ଅତଡା ଖସିଥିବା ସ୍ଥାନରେ ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ : ଅସ୍ଥାୟୀ ବନ୍ଧ ନିର୍ମାଣ ନିର୍ଦ୍ଦେଶ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ଶୁକ୍ରବାର ସଂଧ୍ୟାରେ ବାଲେଶ୍ୱର ଜିଲାର ଜଳେଶ୍ୱର ନିକଟ ସୁବର୍ଣ୍ଣରେଖା ନଦୀର ଗୁରୁଦାସ ସେତୁ ସନ୍ନିକଟସ୍ଥ ନଦୀବନ୍ଧରେ ପ୍ରାୟ ୪୦ମିଟର ଲମ୍ବର ଅତଡା ଖସି ବିପଦ ସୃଷ୍ଟି କରିଥିଲା । ଶିଖରପୁର ଠାରୁ ଲକ୍ଷ୍ମଣନାଥ ପର୍ଯ୍ୟନ୍ତ ଟେଷ୍ଟ ରିଲିଫ ନଦୀ ବନ୍ଧର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାରୁ ବିଧାୟକ ଅଶ୍ୱନୀ ପାତ୍ର ବାରିପଦାସ୍ଥିତ ସୁବର୍ଣ୍ଣରେଖା ଜଳସେଚନା ପ୍ରକଳ୍ପର ମୁଖ୍ୟଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଫଳରେ ଆଜି ଶନିବାର ସକାଳ ୮ଟାରେ ମୁଖ୍ୟଯନ୍ତ୍ରୀ ଇଂ ତରଣୀସେନ୍ ଧଳ ନଦୀବନ୍ଧ ବୁଲି ଦେଖିଛନ୍ତି । ଗତକାଲି ରାତିରେ ଅନ୍ୟଏକ ଅତଡା ଖସିବା ଦ୍ୱାରା ୬୦ ମିଟର ନଦିବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି । ସେଠାରେ ବାଉଁଶ ପୋତି ବାଲି ବସ୍ତା ପକାଇ ତୁରନ୍ତ ଅସ୍ଥାୟୀ ମରାମତି କରିବାକୁ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସଚନ୍ଦ୍ର ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ, ବନ୍ଧର ଘଳିଆ ପଡିଥିବା, ବନ୍ଧ ଫାଟି ବିପଦ ସୃଷ୍ଟି କରିଥିବା ସ୍ଥାନମାନଙ୍କରେ ମରାମତି କରିବାକୁ ସେ କହିଛନ୍ତି । ଶ୍ରୀ ଧଳ ଏହାପରେ ମାକିଡିଆ, କୁଅଁରପୁର ଯାଇ ସେଠାରେ ପୂର୍ବରୁ ହୋଇଥିବା ପଥର ପେକିଂ ଓ ସ୍ପୋର ଗୁଡିକୁ ବୁଲି ଦେଖିଥିଲେ । ପଥର ପେକିଂର କେତେକ ସ୍ଥାନରେ ପଥର ଖସି ଯାଇଥିବାରୁ ସେ ସବୁ ସ୍ଥାନରେ ବାଲିବସ୍ଥା ପକାଇ ଅଟକାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କୁଅଁରପୁର ସ୍କୁଲ ଠାରେ ନିର୍ମାଣ ହୋଇଥିବା ଗାର୍ଡୱାଲ ଭାଂଗି ପଡିଥିବା ଓ ରାଧାକାନ୍ତ ଘୋଷଙ୍କ ଘର ନିକଟରେ ପଥର ପେକିଂ ସୁରକ୍ଷିତ ନ ଥିବାର ଦେଖି ମରାମତି କରିବାକୁ କହିଛନ୍ତି । ଏହାପରେ ସେ ଜଳ ସମ୍ପଦ ବିଭାଗର ଜଳେଶ୍ୱର କାର୍ଯ୍ୟାଳୟ ଠାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରିୟବ୍ରତ ସିଂ, ସହକାରୀ ଯନ୍ତ୍ରୀ ଧିରେନ୍ଦ୍ର ଦାସ, ବିଧାୟକ ଅଶ୍ୱିନୀ ପାତ୍ର, ପ୍ରତୀପ କୁମାର ପ୍ରଧାନ ପ୍ରମୁଖ ନଦୀବନ୍ଧ ସୁରକ୍ଷା ନେଇ ସମୀକ୍ଷା କରିଥିଲେ । ଏପରିକି ଜଳେଶ୍ୱରର ରିଂ ବନ୍ଧ ନିର୍ମାଣ ସଂପର୍କରେ ଆଲୋଚନା ହୋଇଥିଲା । ମହମ୍ମଦନଗରପାଟଣାଠାରୁ ମାଣିକଚକ ଯାଏ ନଦୀବନ୍ଧର ଉଚ୍ଚତା କମାଇ ବନ୍ଧକୁ ଓସାରିଆ ଓ ସୁଦୃଢ କରାଯିବା ସମ୍ପର୍କରେ ଆଲୋଚନା ହୋଇଥିଲା ।

ରିପୋର୍ଟ : ଭୂପତି ପରିଡା