ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ ଙ୍କ କାର୍ଯ୍ୟକାଳର ଏକ ବର୍ଷ ପୂରଣ

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଭାବେ ଏମ୍‍. ଭେଙ୍କିୟା ନାଇଡୁ ନିଜ କାର୍ଯ୍ୟକାଳର ଏକ ବର୍ଷ ପୂରଣ କରିଛନ୍ତି। ଏହି ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରକାଶ ପାଇଥିବା ପୁସ୍ତକ Moving On Moving Forward : A year in Officeର ଉନ୍ମୋଚିତ ହୋଇଛି। ଏହି ଅବସରରେ ଶ୍ରୀ ନାଇଡୁ ସାର୍ବଜନୀନ ଜୀବନରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ନେଇ ଗୁରୁତ୍ୱାରୋପ କରିଛନ୍ତି। ଏହି ପୁସ୍ତକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିଛନ୍ତି।
ସବୁ ରାଜନୈତିକ ଦଳଗୁଡ଼ିକ ରାଷ୍ଟ୍ରର ବୃହତ ସ୍ୱାର୍ଥ ତଥା ଅଭିବୃଦ୍ଧିରେ ରାଜନୈତିକ ସମସ୍ୟାଗୁଡ଼ିକ ଉତ୍‍ଥାପନ କରିବା ଆବଶ୍ୟକ ବୋଲି ଶ୍ରୀ ନାଇଡୁ କହିଛନ୍ତି। ସଦନରେ ସେ ସମ୍ମାନର ସହ ସମସ୍ତ ପ୍ରସଙ୍ଗକୁ ଉତ୍‍ଥାପନ କରିବାକୁ ପ୍ରୟାସ କରିଆସିଛନ୍ତି ବୋଲି ଶ୍ରୀ ନାଇଡୁ କହିଚନ୍ତି,। ଦେଶର ସଂସ୍କୃତି ଏବଂ ଐତିହ୍ୟକୁ ସୁରକ୍ଷିତ ରଖିବାକୁ ହେଲେ ଆମକୁ ଏହାର ମୂଳ ତତ୍ତ୍ୱକୁ ବୁଝିବାକୁ ହେବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ସଂରକ୍ଷଣର ସୁବିଧା ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଖରେ ପହଞ୍ଚିବା ଉଚିତ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଆଗାମୀ ଦିନଗୁଡ଼ିକରେ ମହିଳାମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ଅଧିକାର ଦେବା ଉପରେ ମଧ୍ୟ ଶ୍ରୀ ନାଇଡୁ ଗୁରୁତ୍ୱାରୋପ କହିଛନ୍ତି। ଦେଶର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ କୃଷି ଉପରେ ବିଶେଷ ଧ୍ୟାନ ଦେବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ୨୦୨୨ ସୁଦ୍ଧା କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବାପାଇଁ ବିଶେଷ କରି ଜଳସେଚନ, ଭିତ୍ତିଭୂମି, ସୁଧହାର, ବୀମା ଏବଂ ଜ୍ଞାନକୌଶଳର ପ୍ରୟୋଗ ଉପରେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଅଗ୍ରାଧିକାର ଦେଇଛନ୍ତି।
ଏହି ଉତ୍ସବରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଶ୍ରୀ ନାଇଡୁଙ୍କର ପ୍ରଥମ ବର୍ଷ କାର୍ଯ୍ୟକାଳ ସଂକ୍ରାନ୍ତରେ ରିପୋର୍ଟ କାର୍ଡ଼ ଅତ୍ୟନ୍ତ ପ୍ରଶଂସନୀୟ। ସଂସଦ ବାହାରେ ଓ ଭିତରେ ତାଙ୍କର ସବୁ କାମ ଦକ୍ଷ ଓ ପ୍ରଗତୀଶୀଳ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଶ୍ରୀ ନାଇଡୁଙ୍କ ସହ ଅନେକ ଦିନ ଧରି କାମ କରିବାର ସେ ସୁଯୋଗ ପାଇଛନ୍ତି ଏବଂ ସେ ସେବୁବେଳେ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ପ୍ରତି ଗୁରୁତ୍ୱ ଦେଇଆସିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଶ୍ରୀ ନାଇଡୁଙ୍କୁ ଯେତେବେଳେ ଯେଉଁ କାମ ଦିଆଯାଇଛି, ତାହାକୁ ସେ ଅତି ନିଷ୍ଠାର ସହ ତୁଲାଇଛନ୍ତି। ସେ କହିଛନ୍ତି, ଶ୍ରୀ ନାଇଡୁଙ୍କ ଯୋଗୁଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କାର୍ଯ୍ୟକାରୀ ହୋଇପାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ ଟ୍ରେନ୍‍ର ରହଣିକୁ ନେଇ କେବଳ ରାଜନୀତି ଚାଲିଥିଲା, ସେତେବେଳେ ଶ୍ରୀ ନାଇଡୁ ସଡ଼କ ପଥ ଓ ଅନ୍ୟାନ୍ୟ ସଂଯୋଗ ମାଧ୍ୟମଗୁଡ଼ିକ ଉପରେ ନେତାମାନେ କିଭଳି ଚିନ୍ତା କରିବେ, ତାହାକୁ ନିଶ୍ଚିତ କରିଥିଲେ। ଶ୍ରୀ ନାଇଡୁ ୫୦ ବର୍ଷ ଧରି ରାଜନୀତିରେ ରହିଛନ୍ତି। ତନ୍ମଧ୍ୟରୁ ୧୦ ବର୍ଷ ଛାତ୍ର ରାଜନୀତିରେ ଅତିବାହିତ କରିଥିଲାବେଳେ ବାକି ୪୦ ବର୍ଷ ସେ ରାଜ୍ୟ ଓ ଜାତୀୟ ରାଜନୀତିରେ ଅତିବାହିତ କରିଛନ୍ତି। ଶ୍ରୀ ନାଇଡୁଙ୍କର ସମାଜର ସବୁ ବର୍ଗପାଇଁ କାମ କରିବାର ଦକ୍ଷତା ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଲୋକସଭାର ବାଚସ୍ପତି ସୁମିତ୍ରା ମହାଜନ ଏଥିରେ ଯୋଗ ଦେଇ କହିଛନ୍ତି, ଜଣେ ସରଳ ଓ ନିଷ୍କପଟ ଚରିତ୍ରର ବ୍ୟକ୍ତି ଭାବେ ଦେଶର ସର୍ବୋଚ୍ଚ ପଦବୀ ଅଳଂକୃତ କରିବାରେ ଶ୍ରୀ ନାଇଡୁ ହେଉଛନ୍ତି ଜ୍ୱଳନ୍ତ ଉଦାହରଣ। ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଶ୍ରୀ ନାଇଡୁ ତାଙ୍କର ରାଜନୈତିକ ଓ ପ୍ରଶାସନିକ ଅଭିଜ୍ଞତାକୁ ପ୍ରତିଫଳନ କରାଇପାରିଛନ୍ତି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‍.ଡି. ଦେବେଗୌଡ଼ା କହିଛନ୍ତି, ରାଜ୍ୟସଭାର ସମ୍ମାନ ଅକ୍ଷୁଣ୍ଣ ରଖିବାପାଇଁ ଶ୍ରୀ ନାଇଡୁ ସର୍ବୋତ୍ତମ କାର୍ଯ୍ୟ କରିଚାଲି ଛନ୍ତି।