ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ପରେ ଏମକେସିଜି ମେଡିକାଲକୁ ଶରୀର ଦାନ କଲେ ପରିବାର

ବ୍ରହ୍ମପୁର-(ସମୃଦ୍ଧଓଡିଶା) ଆଜି ସ୍ଥାନୀୟ ଏମକେସିଜି ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ବ୍ରହ୍ମପୁରର ଜୟଦୁର୍ଗା ନଗର ବାସିନ୍ଦା ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ସାହୁଙ୍କ ମରଶରୀରକୁ ତାଙ୍କ ଇଛା ପ୍ରକାରେ ଡାକ୍ତରୀ ଛାତ୍ରଙ୍କ ଶିକ୍ଷା ଓ ଗବେଷଣା ପାଇଁ ପରିବାର ଲୋକେ ଏମକେସିଜି ମେଡିକାଲ ଆନାଟମି ବିଭାଗକୁ ତାଙ୍କ ମରଶରୀରକୁ ଆଜି ଦାନ କରିଛନ୍ତି I 77ବର୍ଷ ବୟସ୍କ ସ୍ୱର୍ଗତ ଭାସ୍କର ସାହୁ ଉଚ୍ଚବିଦ୍ୟାଳୟରେ ଶିକ୍ଷକତା କରୁଥିଲେ ଓ ଅବସର ପରେ ସମାଜ ସେବାରେ ନିଜକୁ ବ୍ରତୀ କରିବା ସହିତ ଅନ୍ଧବିଶ୍ୱାସ କୁସଂସ୍କାରକୁ ଦୂରେଇବା ପାଇଁ ସମାଜରେ ସଚେତନତାର ବାର୍ତ୍ତା ପ୍ରଚାର କରି ଆସୁଥିଲେ l ସେ ପୂର୍ବରୁ 2017 ମସିହାରେ ନିଜ ସ୍ତ୍ରୀ ଅପର୍ଣ୍ଣା ସାହୁଙ୍କ ମର ଶରୀରକୁ ମଧ୍ୟ ଏମକେସିଜି ମେଡିକାଲ କଲେଜକୁ ଗବେଷଣା ଉଦ୍ଦେଶ୍ୟରେ ଦାନ କରିଥିଲେ I ଗତ କିଛି ଦିନ ଧରି ଗୁରୁତର ଅବସ୍ଥାରେ ଏମକେସିଜିର ଆଇସିୟୁ ରେ ଚିକିତ୍ସାଧିନ ଥିବା ବେଳେ ନିଜ ପରିବାର ଲୋକଙ୍କୁ ମୃତ୍ୟୁ ପରେ ନିଜ ଶରୀରକୁ ଦାନ କରିବାକୁ କହିଥିଲେ I ପୂର୍ବରୁ ସମାଜ ପାଇଁ କାମ କରୁଥିବା ସ୍ୱର୍ଗତ ସାହୁ ସମାଜରେ ରହିଥିବା ଅନ୍ଧ ବିଶ୍ୱାସ ଓ କୁସଂସ୍କାରକୁ ଏଡେଇ କିଭଳି ମୃତ୍ୟୁ ପରେ ମଧ୍ୟ ନିଜ ଶରୀରକୁ ଆଗାମୀ ପିଢ଼ି ପାଇଁ କାମ ରେ ଲଗାଇବାର ଯେଉଁ ସଦିଚ୍ଛା ତାହା ସାଧାରଣ ରେ ପ୍ରଂଶସାଯୋଗ୍ୟ I ଉକ୍ତ କାର୍ଯ୍ୟକୁ ସ୍ୱର୍ଗତ ସାହୁଙ୍କ ପରିବାର ଲୋକଙ୍କ ସହମତି ମଧ୍ୟ ସାଧାରଣରେ ପ୍ରଂଶସନୀୟ I ଉକ୍ତ ଶରୀର ଦାନ ସମୟରେ ଏମକେସିଜି ଆନାଟମି ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରୁ ଡ଼. ପ୍ରିତମ ପ୍ରତ୍ୟୁଷ ଦାସ,ଡ଼. ସନ୍ତୋଷ ତନ୍ମୟ ମହାପାତ୍ର, ସୋନାକ୍ଷୀ ପଟ୍ଟନାୟକ ପ୍ରମୁଖଙ୍କ ଉପସ୍ଥିତିରେ ସ୍ୱର୍ଗତ ସାହୁଙ୍କ ପୁଅ, ଦୁଇ ଝିଅ, ସମସ୍ତ ନାତୁଣୀ ଆଶା ଭାରତୀ, ନାତି ଆଶୁତୋଷ ଭାରତୀ କୁମାର ଓ ଅନ୍ୟ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ l ମହାନସଂଘ ସଭାପତି ସୁଶାନ୍ତ ସାବତଙ୍କ ପ୍ରମୁଖ ତତ୍ତ୍ୱବଧାନରେ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦିତ ହୋଇଥିବା ବେଳେ, ମାନବବାଦୀ ହେତୁବାଦୀ ସଂଗଠନର ଗଞ୍ଜାମ ଜିଲ୍ଲା ସଭାପତି ଇ.ଟି.ରାଓ, ଜାମୁଲା ସୁରେଶ,ଈଫଟୁ ର ପ୍ରତାପ ପ୍ରଧାନ ଓ ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା ପ୍ରମୁଖ ଉପସ୍ଥିତ ରହି ପରିବାର ଲୋକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି I

ରିପୋର୍ଟ : ନିମାଇଁ ଚରଣ ପଣ୍ଡା