ଆସୁଛି ବାତ୍ୟା ‘ନିଭାର୍’ : ୨୫ରୁ ପ୍ରବଳ ବର୍ଷିବ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆସୁଛି ବାତ୍ୟା ‘ନିଭାର୍’ । ଆସନ୍ତା ୪୮ଘଣ୍ଟା ଭିତରେ ବାତ୍ୟାର ରୂପ ନେବ ଭାରତ ମହାସାଗର ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ । ଓଡ଼ିଶାକୁ ବିପଦ ନଥିଲେ ବି ୨୫ରୁ ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କଲେ ଏସ୍.ଆର୍.ସି ଭାରତ ମହାସାଗରରେ ଆସୁଛି ଆଉ ଏକ ବାତ୍ୟା ନିଭାର୍ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ଏହା ସାମୁଦ୍ରିକ ଝଡ଼ର ରୂପ ନେଇପାରେ । ପରେ ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ କରାଇକାଲ୍ ଓ ମାମଲାପୁରମ୍ ମଧ୍ୟରେ ଗତି କରିବାର ସମ୍ଭାବନା ରହିଛି । ଏହାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ନାହିଁ । କିନ୍ତୁ ୨୫ ଓ ୨୬ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୬ ତାରିଖରେ ମାଲକାନଗିରି, ରାୟଗଡା, କୋରାପୁଟ, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ତାପମାତ୍ରା ୨ ରୁ ୩ ଡିଗ୍ରୀ ଖସିବା ସହ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ କୁହୁଡ଼ି ଦେଖାଦେବ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା