ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ଶିବିର ଆୟୋଜିତ

ଆସିକା(ସମୃଦ୍ଧ ଓଡିଶା)ସୁସ୍ଥ ଜୀବନ ଏବଂ ଆଧ୍ୟତ୍ମିକ ବିକାଶର ସର୍ବୋତ୍ତମ ବିକଳ୍ପ ହେଉଛି ଯୋଗ I ଆଜି ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ମୁକ୍ତ ପ୍ରାଙ୍ଗଣରେ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏକ ଯୋଗ ଶିକ୍ଷା ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ଏନ୍.ସି.ସି.ର ୯୨ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଉକ୍ତ ଶିବିରକୁ ଏନ୍.ସି.ସିର ମେଜର ଡ.ଶଙ୍କର ପ୍ରସାଦ ଅଧିକାରୀ ଏବଂ ଏ.ଏନ୍.ଓ. ପ୍ରଭାତ କୁମାର ଗୌଡଙ୍କୁ ସମ୍ମାନନୀୟ ଅତିଥି ରୂପେ ଅଳଂକୃତ କରାଯାଇଥିଲା । ମହାବିଦ୍ୟାଳୟର ପି.ଇ.ଟି ଶିକ୍ଷକ ତାଲିମ ଶିବିରକୁ ସୁପରିଚାଳନା କରିବା ସହିତ ଯୋଗ ଶିକ୍ଷାର ବିଭିନ୍ନ ପ୍ରକାର ଭଙ୍ଗିମା ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ଅଧ୍ୟକ୍ଷ ଡ. ତ୍ରିପାଠୀ ଶିବିରର ଉଦବୋଧନୀ ବୈଠକରେ କହିଥିଲେ – ‘ଯୋଗ ହିଁ ସୁସ୍ଥ ଜୀବନ ଏବଂ ଆଧ୍ୟାତ୍ମିକ ବିକାଶର ସର୍ବୋତ୍ତମ ବିକଳ୍ପ।’ ସମ୍ମାନନୀୟ ଅତିଥି ମେଜର ଡ. ଅଧିକାରୀ ନିଜ ବକ୍ତବ୍ୟରେ ଯୋଗ ହିଁ ଆଧୁନିକ ଯୁଗ ଶାନ୍ତିଭଙ୍ଗର ରାମବାଣ ଔଷଧ ଅଟେ ବୋଲି କହିଥିଲେ। ଏନ୍.ସି.ସି ର ଏ.ଏନ୍.ଓ ପ୍ରଭାତ କୁମାର ଗୌଡ ଯୋଗକୁ ଦୈନନ୍ଦିନ ଜୀବନରେ ଆପଣାଇବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ। ଅନେକ ଦେଶ ଯୋଗକୁ ଜୀବନର ଅଳଙ୍କାର ରୂପେ ଗ୍ରହଣ କରିନେଲେଣି ବୋଲି ମଧ୍ୟ ସୂଚ଼ାୟୀ ଥିଲେ। ବ୍ୟକ୍ତିତ୍ବ ବିକାଶ ମଧ୍ୟ ଯୋଗ ମାଧ୍ୟମରେ ସମ୍ଭବପର ହେଇପାରେ ବୋଲି କହିଥିଲେ। ପରିଶେଷରେ ଯୋଗ ସଂଦେଶର ବାର୍ତ୍ତା ରଖି ପିଇଟି ସନ୍ତୋଷ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ