ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୧୨ ଗିରଫ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ଗଞ୍ଜାମ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ରାଙ୍କ ନିର୍ଦ୍ଧେଶ କ୍ରମେ ଆସ୍କା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଏଥିରେ ୧୨ ଜଣକୁ ଗିରଫ କରାଯାଇଥିବା ବେଳେ ୧୫ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ଜିଲ୍ଲା ଅବକାରୀ ଉପ ଅଧିକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ୱରେ ଏବଂ ଆସ୍କା ତହସିଲଦାର ସଦାନନ୍ଦ ସେଠୀଙ୍କ ଉପସ୍ଥିତରେ ଆସ୍କା ଅଂଚଳର ପାକଲାପଲ୍ଲୀ ଏରୋଗଲା କ୍ୟାମ୍ପ, ଜଗନ୍ନାଥ ପଲ୍ଲୀ ଏରୋଗଲା କ୍ୟାମ୍ପ, ବାଲିଶିରା ଏବଂ କୁମାଗଡ଼ ଅଞ୍ଚଳରେ ଚଢାଉ କରାଯାଇଥିଲା । ୧୬୯୩ ଲିଟର ହାତ ରନ୍ଧା ଚୋରା ମଦ ଏବଂ ୧୧୪୧୫ ଲିଟର ଗୁଡ ମିଶ୍ରିତ ପୋଚ ଜବତ କରି ନଷ୍ଟ କରାଯାଇଛି । ଏହି ଚଢାଉରେ ଆସିକା ଅବକାରୀ ନିରୀକ୍ଷକ ଧିରେନ କୁମାର ବେହେରା, ଭାରପ୍ରାପ୍ତ ଅବକାରୀ ଅଧିକାରୀ ପ୍ରଦୀପ କୁମାର ମହାନ୍ତି, ଷ୍ଟ୍ରାକିଙ୍ଗ ଫୋର୍ସ ଇନସପେକ୍ଟର ପ୍ରତିଧାରା ନାୟକ, ଜିଲ୍ଲା ଅବକାରୀ ଷ୍ଟ୍ରାକିଙ୍ଗ ଫୋର୍ସ ସବ-ଇନିସ୍ପେକ୍ଟର ଦୁର୍ଯ୍ୟୋଧନ ଦିଗାଲଙ୍କ ସମେତ ବହୁ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ଏମିତି ଚୋରା ବେପାର କାରବାରରେ ଲିପ୍ତ ଥିବା ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଆଗକୁ ଚଢାଉ ବ୍ୟାପକ କରାଯିବ ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ମିଳିଛି ।