ଉଠାଇ ନେଲା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମ ବ୍ରାଞ୍ଚ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଉଠାଇ ନେଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମ୍ ବ୍ରାଞ୍ଚ । ଏନେଇ ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ୪ଟି ଗାଡ଼ିରେ ଯାଇ EOW ନାମରେ ଉଠାଇ ନିଆଯାଇଥିବା ଅଭିଯୋଗ କରିଛନ୍ତି । ମୋ ସ୍ବାମୀଙ୍କ ଜୀବନ ପ୍ରତି ବିପଦ ରହିଛି । ତାଙ୍କର ଯଦି କିଛି ହୁଏ ତେବେ ଏହା କରାଉଥିବା ଲୋକ, ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ଛାଡ଼ିବି ନାହିଁ, କାଠଗଡ଼ାରେ ଠିଆ କରାଇବି ବୋଲି ସୁଜାତା ଭୁବନେଶ୍ୱରରେ ଗଣମାଧ୍ୟମକୁ କହିଛନ୍ତି । ରାଜ୍ୟରେ କେମିତି ଶାସନ ଚାଲିଛି ତାହା ଏଥିରୁ ଅନୁମାନ କରିପାରୁଥିବେ ବୋଲି ସୁଜାତା ମନ୍ତବ୍ୟ ଦେଇଛନ୍ତି । କ୍ରାଇମ୍ ବ୍ରାଞ୍ଚ ତାଙ୍କ ଘରେ ସର୍ଚ୍ଚ କରି ନାହାନ୍ତି ବା ପ୍ରଦୀପଙ୍କୁ ଗିରଫ କରି ନାହାନ୍ତି । ତେବେ, ତାଙ୍କୁ ଘରୁ ଉଠାଇ ଆଣି କେଉଁଠି ରଖିଛନ୍ତି ଜଣାଉ ନାହାନ୍ତି । ପ୍ରଦୀପଙ୍କ ଆକାଉଣ୍ଟରୁ ଅଢେଇ କୋଟି ଟଙ୍କା ବାହାରିବା ସତ । ଝିଅ ବାହାଘର ଥିବାରୁ ଆମେ ତାହା ଯୋଗାଡ କରିଥିଲୁ । ପ୍ରଦୀପଙ୍କ ନାଁରେ ଗୋଟିଏ ବି ଏତଲା ନାହିଁ । ଜଣେ ସିଟିଂ ବିଧାୟକଙ୍କୁ ଯଦି ଏମିତି ଉଠାଇ ନିଆଯାଉଛି ରାଜ୍ୟରେ କେମିତି ଶାସନ ଚାଲିଛି ଅନୁଭବ କରନ୍ତୁ ବୋଲି ସୁଜାତା କହିଛନ୍ତି । ଅପରପକ୍ଷରେ, ଆଇଏଫଏସ୍ ଅଫିସର ଅଭୟ କାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ କୋଟି କୋଟି ଟଙ୍କା ଅର୍ଥ କାରବାରର ତଦନ୍ତ ଇଡି ଆରମ୍ଭ କରିଛି । ମନିଲଣ୍ଡରିଁ କେଶର ତଦନ୍ତ ଆରମ୍ଭ ହୋଇଥିବା ପ୍ରବର୍ତ୍ତନ ମନ୍ତ୍ରଣାଳୟର ଯୁଗ୍ମ ନିର୍ଦ୍ଦେଶକ ମାଧବ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି । ବ୍ରହ୍ମପୁରରେ ଚାଲିଥିବା ଭିଜିଲାନ୍ସ ଏସଆଇଟି ତଦନ୍ତରେ ଅଭୟ ପାଠକଙ୍କ ୬ଟି ବ୍ୟାଙ୍କ ଆକାଉଣ୍ଟ ଓ ୬ଟି ଇନ୍ସୁରାନ୍ସ ପଲିସି ଠାବ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିକଟତମ ଲୋକ ଷଡଯନ୍ତ୍ର କରି ପ୍ରଦୀପଙ୍କୁ ଫସାଇ ଥିବା ଏବଂ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଦୂରେଇ ରଖିବାକୁ ଚକ୍ରାନ୍ତ ଚାଲିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ସିଆଇଡି ସିବି ସାଇବର କ୍ରାଇମର ଏକ ମାମଲା ପିଏସ କେସ ନମ୍ବର ୨୬/୨୦ରେ ପ୍ରଦୀପଙ୍କୁ ଜେରା ପାଇଁ କ୍ରାଇମ୍ ବ୍ରାଞ୍ଚ ଉଠାଇ ନେଇଥିବା ସରକାରୀ ଭାବେ କୁହାଯାଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡ