‘ଆସିବ କଂଗ୍ରେସ, ହସିବ ଓଡ଼ିଶା’ ଏଭଳି ନାରା ଦେଇ ୨୦୧୯ ନିର୍ବାଚନ ଲାଗି ପ୍ରସ୍ତୁତ ହୋଇଛି କଂଗ୍ରେସର ନୂଆ ଇସ୍ତାହାର…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ‘ଆସିବ କଂଗ୍ରେସ, ହସିବ ଓଡ଼ିଶା’ ଏଭଳି ନାରା ଦେଇ ୧୯ ନିର୍ବାଚନ ଲାଗି ପ୍ରସ୍ତୁତ ହେଉଛି କଂଗ୍ରେସ ଏବଂ ଜାରି କରିଛି ନୂଆ ଇସ୍ତାହାର । ଦଳ କ୍ଷମତାକୁ ଆସିଲେ କୃଷି ଋ଼ଣ ଛାଡ଼, ସବୁ ବେକାରୀଙ୍କୁ ନିଯୁକ୍ତି, ଶିକ୍ଷିତ ବେକାରୀଙ୍କୁ ଭତ୍ତା, ମାଗଣା ସ୍ୱାସ୍ଥ୍ୟ ସେବା, ୬ ମାସ ଭିତରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରିବ, ନ୍ୟାୟ ଯୋଜନାରେ ଗରିବଙ୍କୁ ମାସିକ ୬ହଜାର ଟଙ୍କା ଏଭଳି ବିଭିନ୍ନ ପ୍ରତିଶ୍ରୁତି ଦେଇଛନ୍ତି । କଂଗ୍ରେସର ୧୯ଟି ପ୍ରତିଶ୍ରୁତି ସମ୍ମଳୀତ ଦଳୀୟ ଇସ୍ତାହାର ପ୍ରକାଶ କରାଯାଇଛି । ପୂର୍ବ ଘୋଷଣା ଅନୁଯାୟୀ କୃଷିଋଣ ଛାଡ଼, ଋଣ ପୈଠ କରିଥିବା ଚାଷୀଙ୍କୁ ଟଙ୍କା ଫେରସ୍ତ, ଧାନର ଏମ୍ଏସ୍‌ପି ୨୬ଶହକୁ ବୃଦ୍ଧି, ଚାଷୀଙ୍କୁ ମାଗଣା ବିଜୁଳି, ମହିଳା ଚାଷୀଙ୍କୁ ମାଗଣାରେ କୃଷି ଉପକରଣ ଯୋଗାଣ ଲାଗି କଂଗ୍ରେସ ଘୋଷଣାପତ୍ରରେ ଉଲ୍ଲେଖ କରାଯାଇଛି । ପ୍ରତି ପରିବାରରୁ ଜଣଙ୍କୁ ସରକାରୀ କିମ୍ବା ଘରୋଇ କ୍ଷେତ୍ରରେ ଚାକିରୀ, ଶିକ୍ଷିତ ବେକାରୀଙ୍କୁ ମାସିକ ୩ ହଜାର ଟଙ୍କାର ଭତ୍ତା, ଚାକିରୀ ବୟସ ସୀମା ବୃଦ୍ଧି, ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣା ଶିକ୍ଷା ଏବଂ ମହିଳାଙ୍କୁ ମାଗଣା ଉଚ୍ଚଶିକ୍ଷା ଯୋଗାଇ ଦେବ ବୋଲି ଇସ୍ତାହାରରେ କଂଗ୍ରେସ ଉଲ୍ଲେଖ କରିଛି । ସରକାରକୁ ଆସିଲେ ୬ ମାସ ମଧ୍ୟରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବ ବୋଲି ମଧ୍ୟ ବିଜେପି ଭଳି ପ୍ରତିଶ୍ରୁତି ଦେଇଛି କଂଗ୍ରେସ । ରାଜ୍ୟର ସବୁ ବର୍ଗର ଶିକ୍ଷକଙ୍କୁ କେନ୍ଦ୍ରୀୟ ଢାଞ୍ଚାରେ ଦରମା ସହ ରାଜ୍ୟ ବଜେଟର ୨୦ ପ୍ରତିଶତ ଶିକ୍ଷା ବ୍ୟବସ୍ଥା ପାଇଁ ଖର୍ଚ୍ଚ କରାଯିବ । ଜଙ୍ଗଲ ଅଧିକାର ଆଇନ କଡ଼ାକଡ଼ି ଲାଗୁ କରି ଜଙ୍ଗଲ ସୁରକ୍ଷା କରାଯିବ । ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ଥାୟୀ କରିବା ସହ ମାସିକ ଦରମା ୯ହଜାର ଟଙ୍କା କରିବାକୁ ଇସ୍ତାହାରରେ କହିଛନ୍ତି । ୨୦୨୪ ସୁଦ୍ଧା ସମସ୍ତ ଭୂମିହୀନଙ୍କୁ ଘରଡ଼ିହ ଓ ଜମି ପ୍ରଦାନ ସହ ରାଜ୍ୟରୁ ଦାଦନ ସମସ୍ୟା ଦୂର ପାଇଁ କଂଗ୍ରେସ ସଙ୍କଳ୍ପବଦ୍ଧ ବୋଲି ଇସ୍ତାହାରରେ ପ୍ରକାଶ କରିଛନ୍ତି । ଗତ ୨୦ ବର୍ଷରେ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ଯାଞ୍ଚ ଲାଗି ତଦନ୍ତକମିଶନ ଗଠନ, ରାଜ୍ୟର ସବୁ ପରିବାରକୁ ଖାଦ୍ୟ ସୁରକ୍ଷା ଆଇନରେ ସାମି, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅତିକମ୍‌ରେ ଦେଢ଼ ଶହ ଦିନ କାମ ଯୋଗାଣ ସାଙ୍ଗକୁ ବିବାହ ପାଇଁ ଯୁବତୀଙ୍କୁ ଆର୍ଥିକ ସହାୟତା ଦେବାକୁ ମଧ୍ୟ ଘୋଷଣା କରିଛି କଂଗ୍ରେସ ।