ଅସହାୟ ମଲିଙ୍କୁ ସାହା ହେଲା ପ୍ରଶାସନ…

ଭଞ୍ଜନଗର/ଜଗନ୍ନାଥ ପ୍ରସାଦ (ସମୃଦ୍ଧ ଓଡିଶା) ଅସହାୟ ଅବସ୍ଥାରେ ପଡିରହିଥିବା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଯାତ୍ରା ଗ୍ରାମର ମଲି ପ୍ରଧାନ (୬୫)ଙ୍କୁ ସାହା ହେଲା ପ୍ରଶାସନ । ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରଶାସନ ମଲିଙ୍କୁ ଉଦ୍ଧାର କରି ବାଲିସାହି ନିକଟରେ ଥିବା ସାନ ବଜାର ସ୍ଥିତ ବୃଦ୍ଧାଶ୍ରମ ରେ ତାଙ୍କୁ ଥଇଥାନ କରିଥିବା ଜଣାପଡିଛି । ସୂଚନା ଅନୁସାରେ ମଲିଙ୍କ ସ୍ୱାମୀ ବହୁ ବର୍ଷ ହେଲା ମୃତ୍ୟୁ ବରଣ କରିଛନ୍ତି । ମଲିଙ୍କ ଗୋଟିଏ ଝିଅ ଓ ଏକ ଭିନ୍ନକ୍ଷମ ପୁଅ ମଧ୍ୟ ଅଛନ୍ତି ହେଲେ ଝିଅ ତା ନିଜ ବାଟରେ ରହୁଥିବା ବେଳେ ଏକ ମାତ୍ର ପୁଅ କେଉଁ ଆଡେ ଚାଲି ଯାଇଛି । ବେସାହାରା ହୋଇ ମଲି ନିଜ ବାପ ଘରକୁ ଚାଲି ଯାଇଥିଲେ ହେଲେ ସେଠାରେ ତାଙ୍କୁ କେହି ପଚାରି ନ ଥିଲେ । ଫଳରେ ବାଧ୍ୟ ହୋଇ ସେ ମାଗି ଯାଚି ଖାଇବା ସହ ଅସହାୟ ଅବସ୍ଥାରେ ପର ବାରଣ୍ଡାରେ ଆଶ୍ରୟ ନେଉଥିଲେ । ଏ ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ସ୍ଥାନୀୟ ବିଡ଼ିଓ ସୁରେଶ ଚନ୍ଦ୍ର ପଣ୍ଡା ଓ ସାମାଜିକ ସୁରକ୍ଷା କର୍ମୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମରେ ଛାଡ଼ିଥିଲେ । ସ୍ଥାନୀୟ ପ୍ରଶାସନର ଏଭଳି ମହାନ କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।