ଉତ୍ତର ବାଲେଶ୍ୱରରେ ୫୪ ମଣ୍ଡିରୁ ଖୋଲିଲା ୨୬ : ୧୪୪୦୦ କ୍ୟୁଣ୍ଟାଲ ଧାନ କ୍ରୟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସରକାରୀ ଘୋଷଣା ଅନୁସାରେ ୬ଦିନ ଧରି ମଣ୍ଡି ଖୋଲିଥିଲେ ବି ଅଦ୍ୟବଧି ଉତ୍ତର ବାଲେଶ୍ୱରର ୫୪ଟି ଯାକ ପ୍ୟାକ୍ସ ଖୋଲି ପାରିନାହିଁ । ୧୪ଲକ୍ଷ୧୦ହଜାର କ୍ୟୁଣ୍ଟାଲ ଧାନ ଅମଳ ହୋଇଥିବା ବେଳେ ଅଦ୍ୟାବଧି ୧୪୪୦୦ କ୍ୟୁଣ୍ଟାଲ ଧାନ କ୍ରୟ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡିଛି । ଉତ୍ତର ବାଲେଶ୍ୱରରେ ଜଳେଶ୍ୱରରେ ୧୯ଟି, ଭୋଗରାଇରେ ୧୯ଟି ଓ ବାଲିଆପାଳରେ ୧୬ଟି ସେବା ସମବାୟ ସମିତି (ପ୍ୟାକ୍ସ) ରହିଛି । ତଥ୍ୟ ଅନୁଯାୟୀ ୫୪ଟି ପ୍ୟାକ୍ସ ଅଧିନରେ ପ୍ରାୟ ୧୪ଲକ୍ଷ୧୦କ୍ୟୁଣ୍ଟାଲ ଧାନ ଅମଳ ହୋଇଥିବା କୃଷି ବିଭାଗ ଦର୍ଶାଇଛି । କିନ୍ତୁ ସେଥିରୁ ୨୭ହଜାର ୨୩୬ ଚାଷୀ ନାମ ପଂଜିକରଣ କରିଛନ୍ତି । ଗତ ୨୦ ତାରିଖରୁ ମଣ୍ଡି ଖୋଲିଥିବା ବେଳେ ଜଳେଶ୍ୱରର ୧୫୮ଜଣ ଚାଷୀ ୪୨୧୮.୧ କ୍ୟୁଣ୍ଟାଲ ଧାନ ୧୨ଟି ପ୍ୟାକ୍ସରେ ବିକ୍ରି କରିଥିବା ଜଣାଯାଇଛି । ଅଲାଲପୁର, ବର୍ତ୍ତନା, ନାମ୍ପୋ, ଚାଫଲା, ରାୟାଁରାମଚନ୍ଦ୍ରପୁର, ରାମନଗରପାଟଣା, ରାଇବଣିଆ, ପଶ୍ଚିମବର୍ଡ, ଆମ୍ବଳିଅଠା, ଗୋବରଘଟା, ତେଘରୀ ଓ କଳମା ପ୍ୟାକ୍ସ ଖୋଲିଥିବା ବେଳେ ଅନ୍ୟ ୭ଟି ଖୋଲିନଥିବା ଜଣାଯାିଛି । ସେହିପରି ଭୋଗରାଇର ଅନ୍ତୋରାଇ, ବଡମନ୍ଦାରୁଣୀ, ବାହାର୍ଦ୍ଦା, ଚକପଳାସିଆ, ବାଉଁଶଡିହା, ଦାହୁଣଦା, ଜୟରାମପୁର, କସବାକମର୍ଦ୍ଦା, ମହାଗବ, ଖରିଦପିମ୍ପଳର ୧୨୬ଜଣ ଚାଷୀ ୩୨୬୭.୨୮ କ୍ୟୁଣ୍ଟାଲ ଧାନ ବିକ୍ରି କରିଥିବା ଜଣାଯାଇଛି । ସେହିପରି ବାଲିଆପାଳର ବଡାସ୍‌, ଜଗତ୍‌ପୁର, ପ୍ରତାପପୁର, ନେପୁରା ପ୍ୟାକ୍ସ ଅଧିନରେ ୭୪ଜଣ ଚାଷୀ ୨୦୨୪.୧୪ କ୍ୟୁଣ୍ଟାଲ ଧାନ ବିକ୍ରି କରିଥିବା ଜଳେଶ୍ୱର ଆର୍‌ଏମ୍‌ସି ସମ୍ପାଦକ ବଳରାମ ଜେନା ସୂଚନା ଦେଇଛନ୍ତି । କିନ୍ତୁ ଟୋକନ୍ ଅନୁଯାୟୀ ଧାନକ୍ରୟ ହୋଇ ପାରୁନଥିବା କୁହାଯାଇଛି । ଏବେ ସୁଦ୍ଧା ବାଲିଆପାଳର ୧୨ଟି, ଭୋଗରାଇର ୯ ଓ ଜଳେଶ୍ୱର୭ଟି ଖୋଲିନଥିବାରୁ ଟୋକ ପାଇଥିବା ଚାଷୀମାନେ ହଇରାଣ ହରକତ ହେଉଛନ୍ତି । ସୂଚନା ଯୋଗ୍ୟ ହଜାର ହଜାର ଚାଷୀଙ୍କ ନିକଟକୁ ଟୋକନ୍ ଆସିନଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି ପରିଡା