ଆଉ ଥରେ ଆସିବ କେବେ ?

ପୁଣି ଯଦି କେବେ ଦେଖା ହେବା
ଆମେ ସେଇ ଖୋଲା ଛାତ ଉପରେ
କଅଣ କହିବ ମୋତେ
ମୁଁ ଶୁଣୁଥିବି
ନା ମୁଁ କହୁଥିବି ତୁମେ ଖାଲି ହୁଁ ମାରୁଥିବ
ଅଥଚ ମୋ ଥରିଲା ଛାତି ଓଠ ଚୁପ ରହିଥିବେ
ତୁମକୁ ପାଇବି ପାଖରେ,
ତୁମେ ନିଲିପ୍ତ ନିର୍ବିକାର ଉଲଗ୍ନ ଚିନ୍ତାରେ
କେହି ବି କାହାକୁ କିଛି ପଚାରୁ ନ ଥିବା
ଅନେକ କଥା ପଚାରିବାକୁ ରହିଯାଇଥିବ
ଅସମାହିତ ପ୍ରଶ୍ନ ହୋଇ ହୃଦୟରେ ଅନ୍ତର ଗୁହ୍ୟରେ
ତୁମେ ମୋତେ ଯାଉଛ ବୋଲି
କହି ପାରିବନି
ମୁଁ ବି ମନା କରି ପାରିବିନି
ଯାଅ ନାହିଁ ଏତେ ସଅଳ
କହିନାହିଁ ପଦେ କଥା ତ ଭଲରେ,
ତୁମେ ଶୁଣ କି ନ ଶୁଣ
ମୁଁ ପଚାରି ପାରିବିନି ଆଉ କେବେ ଆସିବ
ପ୍ରତିଟି ପାହାଚ ଅତିକ୍ରମ କଲାବେଳେ
ମୁଁ ଉତୁରି ପଡୁଥିବି ତୁମ ଆଦେଖା ଆଶ୍ଲେଷରେ
ଦୀର୍ଘଶ୍ଵାସର ଗରମ ବାମ୍ଫ ଆଉ ନିରବତାକୁ
ମୋତେ ଦେଇ
ତୁମେ ଯିବାକୁ ଚାହୁଁଥିବ
ଅଥଚ ପାଦ ଅଟକି ଯାଉଥିବ ପ୍ରତିଟି ପାହାଚରେ
ମନ କହୁଥିବ
ବାଜି ଯାଆନ୍ତା କି ହାତ ତାର
ପଣତ ଆଡେଇବା ଆଳରେ,
ଫେରି ଚାହୁଁଥିବ ଆଉ ପଦେ କଅଣ
କହିଦେବା ଆଶାରେ
ମୁଁ ପଚାରି ପାରୁ ନ ଥିବି ଆଉ କେବେ ଆସିବ,
ଦେଖା ହେବା ଏଇ ଜୀବନରେ
ଏଇ ଖୋଲା ଛାତ ଉପରେ ।
                                                                                       ଲେଖକ : ତପସ୍ୱିନୀ ଦାଶ,ବାରିପଦା

ଭାରି କଠିନ

ତମ ଆବର୍ତ୍ତମାନରେ
ଭାରି କଠିନ ପ୍ରିୟ ପ୍ରୀତି ପାଳିବା
ଖଣ୍ଡା ଧାରରେ ବାଟ ଚାଲିବା
ଶୁନ୍ୟ ଆରୋହଣ ରେ ବାଟ ଚାଲିବା
ପବନ କୁ ହାତ ମୁଠାରେ ଧରିବା
ଯେମିତି କି ପାରଦ କୁ ହାତ ମୁଠାରେ ଧରିବା
ତୁମେ କେମିତି ବୁଝିବ
କେମିତି ବିତେ ଜଣକ ବିନା ଆଉ ଜଣକ
ଅଧୁରା ଜୀବନ
ପ୍ରତିକ୍ଷିତ ନିର୍ବନ୍ଧ ର ରଜନୀ
ପ୍ରସ୍ତାବିତ ଲଗ୍ନ ର ତିଥି ମୁହଁର୍ତ୍ତ
ଅତିକ୍ରମ କରିଗଲେ
କେମିତି ସନ୍ତାପିତ ହୁଏ ଏ ମନପ୍ରାଣ
ଏକୁଟିଆ କାଚ ଝର୍କାରେ ଜହ୍ନ ଦେଖିବା
ଖଣ୍ଡ ଖଣ୍ଡ ମେଘମାଳା ଭିତରେ
ଭାଙ୍ଗିଯାଉଥିବା ପ୍ରତିଶ୍ରୁତି ର ନିରାକାର
ରୂପ ସହ ଭଗ୍ନ ଭବିଷ୍ୟତ ର
ମାନଚିତ୍ର ଦେଖିବା
ପ୍ରତୀକ୍ଷାର ନୀଳ ନୀଳ ପରସ୍ତ କୁ
ନିଜେ ହିଁ ପରଖୁଥିଲେ କେମିତି ଲାଗେ
ତୁମେ କେମିତି ବୁଝିବ ପ୍ରିୟ
ମାହେନ୍ଦ୍ର ବେଳା ଗଡ଼ିଗଲା ପରେ
ଭାରି କଠିନ
ପୁଣି ସଜ ସଜ ଗୋଲାପ ହୋଇ
ଫୁଟିବା ଦୁନିଆ ବଗ
 
                                       ଲେଖକ : ତପସ୍ୱିନୀ ଦାଶ,ବାରିପଦା

ସନ୍ଦେହ ଅବିଶ୍ୱାସ

ଯହୁଁ ଯହୁଁ ବଢିଯାଏ ସମୟର ଆୟୁଷ
ମାସ ପରେ ମାସ
ବର୍ଷ ପରେ ବର୍ଷ
ବ୍ୟବଧାନ ବଢ଼ି ଚାଲେ ସିନା
କମେନି ତ ସମ୍ପର୍କ ଭିତରେ ସନ୍ଦେହ ଅବିଶ୍ୱାସ
ଥରେ କାଠରେ ଲାଗିଗଲେ ଘୁଣ
ଫୁଟି ଗଲେ ଛତୁ
କି ଲାଭ ଥାଇ ଏ ସମ୍ପର୍କ
କାଗଜ କଲମରେ ଲେଖାଥାଏ ପରିଚୟ
ଅମୁକ ଲୋକ ଝିଅ ଅମୁକ ର ବୋହୁ
ହୀନ ପରିଚୟ ବୃଥା ଆସ୍ଫାଳନ
ଅନୁତାପ ରେ ଯଦି ହୁଏ ପାପର ପ୍ରାୟଶ୍ଚିତ
ପାପ ଠାରୁ ଢେର ବେଶୀ କଲାଣି ତ ଅନୁତାପ
କାହିଁ ଧୋଇ ଯାଉନି ତ ତା ପାପ
ବରଂ ବେଳୁ ବେଳୁ ଧୋଇ ଧାଇ ଚିକ୍କଣ ଚାକକ୍ଣ
ବେଶୀ ଜଳଜଳ ତା ଅସଫଳ ତାଲିକା
ଆଉ ନୁହେଁ ଢେର ହେଲା
ବିଶ୍ବାସ ରେ ବନ୍ଧା ଏ ଜୀବନ
ବିଶ୍ବାସ ତୁଟିଗଲେ ଗାଢ଼ ହୋଇ ପାରେକି
ଦାମ୍ପତ୍ୟ ଜୀବନ,
ମାନିଲେ ଠାକୁର ନୋହିଲେ ତୁଚ୍ଛା କାଠ ପଥର
ଭୁଲ ର ପୁନରାବୃତ୍ତି ନ କରିବା ପାଇଁ
ସେ ତ ଖାଇଲାଣି ଅନେକ ରାଣ ନିୟମ
ସତେକିବା ଏ ସବୁ କାହା ପାଇଁ ପାଣିଗାର
ବହୁ ପ୍ରତୀକ୍ଷିତ ଏକାନ୍ତ ମୁହୂର୍ତ୍ତରେ
ଆସିଯିବ କି ସେ ବିଶ୍ଵାସ ଭାଙ୍ଗିଥିବା
ନିଜକୁ ସାମ୍ନା ସାମ୍ନି କରି ପାରୁ ନ ଥିବା ଦୃଶ୍ୟ
ଭଲ ପାଇବା ସମର୍ପଣ ଭିତରେ
ସେ ଅଭାବନୀୟ ଅନିମନ୍ତ୍ରିତ ଶୁନ୍ୟସ୍ଥାନ
ଯାହାକୁ ଏଡାଇ ଯିବା ଭାରି କଷ୍ଟ
ଯେମିତି ସେତକ ହିଁ ତା ପାଇଁ ସର୍ବଶ୍ରେଷ୍ଠ
ଯାହାକୁ ନେଇ ବଂଚିବାକୁ ହେବ ଅବଶିଷ୍ଠ ଜୀବନ।
                                                              ଲେଖକ : ତପସ୍ୱିନୀ ଦାଶ,ବାରିପଦା,ମୟୁରଭଞ୍ଜ

ଜୀବନ ର ଅନ୍ୟନାମ ଯନ୍ତ୍ରଣା

ଜୀବନ ନେଇ ତମେ କେତେ ପଢିଛ ଜାଣେନା
ଜୀବନ ନେଇ ତମେ କେତେ ଲେଖିଛ ମୁଁ ଜାଣିବାକୁ
ଚାହେଁନା
ଜୀବନ ଜିଇଁବା
ଜୀବନକୁ ନେଇ କାହା ଆଗେ ଥୋଇବା
ଏତେ ସହଜ ନୁହଁ ମ ଜମା
ଏ କଥା ମୋଠୁ ଅଧିକ କିଏ କହିବ ମୁଁ
ଭାବିପାରେନା,
ଜୀବନ ର ମାନେ କଅଣ ତୁମେ ଏଇଆ ବୁଝ
ଢୋକେ ପିଇ ଦଣ୍ଡେ ଜିଇଁବା
ଲଜ୍ଜା ମାନେ କଅଣ ତୁମେ ଏଇଆ ବୁଝ
ଗୋଟେ ବାର ହାତ ଶାଢ଼ୀ
ପିନ୍ଧି ନଇଁ ନଇଁ ଚାଲିବା
ଲଜ୍ଜାଛଡ଼ା ମାନେ କଅଣ ତୁମେ ଏଇଆ ବୁଝ
ସାତସିଆଁ ଲୁଗା ଖଣ୍ଡେ ପିନ୍ଧି ଦାଣ୍ଡରେ ଚାଲିବା
କେଜାଣି ତୁମେ ଏଇ ବିଂଶ ଶତାବ୍ଦୀ ର
ମଣିଷ,
ମୁଁ ଭାବେ ତୁମେ
ୟା ଠଉଁ ନିଶ୍ଚୟ ଅଧିକା,
ସମ୍ପର୍କ କଥା ତୁମ ସହ ତ ଆଲୋଚନା
କରିବା ନିର୍ଘାତ ବିଡମ୍ବନା
ଆଜି ଯାଏ ଏକ ଭ୍ରମ ଧାରଣା ମୋର ବସା
ବାନ୍ଧିଥିଲା,
ଲାଗୁଥିଲା ଗତାନୁଗତିକ ଧାରା ରୁ
ତୁମେ ବୋଧେ ସାମାନ୍ୟ ଅଲଗା
ଏତେ ମିଛ କେମିତି ହେଲା
ମୋ ଚିନ୍ତା ଚେତନା ଯାହା ଅନେକ ଉଚ୍ଚରେ ଥିଲା
ଅବଚେତନ ମନ ଟା ଖାଲି ଯା ବାହୁନି ବାହୁନି କାନ୍ଦୁଥିଲା
ଅଥଚ ଦେଖାଇବାର କାଣିଚାଏ ଯୁ
ନ ଥିଲା ,
ଭଲ ହେଲା ଜିଇଁ ଜିଇଁ ଥାଉଁ ଥାଉଁ ଅନ୍ତତଃ
ଚିହ୍ନି ହେଲା ଲୋକ ଚରିତ୍ର
ମୁଁ ଜାଣେ କିଛି ପାଇବାକୁ ହେଲେ
ହରାଇବାକୁ ପଡେ ତା ଠାରୁ ଢେର ଅଧିକା,
ଦୁଃଖ ନାହିଁକି ନାହିଁ ଅବଶୋଷ ମନେ
ଆଉ ଯାହା ଅଛି ନେଇଯାଅ
ମୋ ଜୀବନ ନାଟିକା ନାରୀତ୍ବ ର ଶେଷ ଟୁକୁଡା
ଦେହ ଦାହ ଅନ୍ତରଦାହ ଏପରିକି
ଶେଷ ସ୍ପର୍ଶ ର ଶେଷ ଶୀହିରଣ ବି
ଯାହା ଅନେକ ପ୍ରଚେଷ୍ଟା ପରେ ମିଳିଥିଲା
ମନା କରୁନାହିଁ ହେଲେ ମୋ ପରେ
ଆଉ କାହା ଜୀବନରେ ନ ଆସୁ
ଏ ସୁବର୍ଣ୍ଣ ହରିଣ ଧରିବାର ସର୍ବଶେଷ କାମନା।
                                            ଲେଖକ : ତପସ୍ୱିନୀ ଦାଶ,ବାରିପଦା,ମୟୁରଭଞ୍ଜ

ଯନ୍ତ୍ରଣା ବଢାଏ ଯନ୍ତ୍ର

ଯନ୍ତ୍ରଣା ଭୁଲିବି ବୋଲି ଯନ୍ତ୍ର ରେ ତୋ ହାତ ଧରିଥିଲି
ମୁଁ କି ଜାଣିଥିଲି ସେଇ ଯନ୍ତ୍ର ଯନ୍ତ୍ରଣାକୁ
ତୁ ଦୁଇଗୁଣା କରି ଦେବୁ ବୋଲି
କାହିଁ ଶାନ୍ତି କାହିଁ ପ୍ରେମ
ଯୁଆଡେ ଦେଖୁଛି ସେ ଆଡେ ତ ଖାଲି ଯୁକ୍ତିତର୍କ
ହସିବାକୁ ଚାହିଁ କେମିତି ହସିବି
ଆକାଶରୁ ଚନ୍ଦ୍ର ଉଇଁଲାଣି
ସୂରୁଜ ଟା କେବେଠୁ ଗଲାଣି
ହେ ଯନ୍ତ୍ର ତୋତେ ଆଜି କରୁଛି ସଲାମ
ମଣିଷର ମଣିଷ ପଣିଆ ଦେ ତୁ ଫେରାଇ
ହସ ହସ ମୁହଁ ଦେଇ ଦୁନିଆ କୁ କରିଦେ
ପୁଣି ହାସ୍ୟମୟୀ,
ଏଇ ମନେ ସ୍ନେହ ଅଛି ଏଇ ଓଠେ ମଧୁ ଅଛି
କାହିଁକି ମୁଁ ପାରୁନାହିଁ ବାଣ୍ଟି
ତୋ ହାତ ଧରି
ଭାବିଥିଲି ଦିନେ ଯିବି ତରି
କାହିଁକି କେଜାଣି ଗଗନ ଛୁଇଁବା
ଆକାଶ କଇଁଆ
ପଡୁଅଛି ସାଗରରେ ନିତି ନିତି
ଘୁରି ଘୁରି …                                                         ଲେଖକ : ତପସ୍ୱିନୀ ଦାଶ,ବାରିପଦା,ମୟୁରଭଞ୍ଜ 

ସମୁଦି ହେ ତୁମ ଝିଅକୁ ନିଅ

ସମୁଦି ହେ ଟିକେ ଟିକେ ଶୁଣ
କି କହିବି ତୁମ ଝିଅ ଗୁଣ,
ସହି ହେଉନାହିଁ ତାର ଉତ୍ପାତ
ଜାଣି ନ ଥିଲୁ ସେ ଏଡ଼େ ବିତ୍ପାତ
ମଧ୍ୟପ୍ରଦେଶ ରୁ ଯାଇ ବାଛି ଆଣିଲୁ
କିଏ ଜାଣିଥିଲା ସେ ଆଳୁ ନୁହଁ ବଣ ର ଓଲୁ,
ଶାଶୁ ଶ୍ବଶୁର କିଛି ମାନୁନାହିଁ
ବଡ଼ ସାନ କିଛି ବିଚାର ନାହିଁ,
କାହାକୁ ଜୀବନରୁ ମାରି କଲା ଘାଇଲା
ମଣିଷଠୁ ବଳଦ ଯାଏ ଲାଗିଛି ପାଲା
ସାତକୋଶିଆ ବଣକୁ ପୁରା ଯାଚିଲୁ
ବାଛି ବାଛି ମହାବଳ ନେ’ ବୋଇଲୁ
ପସନ୍ଦ ହେଉନି ତାର କେଇଟା ବର
ମନରେ ରଖିଛି କିବା ଆଉ କେ ବର
ଧନ୍ୟ ହେ ସମୁଦି ତା’ ମା କେମିତି ଗଢ଼ିଛି
ସଂସ୍କାର ଚଳଣୀ କିବା ଦେଇନି କିଛି
ଆମ ନନ୍ଦନକାନନ ଯାଅ ଦେଖି ଆସିବ
ବାଘ ବାଘୁଣୀ କୁ ହରିଣୀ କହିବ
ଶାନ୍ତଶିଷ୍ଠ ମଧୁର ରୂପ ଲାବଣ୍ୟମୟୀ
ଧଳା ବାଘୁଣୀ କୁ ଦେଖି ଭୁଲି ଯିବନି
ବନ ବିଭାଗକୁ କଲାଣି ଘାଇଲା
ତ୍ରାହି ତ୍ରାହି ଡାକିଲାଣି ସାରା ଓଡିଶା
ଟ୍ରଙ୍କୁଲାଇଜର କୁହ ସିସି କ୍ୟାମେରା
ସବୁ ପାଣି ଫାଟିଲାଣି ତା ବାଗ ବାଘୁରା
ଧନ୍ୟ ଧନ୍ୟ ଆହେ ସମୁଦି ଶୁଣ
ଆଉ ସହି ପାରିବୁନି ତମ ଝିଅ ର ଟାଣ
ଲୋଡ଼ା ନାହିଁ ଆମ ଏଠି ବଂଶ ବିସ୍ତାର
ସାରା ଓଡ଼ିଶାଟା ଯିବ ସରଗପୁର
ଭଲରେ କହୁଛୁ ଆମେ ଶାନ୍ତ ନିରିହା
ଏ ଯାଏ ଦେଇନୁ ନିନ୍ଦା ମଣିଷ ଖିଆ
ଭଲରେ ଭଲରେ ସମୁଦି ଝିଅକୁ ନିଅ
ଶାନ୍ତିରେ ଆମକୁ ଟିକେ ଜୀଇଁବାକୁ ଦିଅ।
                                                ଲେଖକ : ତପସ୍ୱିନୀ ଦାଶ,ବାରିପଦା,ମୟୁରଭଞ୍ଜ

ନାରୀ ତୁମେ ବନ୍ଦନୀୟା


ଯୁଗଦ୍ରଷ୍ଟା ବ୍ରହ୍ମା
ପରମ ପୂଜ୍ୟ ଈଶ୍ବର ଙ୍କ ଇଚ୍ଛାମତେ
ଗଢିଥିଲେ ଯେଉଁ ନାରୀ ଓ ପୁରୁଷ
ଯୁଗ ସଂରଚନା ବେଳେ
ଉଭୟ କୁଆଡେ ଉଭୟଙ୍କ ଏକ ଓ ଅଭିନ୍ନ
ସୃଷ୍ଟି ତରଣୀ ର ଦୁଇ ନାଉରୀ
ଏବେ ଏବେ କଳା ଭଉଁରୀ
ମାଆ ପୂଜା ପାଇଁ କେତେ ବନ୍ଦନା
ମନ୍ତ୍ର ଆରାଧନା
ଧନ୍ୟ ଧନ୍ୟ ସବୁ ବିଡମ୍ବନା
ଆତସବାଜି ଚାରିଆଡ଼ ଆଲୋକର ମାଳା
ଠିକ ସେଇବେଳେ
କେଉଁ ଏକ ନିକାଂଚନ ସ୍ଥାନେ
ହାହାକାର ସ୍ୱରେ ଚିତ୍କାର କରୁଥାଏ ଅବଳା
ଏଇତ ନାରୀ ର ବନ୍ଦନା
ବୁଝି ପାରୁନାହିଁ ଏ କେଉଁ ମାଆ ର ଆରାଧନା
ପିଶାଚ ପୂଜକ ର ହସ୍ତେ
ଏତେ ବେଶ ଏଡ଼େ ଲହଲହ ଜିଭ
ମାଆ ର ଭିଆଣ
ଘଣ୍ଟ ଘଣ୍ଟା ଭେରୀ ତୁରୀ ତାଳ ଲୟ
ସବୁ କିବା ଭୋଗ ରାଗ ଅନୁରାଗ ବିରାଗ
ଧୂପ ଝୁଣା ମାଆ ର ବନ୍ଦାପନା
ଆଉ ମାଗ ନାହିଁ ଚାନ୍ଦ ଭେଦା
ବନ୍ଦ କର ମାଆ ର ପୂଜନ
ରହୁ ସେ ଅପୂଜା
ଯୋଉ ମାଆ ନିର୍ଯାତିତା କେଉଁ ନରାଧମ
ପୁରୁଷର କଳୁଷିତ ପଶୁ ହାତେ
ସେଠି କିଆଁ ମାଆ ପୂଜା ଲୋକ ଦେଖାଣିଆ
ମିଛ ମିଛ ନାରୀ ତୁମେ ବନ୍ଦନୀୟା ।

       ଲେଖକ : ତପସ୍ୱିନୀ ଦାଶ,ବାରିପଦା,ମୟୁରଭଞ୍ଜ

ଆମ ଦଳରେ ପୁରାଇ ଦେବୁନୁ

ସକାଳୁ ପ୍ରାତଃ ଭ୍ରମଣରେ ଯାଇ ଗୋଟାଏ ଦୃଶ୍ୟ ଦେଖି ଘଡ଼ିଏ ଛିଡା ହୋଇଗଲି ।ଦୃଶ୍ୟଟି ଥିଲା ଏହିପରି , ଗୋଟାଏ ମଜଭୁତ କୁକୁର କୁ ପୁଞ୍ଝାଏ ଦୁର୍ବଳିଆ କୁକୁର ମିଶିଯାଇ କାମୁଡି ଅଧା ଘାଇଲା କରି ସାରିଥିଲେ। ତଥାପି ମନ ମାନୁ ନ ଥିଲା ଯେ ତା କାନକୁ ଧରି ଏକତ୍ର ମିଶି ଘୋଷାଡି ନେଇ ଯାଇଥିଲେ କୋଷେ ବାଟ, କିଛି ତା ପେଟ ପାଖରୁ ମେଞ୍ଚେ ମାଂସ ନେଇ ବି ଶାନ୍ତି ହେଉ ନ ଥିଲେ ଦୂରରେ ଛିଡା ହୋଇ ଆଉ କିଛି ଦେଖଣାହାରୀ କୁକୁରଙ୍କୁ ଆହ୍ୱାନ ଦେଉଥିଲେ । ସେମାନେ ବି ପାଖକୁ ଆସିବାକୁ ସାହସ କରି ନ ଥିଲେ ସତ ହେଲେ ସମର୍ଥନ ଭାବ ରେ ଉଣା କରି ନ ଥିଲେ ।
ଆଉ ପଂଝେ ଧାଇଁ ଆସୁଥିଲେ ପୁଣି ଧାଇଁ ପଳାଉଥିଲେ ଜଣା ପଡୁଥିଲା ଯେମିତି କି ମୁକୁଳାଇବାକୁ ଇଚ୍ଛା ଅଥଚ ଏ କୁଜି ନେତାଙ୍କ ହାବୁଡ଼ରୁ ରକ୍ଷା କରିବାକୁ ସାହସ ନ କରି ଫେରି ଯାଉଥିଲେ । ଆଉ ଥୋକେ ଖୁବ ଦୂରରେ ରହି ଅତି ବିକଳରେ କରୁଣ କ୍ରନ୍ଦନ କରୁଥିଲେ, ଅଥଚ ମୋଟରୁ ପାଖକୁ ଆସୁ ନ ଥିଲେ । ଅମାପ ଶକ୍ତି ଥିବା କୁକୁର ଟି ସେତେବେଳକୁ ସମ୍ପୂର୍ଣ୍ଣ ରକ୍ତାକ୍ତ ଅବସ୍ଥା ।କିଛି ଲୋକଙ୍କ ଆଖିରେ ଏ ବିକଳ ଅସହାୟ ଦୃଶ୍ୟ ଗଲା ନାହିଁକି କଅଣ ତଳୁ ଉଠାଇ ଦି ଚାରିଟା ଟେକା ଗୋଟାଇଲେ । ବୋଧହୁଏ ଆହତ କୁକୁର ଟିକୁ ମୁକୁଳାଇବାର ଅପଚେଷ୍ଠା ।ହେଇପାରେ ତଥାପି କାହିଁକି ଆନ କଥାରେ ମଥା ଖେଳାଇବେ ଭାବି ବୋଧହୁଏ ଅଭିନୟରେ ଧିର ।କଥାଟା ଦିହରେ ଗଲାନି ।ଭାବୁଥିଲି ଆମ ମଣିଷ ଜାତିଟା କୁକୁର ଙ୍କୁ ଠାରୁ କୋଉ ପୃଥକ କି ।ଲୋକ ଚରିତ୍ର ଠିକ ଏହିପରି ।ଆମେ ଏତେ ଶକ୍ତିଶାଳୀ ଦଳ ଗଢିଛୁ ଯେ ସେ ଭିତରକୁ କାହାରି ଅନୁପ୍ରବେଶ ନାହିଁ।ଭଲ କଥାଟି ଶୁଣିବାକୁ ଆମ ପାଖରେ ମାନସିକତା ନାହିଁ । ଆମେ ଯାହା କହୁଛୁ ତାକୁ ତୁମେ ମାନିବାକୁ ବାଧ୍ୟ । ଯଦି ପାଟି ଫିଟାଇଲ ଆମେ ତମକୁ ଏମିତି ଘାଇଲା କରିବୁ ସମୟରେ ରାସ୍ତାରୁ ବି ହଟାଇବାକୁ ପଛେଇବୁନି। ଏ ଅନ୍ୟାୟ କୁ ଦେହରେ ନ ଗଲେବି କିଛି ଦୂରରେ ରହି ପ୍ରଳାପ କରୁଥିବେ ଅଥଚ ପ୍ରତିରୋଧ କରିବାକୁ ବଳ କୁଳାଉନାହିଁ , ସାହସ ପାଉନାହିଁ ।କି ନିଜ ସ୍ଥାନରୁ ଆସୁଥିବେ ପୁଣି ଫେରି ଯାଉଥାନ୍ତି । ଆଉ କିଛି ଦୂରରେ ଥିବେ ହାତ ତାଳି ମାରି ଉତ୍ସାହିତ କରିବାରେ ହେଳା କରନ୍ତିନି । ଆଉକିଛି ଥାଆନ୍ତି ସେମାନେ ହଁ ରେ ନାହିଁ କି ନା ରେ ନାହିଁ ।ହଲିଲା ପାଣିରେ ଗୋଡ଼ ଦେବେନି ଭାଇ ତୁମର ଯାହା ହେଉଛ ହୁଅ ଆମେ ଆମର ଭଲ ରେ ଦିନ କାଟିଦେଲେ ଗଲା । କହିଲେ ବି କାଳର କରାଳ ସ୍ରୋତରେ ଯିଏ ଥରେ ପାଦ ଦେଇଛି ସେ କହିଲେ କୋଉ ମାନିବି ତେଣୁ ସବୁଠୁ ଚୁପ୍ପ ରହିବା ଭଲ ନିତି ରେ ରହିଯାନ୍ତି ।ଭାବୁ ଭାବୁ କେତେବେଳେ କୁକୁର କଳି ରୁ ଆଗେଇ ଆସିଥିଲି ଜାଣିପାରି ନ ଥିଲି ।
                                         ଲେଖକ : ତପସ୍ୱିନୀ ଦାଶ,ବାରିପଦା,ମୟୁରଭଞ୍ଜ