ଆନ୍ଧ୍ର ବିଧାୟକ, ପୂର୍ବତନ ବିଧାୟକ ହତ୍ୟା ଘଟଣାରେ 3 ସନ୍ଦିଗ୍ଧ ନକ୍ସଲଙ୍କ ଫୋଟ ଜାରି କଲା ପୋଲିସ

Pictures of 3 maoist suspects in MLA murder case

ବିଶାଖାପାଟଣା: ଆରକୁ ବିଧାୟକ କେ. ସର୍ବେଶ୍ୱର ରାଓ, ପୂର୍ବତନ ବିଧାୟକ ଏସ. ସୋମାଙ୍କ ହତ୍ୟା ଘଟଣାର 24 ଘଣ୍ଟା ମଧ୍ୟରେ ଏହି ଅମାନବୀୟ ଘଟଣାରେ ସମ୍ପୃକ୍ତ 3 ଜଣ ନକ୍ସଲଙ୍କ ଫୋଟ ଜାରି କରିଛି ପୋଲିସ | ବିଶାଖାପାଟଣା ଜିଲ୍ଲା ପୋଲିସ ସିପିଆଇ(ମାଓବାଦୀ) ନେତା ଜଳମୁରି ଶ୍ରୀନୁ ବାବୁ ଓରଫ ସୁନୀଲ ଓରଫ ରିଆନୁ, କମଳେଶ୍ଵରୀ ଓରଫ ସ୍ୱରୂପା, ଭେଙ୍କଟ ରବି ଚୈତନ୍ୟ ଓରଫ ଅରୁଣାଙ୍କ ଫୋଟ ଜାରି କରି ସେମାନେ ଏହି ହତ୍ୟାକାଣ୍ଡର ମୁଖ୍ୟ ସୂତ୍ରଧର ବୋଲି ପୋଲିସ ପକ୍ଷରୁ କୁହାଯାଇଛି |ସୂଚନାଯୋଗ୍ୟ ଯେ ବିଶାଖାପାଟଣା ଠାରୁ 125 କିଲୋମିଟର ଦୂର ଓଡିଶା ସୀମାନ୍ତ ଲିଭିଟିପୁଟ ଠାରେ ଆରାକୁ ବିଧାୟକ ଶ୍ରୀ ରାଓ ଓ ପୂର୍ବତନ ବିଧାୟକ ଶ୍ରୀ ସୋମା ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ସେମାନଙ୍କୁ ପଏଣ୍ଟ ବ୍ଳାଙ୍କରୁ ଗୁଳି କରି ନକ୍ସଲ ମାନେ ହତ୍ୟା କରିଥିଲେ |ପୋଲିସ ସୂତ୍ରରୁ ପ୍ରକାଶ ଯେ, ଜଳମୁରି ଶ୍ରୀନୁ ବାବୁ ଓରଫ ସୁନୀଲ ଓରଫ ରିଆନୁ ଦେଵପାଳମ ଗାଁର ହୋଇଥିବା ବେଳେ କମଳେଶ୍ଵରୀ ଓରଫ ସ୍ୱରୂପା ଭୀମାବରମ ଗାଁର ଏବଂ ଭେଙ୍କଟ ରବି ଚୈତନ୍ୟ ଓରଫ ଅରୁଣା କାରକବଣି ପାଲେମ ଗାଁର | ଏହି ସନ୍ଦିଗ୍ଧମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ବୋଲି ବିଶାଖାପାଟଣା ଗ୍ରାମାଂଚଳ ଏସପି ରାହୁଲ ଦେବ ଶର୍ମା କହିଛନ୍ତି |ପୋଲିସ ସୂତ୍ରରୁ ପ୍ରକାଶ ଯେ, ଅରୁଣା ଓ ତାର ସ୍ୱାମୀ ଚଳାପତି ଓରଫ କୈଳାଶ ସମ୍ପର୍କରେ ଜାଣିବା ପାଇଁ 2016 ମସିହାରେ ସେମାନଙ୍କ ଫୋଟ ଜାରି କରି ପୋଲିସ ଲୋକଙ୍କ ସହଯୋଗ ଲୋଡିଥିଲା | ଅରୁଣା ସେତେବେଳେ କୋରାପୁଟ-ଶ୍ରୀକାକୁଲମ ଡିଭିଜନ କମିଟିର ଡେପୁଟି ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲା | ତେବେ ଲାଭୀତିପୁଟ ଗାଁ ଓଡିଶା ସୀମାନ୍ତକୁ ଲାଗି ରହିଛି ଯେଉଁଠାରେ ଏବେ ସକ୍ରିୟ ଥିବା ମାଓ ସଂଗଠନ ନନ୍ଦପୁର କମିଟିର ନେତୃତ୍ୱ ଅରୁଣା ନେଉଛି | ତେଣୁ ଅରୁଣାର ଯୋଜନା ଅନୁଯାୟୀ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି | ଏହା ପରେ ଆନ୍ଧ୍ର-ଓଡିଶା ସୀମାରେ ପୋଲିସ ପ୍ରହରା କଡା କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି |