ଆଉଟସୋରସିଂ କର୍ମଚାରୀଙ୍କ ଦାବୀକୁ ସରକାରଙ୍କ ଅଣଦେଖା: ଦାବୀ ପୂରଣ ନ ହେଲେ ହେବ ତୀବ୍ର ଆନ୍ଦୋଳନ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ରାଜ୍ୟରେ ବିଭିନ୍ନ ବିଭାଗରେ ସ୍ୱଳ୍ପ ଦରମାରେ କାର୍ଯ୍ୟରତ ଆଉଟଶୋରସିଂ କର୍ମଚାରୀମାନେ ଗତ ନଭେମ୍ବର 26 ଓ ପରବର୍ତୀ ସମୟ ମାର୍ଚ୍ଚ 26 ରେ ଦୁଇ ଦୁଇଥର ରାଜ୍ୟ ସ୍ତରୀୟ ଆନ୍ଦୋଳନ ମାଧ୍ୟମରେ ନିଜର ବହୁଦିନର ସ୍ଥାୟୀ ନିଯୁକ୍ତି ଦାବୀକୁ ନେଇ ସରକାରଙ୍କ ଦୃଷ୍ଟିକୁ ଆଣିଥିଲେ ମଧ୍ୟ ରାଜ୍ୟ ସରକାର କେବଳ ପ୍ରତିଶୃତି ଦେଇ ଏ ପର୍ଯ୍ୟନ୍ତ ଦାବିକୁ ପୂରଣ ନ କରି ଦିନ ଗଡ଼ାଇ ଚାଲିଛନ୍ତି I ଏହାକୁ ନେଇ ଆଉଟସୋର୍ସିଙ୍ଗ ମହାସଂଘ ପୁନଶ୍ଚ ସମ୍ପୂର୍ଣ୍ଣ କାର୍ଯ୍ୟାବନ୍ଦ ଆନ୍ଦୋଳନ କରିବାକୁ ପୂର୍ବରୁ ନିଷ୍ପତି ଅନୁଯାଇ ଆଜି 23 ଜୁନରେ ରାଜ୍ୟ ସାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ରାଜ୍ୟ କମିଟିର ଡାକରା କ୍ରମେ ଗଞ୍ଜାମ ଜିଲ୍ଲାର ସମସ୍ତ ବିଭାଗରେ କାର୍ଯ୍ୟରତ ଆଉଟସୋରସିଂ କର୍ମଚାରୀମାନେ ସ୍ଥାନୀୟ କମାପଲ୍ଲୀ ଛକରୁ ବିଶାଳ ରାଲିରେ ବାହାରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର, ବ୍ରହ୍ମପୁରଙ୍କ ମାଧ୍ୟମ ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି I ଜିଲ୍ଲା ସଭାପତି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ରାଜ୍ୟ ଆବାହକ ପ୍ରତାପ ପ୍ରଧାନ ରାଜ୍ୟ ସରକାରଙ୍କ ଏଭଳି କର୍ମଚାରୀ ମାରଣ ନୀତିକୁ ନିନ୍ଦା କରିବା ସହିତ, ଆଉଟଶୋରସିଂ କର୍ମଚାରୀଙ୍କ ଦାବୀ ପ୍ରତି ସରକାରଙ୍କ ଅଣଦେଖା ଯୋଗୁଁ 5T ଓ ମୋ ସରକାର ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି କହିଥିଲେ I ପୂର୍ବାହ୍ନରେ ଛତ୍ରପୁର ଠାରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ ସହ ବିଶାଳ ରାଲି ସହ ଶତାଧିକ କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ମଧ୍ୟ ଦେଇଥିଲେ I ଆୟୋଜିତ ବୈଠକରେ ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ପ୍ରଶାନ୍ତ ମହାରଣା ଯୋଗଦେଇ ଆଗାମୀ ଦିନରେ ଆନ୍ଦୋଳନକୁ ଉଗ୍ର ରୂପ ଦେବାକୁ ଆହ୍ୱାନ କରିଥିଲେ I ଯଦି ମାସକ ଭିତରେ ଦାବୀ ପୂରଣ ନ ହୁଏ ତେବେ ସମ୍ପୂର୍ଣ କାର୍ଯ୍ୟାବନ୍ଦ ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବାର ପ୍ରସ୍ତାବ ରହିଛି ବୋଲି କହିଥିଲେ I ଗଞ୍ଜାମ ଜିଲ୍ଲା କମିଟି ତରଫରୁ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କ ପ୍ରତିନିଧିମାନଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକ ରେ ବର୍ତମାନର ସରକାର ଭୁଆଁ ବୁଲାଇବା ସରକାର ବୋଲି ଅବିହିତ କରିବା ସହିତ ସମସ୍ତ ସରକାର ଯୋଜନା ଗୁଡିକୁ ସଫଳ କରିବାରେ ମୁଖ୍ୟ ଭୂମିକା ନେଉଥିବା କର୍ମଚାରୀ ମାନଙ୍କୁ ଅଣଦେଖା କରିବା ନିଶ୍ଚିତ ରୂପେ ସରକାରଙ୍କ ଆର୍ଥିକ ପରିଚାଳନା ବିଫଳତାକୁ ପଦାରେ ପକାଉଛନ୍ତି ବୋଲି କହିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ମହାସଂଘ ର ରାଜ୍ୟ ଆବାହକ ପ୍ରତାପ ପ୍ରଧାନ, ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଶାନ୍ତ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ I ମହାସଂଘର ଉପ ସଭାପତି ଜୟରାମ ରାଓ, ସମ୍ପାଦକ ବିନାୟକ ପତି,ସାଙ୍ଗଠନିକ ସମ୍ପାଦକ ସୁନୀଲ ଦାସ,ପଂଚାୟତ କର୍ମଚାରୀ ନେତା ମିହିର ବିଶ୍ୱାଳ, ଅମରେସ ବେହେରା, ନରେଶ ବେହେରା,ଆଦର୍ଶ ବିଦ୍ୟାଳୟ ରାଜ୍ୟ ସଭାପତି,ପ୍ରଶାନ୍ତ ପରିଛା,ସ୍ୱାସ୍ଥ୍ୟ କର୍ମଚାରୀ ନେତା ଏନ. ନିରଞ୍ଜନ ଦାସ, ହିମାଂଶୁ ପଟ୍ଟନାୟକ, ସୁନୀଲ ପାତ୍ର, ଦେବାଶିଷ ତ୍ରିପାଠୀ, ବିଶ୍ଵରଞ୍ଜନ, ସୁଧୀର ସାହୁ, ମ୍ୟୁନିସିପାଲିଟି କର୍ମଚାରୀ ନେତା ଉତ୍ତମ ନାୟକ, ବନ କର୍ମଚାରୀ ନେତା ସନୋଜ କୁମାର ଶଙ୍ଖୁଆ, କୃଷ୍ଣ ଚନ୍ଦ୍ର ପାତ୍ର, ସୁଧାଂଶୁ ଶେଖର ତ୍ରିପାଠୀଙ୍କ ସହ ବିଭିନ୍ନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ I

      ସେମାନଙ୍କ ଦାବୀ ଗୁଡିକ ହେଲା -
  1. ରାଜ୍ୟରୁ ଆଉଟସୋର୍ସିଙ୍ଗ ବ୍ୟବସ୍ଥା ଉଛେଦ ସହ ସ୍ଥାୟୀ ନିଯୁକ୍ତି I
  2. କାର୍ଯ୍ୟକ୍ଷେତ୍ର ରେ ଚାକିରୀ ର ସୁରକ୍ଷା (ଜବସିକ୍ୟୁରିଟି ପ୍ରଦାନ)
  3. ଛଟେଇ ହୋଇଥିବା କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି I
  4. ବଜାର ଦର ଅନୁସାରେ ଦରମା ପ୍ରଦାନ ସହ ସମସ୍ତ ସୁବିଧା ସୁଯୋଗ ପ୍ରଦାନ I
  5. ମହିଳା କର୍ମଚାରୀ ମାନଂକୁ ମାତୃତ୍ୱ କାଳୀନ ଛୁଟି ପ୍ରଦାନ I
  6. ଇପିଏଫ /ଇଏସଆଇ ର ସଠିକ ପୈଠ I
  7. ବରିଷ୍ଠତା ଓ ଦକ୍ଷତା ଭିତ୍ତି ରେ ପଦୋନ୍ନତି ଦାବି ପତ୍ର ପ୍ରଦାନ କରାଯାଇଛି।

ଗଞ୍ଜାମ ଜିଲ୍ଲାରୁ ନିମାଇ ଚରଣ ପଣ୍ଡାଙ୍କ ରିପୋର୍ଟ