ଉତ୍ତର ବାଲେଶ୍ୱରର ସାପ୍ତାହିକି ହାଟ ବନ୍ଦ : ୨ ରାଜ୍ୟର ବ୍ୟବସାୟ ବ୍ୟାହତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ଓ ପଶ୍ଚିମବଙ୍ଗ ଉପାନ୍ତର ଜଳେଶ୍ୱରଠାରେ ଥିବା ସାପ୍ତାହିକି ହାଟ (ସୋମବାର) ଆଜି କରୋନା ସଂକ୍ରମଣ ପାଇଁ ପ୍ରଶାସନ ପକ୍ଷରୁ ବନ୍ଦ ହୋଇଥିବାରୁ ୨ ରାଜ୍ୟର ଉପାନ୍ତ ବାସୀଙ୍କ ବ୍ୟବସାୟ କ୍ଷତିଗ୍ରସ୍ତ ହୋଇଛି । ଏହି ହାଟକୁ ପଶ୍ଚିମବଙ୍ଗର ଦାନ୍ତୁନ, ବେଲଦା, ଖଡଗପୁର, ମୋହନପୁର, ନୟାଗ୍ରାମ, ଏଗ୍ରା, ରାମନଗର, କାନ୍ଥି ଏବଂ ଓଡିଶାର ଜଳେଶ୍ୱର, ଭୋଗରାଇ, ବାଲିଆପାଳ, ବସ୍ତା, ରୁପସା, ସିଂଲା, ରାସଗୋବିନ୍ଦପୁର, ଚିତ୍ରଡା, ମୁରୁଡା ଥାନା ଅଂଚଳରୁ ସାଧାରଣ ଲୋକେ ଏବଂ ବ୍ୟବସାୟୀମାନେ ଆସି କିଣାବିକା କରିଥାନ୍ତି । ପଶ୍ଚିମବଙ୍ଗରୁ ଲୁଗା, ଡ୍ରେସ୍‌, ସଉଦା, ରେଡିମେଡ, ଜୋତା, ଷ୍ଟେସନାରୀ ଇତ୍ୟାଦି ବଡବଡ ଦୋକାନୀମାନେ ବ୍ୟବସାୟ କରିବା ଲାଗି ପ୍ରତି ସୋମବାର ଏଠାକୁ ଆସିଥାନ୍ତି । ସେହିପରି ବିଭିନ୍ନ ଅଞ୍ଚଳରୁ ଟ୍ରେନ୍‌, ବସ୍‌ରେ ଆସି ଏଠାରୁ ଜିନିଷପତ୍ର କିଣିଥାନ୍ତି । କରୋନାର ପ୍ରଭାବ ହେତୁ ପ୍ରଶାସନ ପକ୍ଷରୁ ସତର୍କତା ପଦକ୍ଷେପ ସ୍ୱରୁପ ଆଜିର ଏହି ସାପ୍ତାହିକ ହାଟକୁ ବନ୍ଦ କରାଯାଇଥିବାରୁ ସମସ୍ତ ବାଣିଜ୍ୟିକ କାରବାର ବନ୍ଦ ହୋଇଛି । ଫଳରେ ଏହି ହାଟ ଉପରେ ନିର୍ଭର କରୁଥିବା ଗ୍ରାହକମାନେ ହତାଶ ହୋଇ ପଡିଛନ୍ତି । ସୂଚନା ଅନୁଯାୟୀ ଜଳେଶ୍ୱର ବ୍ଲକ ଓ ମ୍ୟୁନିସିପାରଲଟିରେ ବିଭିନ୍ନ ରାଜ୍ୟରୁ ଫେରିଥିବା ୮୭୧ଜଣ ବ୍ୟକ୍ତି ସେମାନଙ୍କ ନାମ ପଂଜିକରଣ କରିଥିବା ବେଳେ ବିଦେଶରୁ ମୋଟ ୯ଜଣ ଫେରିଥିବା କୁହାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା