ଅଧ୍ୟାପନା ପେଶା ଓ ପରିବେଶ ସୁରକ୍ଷା ନିଶା…

ଜଳେଶ୍ବର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ପରିସ୍ଥିତିରେ ଆମ ପରିବେଶର ଦିନକୁ ଦିନ ଅସନ୍ତୁଳନ ହେବାରେ ଲାଗିଛି । ଦ୍ରୁତ ଗତିରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ଯାନବହନର ସଂଖ୍ୟା ବୃଦ୍ଧି, ବୃକ୍ଷରାଜି ଧ୍ବଂସ, ଅପରିଣାମଦର୍ଶୀ ସହରୀକରଣ ଓ ମୃତ୍ତିକା କ୍ଷୟ ପ୍ରମୁଖ କାରଣ ପାଇଁ ଆଜି ଆମ ପରିବେଶ ଆମ ପାଇଁ ବିପଦ ସାଜିଛି । ଅନିୟମିତ ବୃଷ୍ଟିପାତ, ପ୍ରାକୃତିକ ବିପର୍ଯ୍ୟୟ ଓ ବିଶ୍ୱ ତାପାୟନ ବୃଦ୍ଧି ପ୍ରଭୃତିର କରାଳ କବଳରେ ମଣିଷ ସମାଜ କବଳିତ ହେବାକୁ ବସିଲାଣି । ଏହିଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ପରିବେଶ ସୁରକ୍ଷା ନିମିତ୍ତ ଅଣ୍ଟା ଭିଡି ଛନ୍ତି ଅଧ୍ୟାପକ ଗୌରାଙ୍ଗ ପଣ୍ଡା । ସଦର ବ୍ଲକ ଅନ୍ତର୍ଗତ ନୀଳମଣି ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗରେ ଅଧ୍ୟାପନା ବୃତ୍ତିରେ ଥାଇ ମଧ୍ୟ ଶ୍ରୀଯୁକ୍ତ ପଣ୍ଡା ନିଜର ଅବସର ସମୟରେ ବୃକ୍ଷ ରୋପଣ ଭଳି ମହତ କାର୍ଯ୍ୟକୁ ଆପଣେଇଛନ୍ତି । ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ନେଇ ବୃକ୍ଷ ରୋପଣ ନିମିତ୍ତ ସେ ସଚେତନ କରାଇବା ସହ ବିଶ୍ୱ ପରିବେଶ ଦିବସ, ବନ ମହୋତ୍ସବ ସପ୍ତାହ ଓ ବିଶ୍ୱ ବନ ଦିବସ ପ୍ରଭୃତି ପାଳନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଜନ୍ମଦିନରେ ଗଛଟିଏ ଲଗାଇ ଜଗତର ହିତ ସାଧନ କରିବାକୁ ପରାମର୍ଶ ଦେଇଥାନ୍ତି । ବାସ୍ତବରେ ଅଧ୍ୟାପନା ପେଶା ହେଲେ ମଧ୍ୟ ପରିବେଶ ସୁରକ୍ଷା ଓ ପ୍ରକୃତି ସଂରକ୍ଷଣକୁ ନିଶା ଭାବରେ ଗ୍ରହଣ କରି ନେଇଛନ୍ତି ଅଧ୍ୟାପକ ଶ୍ରୀଯୁକ୍ତ ପଣ୍ଡା । ଅବସର ସମୟରେ ଆଗାମୀ ଦିନରେ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବା ସହିତ ସାଧାରଣ ଲୋକ ମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟ କରିବେ ବୋଲି ଆମ ପ୍ରତିନିଧିଙ୍କୁ କହିଛନ୍ତି ।