ଅଡବା ପୋଲିସ୧୭ଟି ଚୋରା ବାଇକ୍ ଜବତ ସହ ଦୁଇ ସନ୍ଦିଗ୍ଧକୁ ଗିରଫ କଲା…

ମୋହନା (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଅନ୍ତର୍ଗତ ଅଡବା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । କରୋନା ସଂକ୍ରମଣ ନୀରୋଧି ଲକ୍ ଡାଉନ୍ କଟକଣା ବେଳେ ଏକ ଏକ୍ସେଲ୍ ମୋପେଡ ଯାନ ଆରୋହିକୁ ଅଟକାଇ ଯାଞ୍ଚ୍ କରିବା ଅବସରରେ ଏକ କୁଖ୍ୟାତ ଆନ୍ତଃ ଜିଲ୍ଲା ବାଇକ୍ ଚୋର ଗ୍ୟାଙ୍ଗକୁ ଠାବ କରିଥିବା ବେଳେ ବିଭିନ୍ନ କମ୍ପାନୀ ଓ ମଡେଲର ୧୭ ଗୋଟି ବାଇକ୍ ଜବତ କରିଛି । ନିର୍ଦ୍ଧିଷ୍ଟ କିଙ୍ଗପିନ୍ ଠାରୁ ବାଇକ୍ ରଖି କମିଶନୀ ଭିତ୍ତିରେ ବିକ୍ରି କରୁଥିବା ଅଭିଯୋଗରେ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିବା ବେଳେ କିଙ୍ଗପିନ୍ ଆସାମୀକୁ ଗିରଫ କରିବାକୁ ସ୍ଵତନ୍ତ୍ର ରଣନୀତିରେ ଥିବା ଆର୍ ଉଦୟଗିରି ଆପଖଣ୍ଡ ପୋଲିସ ଅଧିକାରୀ ଅଶୋକ କୁମାର ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ପ୍ରକଟ କରିଛନ୍ତି । ମିଳିଥିବା ସୂଚନା ପ୍ରକାରେ ଗତ ସୋମବାର ସନ୍ଧ୍ୟାରେ କରୋନା ସଂକ୍ରମଣ ବିରୋଧି ଲକ୍ ଡାଉନ୍ କଟକଣା ଓ ସାନ୍ଧ୍ୟ ପଇଁତରା ସମୟରେ ଥାନା ଅଧିକାରୀ ଆଲୋକ ରଞ୍ଜନ ଜଗଦଲେ ଏସଆଇ ଚନ୍ଦନ ଦାସଙ୍କ ସହ ନିଜ ପୋଲିସ ଟିମ୍ ଦ୍ଵାରା ବିରିକୋଟ ରାସ୍ତାରେ ଏକ ଏକ୍ସେଲ ମୋପେଡକୁ ଅଟକାଇ ଯାଞ୍ଚ୍ କରିଥିଲେ । ଉକ୍ତ ଯାନର କୌଣସି କାଗଜପତ୍ର ନ ଥିବା ନେଇ ସନ୍ଦେହ କାରଣରୁ ଗାଡ଼ି ସହ ସେହି ବ୍ୟକ୍ତିକୁ ଥାନାରେ ଅଟକ ରଖି ଖୋଳତାଡ଼ କରିଥିଲେ । ପୋଲିସ୍ ର ତଦନ୍ତ ବେଳେ ଏହି ମୋପେଡକୁ ସେ ବିରିକୋଟ ଗ୍ରାମର ସଲମନ ନାୟକଙ୍କ ଠାରୁ କିଣିଥିବା ଜାଣି ପୋଲିସ ସଲମାନର ଘର ଖାନ ତଲାସ୍ କରି ୮ ଗୋଟି ବାଇକ୍ ଜବତ ସହ ସଲମାନକୁ ଅଟକ ରଖିଥିଲା । ସଲମାନର ବକ୍ତବ୍ୟ ପ୍ରକାରେ ଏହି ଗ୍ରାମର ତ୍ରିନାଥ ରେଡ୍ଡୀଙ୍କ ଘରକୁ ଅନୁସନ୍ଧାନ କରି ବାରିପଟରେ ରଖିଥିବା ୯ ଗୋଟି ବାଇକ୍ ଜବତ କରି ସନ୍ଦିଗ୍ଧକୁ ଅଟକ ରଖିଥିଲା । ଉଭୟଙ୍କୁ ତନାଘନା ପରେ ଏହି ଘଟଣାର ମୁଖ୍ୟ କାର୍ପଟଦାର ତଥା ଜନୈକ କିଙ୍ଗ ପିନ୍ ଥିବା ଜାଣି ତାକୁ ଧରିବାକୁ ସ୍ଵତନ୍ତ୍ର ଯୋଜନାରେ ଥିବା ଜଣାଯାଇଛି । ଅଡବା ଥାନା ପକ୍ଷରୁ ସମସ୍ତ ୧୭ ଗୋଟି ବାଇକ୍ ଜବତ କରାଯାଇ ଦୁଇ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ମୁଖ୍ୟ ଆସାମୀକୁ ଖୋଜିବାରେ ପୋଲିସର ପ୍ରୟାସ ଜାରି ରହିଥିବା ଏସଡିପିଓ ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଓ ସନ୍ତୋଷ କୁମାର ଦାଶଙ୍କ ରିପୋର୍ଟ