ସତ କହିଲେ ମଲା : ନ କହିଲେ ରାଜ୍ୟ ଭାସି ଯାଉଛି

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ବିଜେଡି ଉପସଭାପତି ତଥା ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ତାଙ୍କ ଝିଅ ତନୟା ପଟ୍ଟନାୟକ ଆଗକୁ ଆସିଛନ୍ତି । ନିଜ ମାଲିକାନାରେ ଥିବା ରାଜ୍ୟର ପ୍ରମୁଖ ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ରେ ସୌମ୍ୟ ଗତକାଲି ଲେଖିଥିବା ସମ୍ପାଦକୀୟକୁ ନେଇ ରାଜନୀତିକ ହଟଚମଟ ସୃଷ୍ଟି ହେବା ସହ ଶାସକ ବିଜେଡି ବିଭିନ୍ନ ଢଙ୍ଗରେ ତାଙ୍କୁ ଶାଣିତ ସମାଲୋଚନା କରିବା ଜାରି ରଖିଛି । ଆଉ ପିତାଙ୍କ ପ୍ରତି ହେଉଥିବା ଏଭଳି ଆକ୍ରମଣକୁ ଦେଖି ଝିଅ ତନୟା ପଟ୍ଟନାୟକ ଆଗକୁ ଆସିଛନ୍ତି । ଆଜି ଟ୍ୱିଟ୍ ମାଧ୍ୟମରେ ତନୟା କାହାରି ନାଁ ନ ନେଇ ଏଥର ପୁରସ୍କାର ଆକାରରେ ଏମଏଲଏ ଟିକେଟ୍ ନ ମିଳିଲେ ଚଳିବ ନାହିଁ ବୋଲି କଟାକ୍ଷ କରିଛନ୍ତି । ଅନ୍ୟପକ୍ଷରେ ସୌମ୍ୟ ନିଜର ସମ୍ପାଦକୀୟରେ ଯାହା ଲେଖିଛନ୍ତି ତାକୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ମଧ୍ୟ ସମର୍ଥନ କରିଛନ୍ତି । ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତଥା ସୌମ୍ୟଙ୍କ ଝିଅ ତନୟା ଆଜି ଟ୍ୱିଟ୍ କରି କହିଛନ୍ତି ଯେ “ ଗୋଟେ ବିଚରା, ହତଭାଗା ଲୋକକୁ ଏତେ ମାତ୍ରାରେ ବ୍ୟବହାର କରିବା ଆଦୌ ଠିକ୍ ନୁହେଁ । ମଣିଷ ଆଉ କେତେଦିନ ଯାଏଁ ଉପଦେଶ ଦେବ? ନା! ବହୁତ କଷ୍ଟ ଲାଗୁଛି । ଉପଦେଶ ଫୁଫଦେଶ ସବୁ ବହୁତ ହେଲା, ଏଥର ପୁରସ୍କାର ଆକାରରେ ଏମଏଲଏ ଟିକେଟ୍ ନ ମିଳିଲେ ଚଳିବ ନାହିଁ ।” ତନୟା ସ୍ପଷ୍ଟ ଭାବେ କାହା ନାଁ ଉଲ୍ଲେଖ କରିନଥିଲେ ମଧ୍ୟ ଗତକାଲିଠୁ ତାଙ୍କ ପିତାଙ୍କ ପ୍ରତି ବିଜେଡି ନେତା ଓ ବିଜେଡିର ସାଇବର ଆର୍ମିଙ୍କ ଦ୍ୱାରା ହେଉଥିବା କଟୂ ସମାଲୋଚନାକୁ କଡ଼ା ଜବାବ ଦେଇ ଏ ଟ୍ୱିଟ୍ କରିଥିବା ଚର୍ଚ୍ଚା ହେଉଛି ।ଗତକାଲି ସୌମ୍ୟଙ୍କ ଏହି ସମ୍ପାଦକୀୟ ପ୍ରକାଶ ପାଇବା ପରେ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଗଣମାଧ୍ୟମରେ ସୌମ୍ୟଙ୍କୁ କଡ଼ା ଭାଷାରେ ସମାଲେଚାନା କରିଥିଲେ । ସୌମ୍ୟ ଜଣେ ବ୍ଲାକମେଲର, ସୁବିଧାବାଦୀ ରାଜନୀତି କରନ୍ତି । ମନ୍ତ୍ରୀ ହେବା ପାଇଁ ଏଭଳି ଚାପ ସୃଷ୍ଟି କରୁଛନ୍ତି ବୋଲି ଅନୁଭବ କହିବା ସହ ତାଙ୍କର ସମର୍ଥକମାନେ ଖଣ୍ଡପଡ଼ାଠାରେ ସୌମ୍ୟଙ୍କ କୁଶପୁତ୍ତଳିକା ଦାହ ମଧ୍ୟ କରିଥିଲେ । ଏପରିକି ଗତକାଲିଠୁ ବିଜେଡିର ସାଇବର ଆର୍ମିଙ୍କ ପକ୍ଷରୁ ସୌମ୍ୟଙ୍କୁ ବ୍ୟକ୍ତିଗତସ୍ତରରେ ସମାଲୋଚନା ଜାରି ରହିଛି । ଅବଶ୍ୟ ସୌମ୍ୟ ଏହି ସମ୍ପାଦକୀୟ ଜଣେ ସମ୍ପାଦକ ଭାବେ ଲେଖିଛନ୍ତି ବୋଲି ସଫେଇ ଦେଇଥିଲେ । କିନ୍ତୁ ଗତକାଲିଠୁ ନିରବ ଥିବା ତାଙ୍କ ଝିଅ ତନୟା ଆଜି ପୂର୍ବାହ୍ନରେ ଏକ ଟ୍ୱିଟ୍ କରି ପିତାଙ୍କ ରାଜନୀତିକ ବିବାଦ ଭିତରେ ଧସେଇ ପଶିଛନ୍ତି । ତନୟାଙ୍କ ଏହି ଟ୍ୱିଟ୍ ମାଧ୍ୟମରେ ତାଙ୍କ ପିତାଙ୍କୁ ବିରୋଧ କରୁଥିବା ବିଜେଡି ନେତାଙ୍କୁ ନିଜ ଢଙ୍ଗରେ କଟାକ୍ଷ କରିଛନ୍ତି ।ସେହିପରି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସୌମ୍ୟବାବୁ ଯାହା ଲେଖିଛନ୍ତି ତାହା ଅସତ୍ୟ ନୁହେଁ । ଭଲ କଥା ଲେଖିଛନ୍ତି । ଆଉ ଯେଉଁମାନେ ଏସବୁ କାର୍ଯ୍ୟ କରାଉଛନ୍ତି ସେମାନଙ୍କୁ ପଦେ କଥା କହିବି-ବିନାଶ କାଳେ ବିପରୀତ ବୁଦ୍ଧି ବୋଲି ଶ୍ରୀ ବିଜୟ ମହାପାତ୍ର କହିଛନ୍ତି ।