ଆସିଗଲା ‘ବୋଲ ବୋମ୍‌ ହର ହର ବମ’

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସିଗଲା ଦେବ ଦେବ ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ ମାସ । ପାଣି ଭାର ନେବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ଶିବ ଭକ୍ତ କାଉଁଡ଼ିଆମାନେ । ଆଗାମୀ ୪ ଜୁଲାଇରୁ ଆରମ୍ଭ ହେଉଛି ଶ୍ରାବଣ ମାସ ଆଉ ମାତ୍ର ୩ ଦିନ । ଶ୍ରାବଣର ପ୍ରଥମ ସୋମବାର ୧୦ ଜୁଲାଇରେ ପଡିବ। ଏହିଥର ଶ୍ରାବଣ ୫୯ ଦିନ ରହିବ। ଅର୍ଥାତ ଶିବ ଭକ୍ତ ମାନେ ୮ ସୋମବାର ପର୍ଯ୍ୟନ୍ତ ମହାଦେବଙ୍କୁ ଜଳଲାଗି କରିପାରିବେ । ଏହା ୪ ଜୁଲାଇରୁ ଆରମ୍ଭ ହୋଇ ୩୧ ଅଗଷ୍ଟରେ ଶେଷ ହେବ। ତେବେ ୧୯ ବର୍ଷ ପରେ ଶ୍ରାବଣ ମାସରେ ଏପରି ଶୁଭ ସଂଯୋଗ ପଡିବାକୁ ଯାଉଛି। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଏହି ଥର ଅଧିକମାସ କାରଣରୁ ଶ୍ରାବଣ ୨ ମାସ ପଡୁଛି। ଅଧିକମାସର ଆରମ୍ଭ ୧୮ ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୧୬ରେ ଶେଷ ହେବ। ଶ୍ରାବଣ ମାସର ମହତ୍ୱ ହେଲା – ଶ୍ରାବଣ ସୋମବାରର ବ୍ରତ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ସମର୍ପିତ ହୋଇଥାଏ। ଯେଉଁଥିପାଇଁ ଏହି ମାସରେ କାଉଡିଆ ମାନେ ପାଣିଭାର ନେଇ ଯାତ୍ରା ଆରମ୍ଭ କରିଥାନ୍ତି। ଛୋଟ ଛୋଟ ଗଡୁରେ ବିଭିନ୍ନ ପବିତ୍ର ନଦୀରୁ ପାଣି ଉଠାଇ ବାଉଙ୍ଗୀ କାନ୍ଧରେ ଧରି, ବୋଲ ବୋମ୍‌ ହର ହର ବୋମ ତୁଣ୍ଡରେ ଧରି ଆଗକୁ ବଢିଚାଲିଥାନ୍ତି ଶିବ ଭକ୍ତମାନେ । ଖାଲ, ଢିପକୁ ଖାତିର ନ କରି ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଏକ ଲୟରେ ଖାଲି ପାଦରେ ମାଡି ଚାଲିଥାନ୍ତି ଶିବଜୀଙ୍କ ମନ୍ଦିର ଆଡକୁ । କାଉଡିଆ ମାନେ ଯେଉଁ ରାସ୍ତା ଦେଇ ଯାଆନ୍ତି ସେ ରାସ୍ତା ଶିବ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥାଏ। କୁହାଯାଏ ଏହି ମାସରେ ମହାଦେବଙ୍କ ଲିଙ୍ଗରେ ପାଣି ଢାଳିଲେ ଅଶେଷ ପୂଣ୍ୟ ମିଳିଥାଏ। ଯିଏ ଯାହା ମନାସିଥାଏ ତାହା ପୁରଣ କରିଥାନ୍ତି ଭୋଳା ଶଙ୍କର। ବର୍ତ୍ତମାନ ସେହି ଦିନକୁ ଅପେକ୍ଷା କରିବା I

ରିପୋର୍ଟ : ନିମାଇଁ ଚରଣ ପଣ୍ଡା