ଅଭିଯୋଗ ସତ୍ୟ ନାଁ ଷଡଯନ୍ତ୍ର…

ଜଳେଶ୍ଵର/ବସ୍ତା (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ତାଡ଼ଦା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଶାସନ ଗ୍ରାମର ଦିଗୀ ପୋଖରୀକୁ କେନ୍ଦ୍ର କରି ପଞ୍ଚାୟତ ସମେତ ବସ୍ତା ବ୍ଲକ ଏବେ ଚର୍ଚ୍ଚାରେ ଅଛି । ତେବେ ଏହି ଚର୍ଚ୍ଚା ପଛରେ ଥିବା ଅଭିଯୋଗ, ସତ୍ୟ ନାଁ ଏହା ଷଡ଼ଯନ୍ତ୍ର, ନାଁ କୌଣସି ରାଜନୈତିକ ଆକୃଶ । ଏହି ଛକ୍କାପଞ୍ଝା ଭିତରେ ବ୍ଲକ ପ୍ରଶାଶନକୁ ନାକେଦମ ହେବାକୁ ପଡିଛି । ଏଠାରେ ସୂଚନା ଥାଉକି, ସୂଚନା ଅଧିକାର ଆଇନର ତଥ୍ୟ ଆଧାରରେ, ଗ୍ରାମରେ ଥିବା ଦିଗି ପୋଖରୀର ପକ୍କାଘାଟ ନିର୍ମାଣରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଯେପରିକି  ଗୋଟିଏ ପକ୍କାଘାଟ ନିର୍ମାଣ କରି ଦୁଇଟି ବିଲ କରାଇ ଲକ୍ଷାଧିକ ଟଙ୍କା ଆତ୍ମସାତ କରାଯାଇଛି । ଯାହା  ଫେସବୁକରେ ଭାଇରାଲ ହେବା ସହିତ, ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଯାହାକୁ କେନ୍ଦ୍ର କରି ତାଡ଼ଦା ପଞ୍ଚାୟତ ସମେତ, ବସ୍ତା ବ୍ଲକ ଚର୍ଚ୍ଚାରେ ରହିଥିଲା । ତେବେ ବସ୍ତା ବ୍ଲକର ଉପ ନିର୍ବାହୀଯନ୍ତ୍ରୀ ପରୀକ୍ଷିତ ମହାଳିକ ଘଟଣାକୁ ଗୁରୁତର ସହିତ ନେଇ, ପଞ୍ଚାୟତ ଜେଇ ମାଇନ ମାରାଣ୍ଡି ସହିତ ଘଟଣା ସ୍ଥଳକୁ ଯାଇ, ତଦନ୍ତ କରିଥିଲେ । ତେବେ  ୨୦୧୬-୧୭ ଆର୍ଥିକ ବର୍ଷରେ, ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ବିଶ୍ୱାଳ ପକ୍କାଘାଟ ନିର୍ମାଣ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ମଞ୍ଜୁର କରିଥିଲେ, ତେବେ ତାହା କାର୍ଯ୍ୟକାରୀ ହୋଇପାରି ନଥିଲା । ପୁଣି ୨୦୧୭ – ୧୮ ଆର୍ଥିକ ବର୍ଷରେ ବର୍ତ୍ତମାନର ସରପଞ୍ଚ ଚମ୍ପାବତୀ ସୋରେନ ୧ ଲକ୍ଷ ୫୦ ହଜାର ଟଙ୍କା  ମଞ୍ଜୁର କରିଥିଲେ । ମାତ୍ର ଦୁଇଟି ପ୍ରକଳ୍ପକୁ ପୃଥକ ପୃଥକ ନ କରି, ଗ୍ରାମବାସୀଙ୍କ ଅନୁରୋଧ ଓ ସମ୍ମତି କ୍ରମେ, ପଲ୍ଲି ସଭା ଓ ଗ୍ରାମ ସଭାରେ ରିଜୋଲସନ କରି  ଗୋଟିଏ ପକ୍କାଘାଟ ସହିତ, ମୁଖ୍ୟ ରାସ୍ତାକୁ ସଂଯୋଗ କରିବା ପାଇଁ ୪୦ ଫୁଟ ଲମ୍ବ ଓ ୧୦ ଫୁଟ ଓସାର ବିଶିଷ୍ଟ ରାସ୍ତା କରାଯାଇଥିବା କଥା ସ୍ଥାନୀୟ ବାସିନ୍ଦା ବେଣୁଧର ଜେନା, ବେଣୁଧର ସୋରେନ, ଦିଲ୍ଲୀପ ଦତ୍ତ, କାର୍ଯ୍ୟ ନିର୍ବାହୀ ଭବେଶ ଚରଣ ପାତ୍ର, ସରପଞ୍ଚ ଚମ୍ପାବତୀ ସରେନ ପ୍ରମୁଖ କହିଛନ୍ତି । ତେବେ ଏନେଇ ଉପ ନିର୍ବାହୀଯନ୍ତ୍ରୀ ପରିକ୍ଷିତ ମହାଳିକଙ୍କୁ  ପଚାରିବାରୁ, କୌଣସି ଚଞ୍ଚକତା ହୋଇନାହିଁ । ଯାହା କିଛି ହୋଇଛି ସରକାରୀ ନୀତିନିୟମ ଭିତରେ ହୋଇଛି ବୋଲି ସୂଚନା ଦେଇଛନ୍ତି ।

ରିପୋର୍ଟ : ଭୂପତି ପରିଡା