ଅମ୍ପନରେ ବ୍ୟାପକ ଜଙ୍ଗଲ ନଷ୍ଟ : ମାଛ ଶାଗ ଦରରେ ବିକ୍ରି ହେଉଛି କାଠ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ସୁପର ସାଇକ୍ଲୋନରେ ଜଳେଶ୍ୱର ଫରେଷ୍ଟ ରେଞ୍ଜ ଅଧିନରେ ବ୍ୟାପକ ଜଙ୍ଗଲ ନଷ୍ଟ ହୋଇଛି । କିନ୍ତୁ ଜଙ୍ଗଲ ବିଭାଗ ଜ୍ଞାତ ସାରରେ କେତେକ କାଠ ମାଫିଆ ନେଇଯାଇ ମାଲେମାଲ ହୋଇଥିବା ବେଳେ ଅନ୍ୟ କେତେକକୁ ବିଭାଗ ପକ୍ଷରୁ ବିକ୍ରୀ ହେବ ବୋଲି ବିଭିନ୍ନ ସ୍ଥାନରେ ଜମା କରିଛନ୍ତି । କିନ୍ତୁ ଏହି ବିକ୍ରିମୂଲ୍ୟ ମାଛଶାଗ ଦରରେ ହେଉଥିବାର ଅଭିଯୋଗ ହେଉଛି । ଅମ୍ଫନରେ ବାଲେଶ୍ୱର ଜିଲାର ଜଳେଶ୍ୱର ଫରେଷ୍ଟ ରେଞ୍ଜ ଅଧିନରେ ଦକ୍ଷିଣ ପ୍ରହରାଜପୁର, ମହୁଡୁମା, ବରଡିହା ଓ ଗୁଆଗଡିଆ ଅଞ୍ଚଳରେ ବ୍ୟାପକ ଗଛ ଭାଂଗିଥିଲା । ଗତ କିଛିଦିନ ତଳେ ଡିପିପୁରରୁ ଓ ଆଜି ବୁଧବାର କୁସୁମ ସାହିରୁ ଉପୁଡି ପଡିଥିବା ବଡବଡ ଗଛ ଟ୍ରାକ୍ଟରରେ ନିଆଯାଉଥିବା ବେଳେ ଏହାକୁ ନିକଟସ୍ଥ କୁସୁମସାହି ଗାଁର ସୁରେଶ ମହନ୍ତ ଅଟକ ରଖିଥିଲେ । ପରେ ତାହା ବିଟ୍ ହାଉସ୍‌କୁ ଯାଉଥିବାର କହି ବିଭାଗୀୟ କର୍ମଚାରୀ ନେଇଯାଇଥିବା ପ୍ରକାଶ । ସେହିପରି ଏହି ରେଞ୍ଜ ଅଧିନରେ ଥିବା ଉଦୟପୁର, ବିଚିତ୍ରପୁର, କୃଷ୍ଣନଗର ଓ ରଣକୋଠାରେ ହଜାର ହଜାର ଗଛ ଭାଂଗି ପଡିଥିଲା । ଗ୍ରାମ୍ୟ ଜଙ୍ଗଲରୁ ଉଦ୍ଧାର ହେଊଥିବା କାଠରୁ ୫୦ଭାଗ ସ୍ଥାନୀୟ ଲୋକଙ୍କୁ ଦିଆଯାଉଥିବା ଆଳରେ କେତେକ ନିର୍ଦ୍ଦିଷ୍ଟ ପ୍ରଭାବଶାଳୀ ବ୍ୟକ୍ତି ନେଇ ନେଇଯାଉଥିବା ସ୍ଥାନୀୟ ଲୋକେ ପ୍ରଶାସନକୁ ଅବଗତ କରାଇଛନ୍ତି । ଏ ସଂପର୍କରେ ଜଳେଶ୍ୱର ରେଂଜର ସରୋଜ ମହାନ୍ତିଙ୍କୁ ପଚାରିବାରୁ ସେ କହିଲେ ଜଳେଶ୍ୱରର ଦକ୍ଷିଣ ପ୍ରହରାଜପୁର ଜଙ୍ଗଲରୁ ୧୫୦ଟି, ମହୁଡୁମାରୁ ୪୦ଟି, ବରଡିହାରୁ ୩୦ଟି ଓ ଗୁଆଗଡିଆରୁ ୯୭ଟି ଗଛ ଭାଙ୍ଗିଥିବା ବେଳେ ସେ ଗୁଡିକୁ ୫୦ହଜାର ବିକ୍ରି କରାଯାଇଛି । ସେହିପରି ଉଦୟପୁରରେ ୫୧୦, ବିଚିତ୍ରପୁରରେ ୧୨୯୦, କୃଷ୍ଣନଗରରେ ୧୦୮ ଓ ରଣକୋଠାରେ ୨୮୫ ଗଛ ଭାଙ୍ଗିଥିବାରୁ ଏହାକୁ ୩ଲକ୍ଷ ୩୫ହଜାର ଟଙ୍କାରେ ବିକ୍ରି କରାଯାଇଛି । କିନ୍ତୁ ବାସ୍ତବରେ ବହୁ ଅଧିକ ଗଛକୁ ବହୁ କମ୍‌ମୂଲ୍ୟରେ ବିକ୍ରି କରାଯାଉଥିବାର ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି । ସରକାରଙ୍କ କେତେକ ନିତୀନିୟମର ଫାଙ୍କରେ ଏହି ମୂଲ୍ୟବାନ ଗଛଗୁଡିକୁ ଶାଗ-ମାଛ ଦରରେ ବିକ୍ରି ହେଉଥିବା ସାଧାରଣରେ ଆଲୋଚନା ହେଉଛି ।

ରିପୋର୍ଟ : ଭୂପତି କୁମାର ପରିଡା