବାରମ୍ବାର ଅତୀତକୁ ଦୋହରାଉଥିବା ମଣିଷ ନିଶ୍ଚିତ ଭାବେ ଅଜ୍ଞାନ । ଏବଂ ଜଣେ ଅଜ୍ଞାନ ଶାସକଙ୍କ କବଳିତ ସମାଜର ଉତ୍ତରୋତ୍ତର ଉନ୍ନତି କେବଳ ଭାବନାରେ ରହିବା ବ୍ୟତୀତ ସାକାର ହେବା ଅସମ୍ଭବ । ତେଣୁ ଏହିଭଳି କ୍ରୁର ଶାସକଙ୍କ କବଳରୁ ସମସ୍ତେ ନିଜକୁ ରକ୍ଷାକରିବା ଦିଗରେ ଚେଷ୍ଟିତ ନହେଲେ ଗୋଟିଏ ଦମନଶୀଳ ରାଷ୍ଟ୍ରରେ ରହି ନିଜକୁ ସଂକୁଚିତ ଅବସ୍ଥାରେ ପିଢ଼ିକୁ ପିଢ଼ି ଜୀବନ ଅତିବାହିତ କରୁଥବା ସାଧାରଣ ଲୋକଙ୍କୁ କେହି ସୁଖ, ଶାନ୍ତି ପ୍ରଦାନ କରି ପାରିବେ ନାହିଁ ବୋଲି ଆମ ବିଚାରରେ ଆପଣଙ୍କ ଅନୁଭୂତି ବ୍ୟାଖ୍ୟା କରିବେ ବୋଲି ଆଶା…….! 

ପଙ୍କଜ କୁମାର ପାଣିଗ୍ରାହୀ,
ସୋସିଆଲ ଫୋରମ (ଭାରତ),
ଛତ୍ରପୁର, ଗଞ୍ଜାମ