ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ସଫଳତା:ମହେଶ୍ୱର ସାହୁ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକର ଭିକାରୀ ପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଲଣ୍ଡାବାଉଁଶ ଗ୍ରାମରେ ବାଲୁକାଶିଳ୍ପୀ ମହେଶ୍ୱର ସାହୁ ଆଉ ଏକ ସଫଳତା ହାସଲ କରିଛନ୍ତି । କୋଣାର୍କ ଚନ୍ଦ୍ରଭାଗା ଠାରେ ଗତ ୧ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ସେ ଅଂଶଗ୍ରହଣ କରି ତୃତୀୟ ସ୍ଥାନ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ଶ୍ରୀଲଙ୍କା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ଆମେରିକା ଓ ଭାରତର ସମୁଦାୟ ୧୦୫ଜଣ ବାଲୁକା ଶିଳ୍ପୀମାନେ ଗତ ୫ ଦିନ ଧରି ନିଜ ନିଜର ବାଲୁକା କଳା ପ୍ରଦର୍ଶନ କରିଥିଲେ । ଏହି ବାଲୁକା କଳାରେ ପୁରୀର ବୁଲୁ ପ୍ରଥମ ଓ ଜିତେନ୍ଦ୍ର ଦ୍ୱିତୀୟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଲଣ୍ଡାବାଉଁଶ ଗ୍ରାମର ମହେଶ୍ୱର ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ୱାରା ସେମାନଙ୍କୁ ସାର୍ଟି ଫିକେଟ ସହିତ ମାନପତ୍ର ଓ ଉପଢୌକନ ଦେଇ ଶୁଭେଚ୍ଛା ଜଣାଇଥିଲେ । ମହେଶ୍ୱର ସାହୁ ଜଣେ ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ସେ ଦୀର୍ଘ ଦିନ ହେଲା ବହୁ ପରିଶ୍ରମ କରି ବାଲୁକା କଳା ପ୍ରଦର୍ଶନ କରି ଆସୁଛନ୍ତି । ପୂର୍ବରୁ ସେ ଏହି ଅନ୍ତର୍ଜାତିକ ପ୍ରଦର୍ଶନୀରେ ଲଗାତର ଦ୍ୱିତୀୟ ଓ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେ ଗୋପାଳପୁର ବିଚ୍ ଫେଷ୍ଟିବଲ ସମେତ ବହୁ ଜିଲ୍ଲା ଓ ଜିଲ୍ଲା ବାହାରେ ବାଲୁକା କଳା ପ୍ରଦର୍ଶନ କରି କୃତିତ୍ୱ ହାସଲ କରିଛନ୍ତି । 

ରିପୋର୍ଟ : ନିମାଇଁ ଚରଣ ପଣ୍ଡା