ଅନ୍ତ୍ୟେଷ୍ଟି କ୍ରିୟା ସଂପନ୍ନ, ପଞ୍ଚଭୂତରେ ଲୀନହେଲେ ଖଲ୍ଲିକୋଟ ରାଣୀ ସାହେବା, ଅନ୍ତିମ ଯାତ୍ରାରେ ଜନ ସମୁଦ୍ର

ଖଲ୍ଲିକୋଟ(ସମୃଦ୍ଧଓଡିଶା)ପଞ୍ଚଭୂତ ରେ ଲୀନ ହେଲେ ଖଲ୍ଲିକୋଟ ରାଣୀ ଶ୍ରୀମତୀ ଭି. ସୁଜ୍ଞାନ କୁମାରୀ ଦେଓ ।ଅନ୍ତିମ ଯାତ୍ରାରେ ହଜାର ହଜାର ଲୋକ ଯୋଗ ଦେଇ ନିଜର ପ୍ରିୟ ରାଣୀ ମାଆ ଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି ।ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଛପଟେ ଥିବା ରାଜ ସ୍ମଶାନ ସମାଧି ମଠ ରେ ଅନୁଷ୍ଠିତ ହୋଇଛି ଅନ୍ତେଷ୍ଟି କ୍ରିୟା ।ଶ୍ୟାମସୁନ୍ଦରପୁର ଗ୍ରାମର ଜଣେ ବ୍ରାହ୍ମଣ ପୁତ୍ର କରେଶ ଆଚାର୍ଯ୍ୟ ମୁଖାଗ୍ନି ଦେଇଥିଲେ ।ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ରୁ ରୋଷ ନିଆଁ, କାଠ ଓ ଶ୍ରୀ ଜଗନ୍ନାଥଙ୍କ ପାଟ ବସ୍ତ୍ର ଅଣାଯାଇଥିଲା ।ଚେନାଇରୁ ଖଲିକୋଟ ଭାୟା ଭୁବନେଶ୍ୱର ।ଶନିବାର ମଧ୍ୟ ରାତ୍ରିରେ ଭୁବନେଶ୍ୱର ରୁ ସିଧା ରମ୍ଭା ପ୍ୟାଲେସ କୁ ନିଆଯାଇଥିଲା ରାଣୀ ଙ୍କ ପାର୍ଥିବ ଶରୀର ।ଏହାପରେ ଖଲିକୋଟ ନିର୍ମଳଝର ସ୍ଥିତ ବାସ ଭବନରେ ପହଂଚିବା ପରେ ଶେଷ ଦର୍ଶନ ପାଇଁ ସେଠାରେ ରଖାଯାଇଥିଲା ।ଆଜି ସକାଳୁ ସକାଳୁ ନିର୍ମଳଝର ବାସ ଭବନରେ ଲାଗିଯାଇଥିଲା ଗହଳି ।ଗଞ୍ଜାମ ଜିଲ୍ଲାର ବହୁ ନେତା ଓ ସାଧାରଣ ଜନତା ପହଞ୍ଚି ରାଣୀ ଙ୍କୁ ଜଣାଇଥିଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ମାଆ ଡାକ ଆଉ ଶୁଭିବ ନାହିଁ । ଅଞ୍ଚଳବାସୀଙ୍କ ସହ ସଦା ସର୍ବଦା ରହି ଦୁଃଖ ସୁଖ ବୁଝୁଥିଲେ ।ଦୀର୍ଘ 50 ବର୍ଷ ଧରି ଅଞ୍ଚଳର ସମସ୍ୟା ବୁଝୁଥିଲେ ଆଉ ସମାଧାନ ବି କରୁଥିଲେ ରାଣୀ ସୁଜ୍ଞାନ ଦେବୀ । ସ୍ୱାସ୍ଥ୍ୟଗତ ଅସୁସ୍ଥତା କାରଣରୁ ଗତ ୫ ବର୍ଷ ହେଲା ଚେନ୍ନାଇରେ ରହୁଥିଲେ ରାଣୀ ସାହେବା ।ଖଲ୍ଲିକୋଟ ବାସୀ ଚାହିଁ ରହିଥିଲେ କେବେ ରାଣୀ ମା ସୁସ୍ଥ ହୋଇ ଖଲ୍ଲିକୋଟ ଫେରିବେ ।ହେଲେ ସେମାନଙ୍କ ଆଶା ନିରାଶା ରେ ପରିଣତ ହେଲା ।ତାଙ୍କର ପ୍ରିୟ ରାଣୀ ମା ତାଙ୍କୁ ଛାଡି ଚାଲିଗଲେ ।ଶୁକ୍ରବାର ରାତିରେ ଚେନ୍ନାଇ ଠାରେ ତାଙ୍କର ପରଲୋକ ଘଟିଲା ।ଏଭଳି ଜଣେ ବଳିଷ୍ଠ ନେତ୍ରୀକୁ ହରାଇ ମ୍ରିୟମାଣ ହୋଇଥିବା ବେଳେ ନେତା, ମନ୍ତ୍ରୀ, ସାଧାରଣ ଜନତା ଶେଷ ଦର୍ଶନ କରି ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି ।ସ୍ମଶାନ ରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପହଞ୍ଚିବା ପରେ ପୋଲିସ ବାହିନୀ ପକ୍ଷରୁ ରାଣୀ ସୁଜ୍ଞାନ ଦେବୀ ଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା ।ନିର୍ମଳଝର ବାସଭବନରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା, ଗଞ୍ଜାମ ଜିଲ୍ଲା ଏସ୍ପି ଜଗମୋହନ ମିନା, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆସିକା ସାଂସଦ ପ୍ରମିଳା ବିଷୋୟୀ,ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଛତ୍ରପୁର ବିଧାୟିକା ସୁବାଷ ଚନ୍ଦ୍ର ବେହେରା,ଧରାକୋଟ ରାଣୀ ନନ୍ଦିନୀ ଦେବୀ,ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ,ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରା, ଏନଏସି ଅଧ୍ୟକ୍ଷ ନିରଞ୍ଜନ ବେହେରା, ବ୍ଲକ ବିଜେଡି ସଭାପତି ଗଙ୍ଗାଧର ଖୁଣ୍ଟିଆ, ବ୍ଲକ ବିଜେଡି ମହିଳା ସଭାପତି ମିତାଞ୍ଜଳି ମିଶ୍ର ଙ୍କ ସମେତ ଅନେକ ନେତା ଓ ସାଧାରଣ ଜନତା ପହଞ୍ଚି ରାଣୀ ମା ଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସକାଳ ୭ ଟା ରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ଶେଷ ଦର୍ଶନ କରିବା ପରେ ପାର୍ଥିବ ଶରୀରକୁ ଖଲିକୋଟ ନଗର ପରିକ୍ରମା କରାଯାଇଥିଲା । ହଜାର ହଜାର ଅଞ୍ଚଳବାସୀ ରାଣୀ ମାଆଙ୍କ ଶେଷ ଯାତ୍ରାରେ ସାମିଲ ହୋଇ ରାଜ ଶ୍ମଶାନରେ ପହଂଚିଥିଲେ ।ରାଣୀ ମା ଅମର ରହେ ଧ୍ୱନି ରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା ।ରାଣୀ ମା ଙ୍କ ସ୍ପଷ୍ଟବାଦୀ କଥା, ତାଙ୍କର ଆଦର୍ଶ ରାଜନୀତି କୁ ସମସ୍ତେ ମଥାପାତି ପ୍ରଣାମ କରିଛନ୍ତି ।କେବଳ ଖଲ୍ଲିକୋଟ କି ଗଞ୍ଜାମ ଜିଲ୍ଲା ନୁହେଁ, ଓଡ଼ିଶା ରାଜନୀତି ରେ ଯେତେବେଳେ ସଙ୍କଟ ଆସିଛି ସେତେବେଳେ ରାଣୀ ମା ସଙ୍କଟ ମୋଚନ ଭାବେ କାମ କରନ୍ତି ବୋଲି ସମସ୍ତ ନେତା କହିଛନ୍ତି ।

ରିପୋର୍ଟ : ରଜତ ମହାପାତ୍ର