ଅଙ୍ଗନୱାଡ଼ି ପାଚିକା ଚୟନକୁ କେନ୍ଦ୍ର କରି ଉତ୍ତେଜନା : ମଝି ରାସ୍ତାରୁ ସିଡିପିଓଙ୍କୁ ଭିଡିନେଲେ ମହିଳା…

ଜଳେଶ୍ଵର/ସିଂଲା (ସମୃଦ୍ଧ ଓଡିଶା) ଅଙ୍ଗନୱାଡ଼ି କେନ୍ଦ୍ରରେ ପାଚିକା ଚୟନକୁ କେନ୍ଦ୍ର କରି ସପକ୍ଷ ବାଦୀ ବିପକ୍ଷ ବାଦୀ ମୁହାମୁହିଁ ଓ ଧସ୍ତାଧସ୍ତି ହୋଇ ମଝି ରାସ୍ତାରୁ ବସ୍ତା ସିଡିପିଓ ଚମ୍ପାମଣି ମୁର୍ମୁଙ୍କୁ ଭିଡ଼ି ନେଲେ ଗ୍ରାମର ମହିଳାମାନେ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି, ବସ୍ତା ବ୍ଲକ ସିଂଲା ଥାନା ଅଞ୍ଚଳର ରଘୁନାଥପୁର ଗ୍ରାମ ପଞ୍ଚାୟତର ବେଲି ଅଙ୍ଗନୱାଡ଼ି କେନ୍ଦ୍ରରେ । ସୂଚନାରୁ ପ୍ରକାଶ ଉକ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ କାର୍ଯ୍ୟରତ ଥିବା ପାଚିକା ବ୍ରଜେଶ୍ୱରୀ ପାତ୍ରଙ୍କର ୨୦୧୮ ମସିହାରେ ମୃତ ହୋଇଥିଲା । ଏନେଇ ବିଭାଗ ପକ୍ଷରୁ ପାଚିକା ଚୟନ ପାଇଁ ୨୦୧୯ ରେ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ, ଚୟନ ପ୍ରକ୍ରିୟା ହୋଇଥିଲା । ମାତ୍ର ସେତେବେଳେ ଉତ୍ତେଜନା ହେବାରୁ ସହାୟିକା ନିଯୁକ୍ତି ସ୍ଥଗିତ ରହିଥିଲା । ଘଟଣାର ଦୁଇ ବର୍ଷ ପରେ ନୂତନ ଭାବେ କୌଣସି ବିଜ୍ଞପ୍ତି ପ୍ରକାଶ ନ କରି ୬୭୩ ଚିଠି ମୂଳେ ଚୟନ ହେଉ ଥିବାରୁ କିଛି ମହିଳା ଜିଲ୍ଲା ପ୍ରଶାଶନର ଦୃଷ୍ଟି ଆକର୍ଶନ କରିବା ସହିତ ମୁଖ୍ୟ ଫାଟକ ନିକଟରେ ଦୃଢ଼ ବିରୋଧ କିରିଥିଲେ । ଯାହାକୁ କେନ୍ଦ୍ର କରି ସପକ୍ଷ ବାଦୀ ଓ ବିପକ୍ଷ ବାଦୀ ମୁହାଁ ମୁହିଁ ହେବା ସହିତ ହାତା ହାତୀ ହୋଇ ମଝିରାସ୍ତାରୁ ବସ୍ତା ସିଡିପିଓ ଓ ସୁପରଭାଇଜରଙ୍କୁ ସ୍କୁଲ ହତା ଭିତରକୁ ଭିଡ଼ି ଆଣିଥିଲେ । ଉକ୍ତ ଘଟଣାକୁ କେନ୍ଦ୍ର କରି ଘଟଣା ସ୍ଥଳରେ  ଉତ୍ତେଜନା ଦେଖା ଦେଇଥିଲା । ସିଂଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ କରିବା ସହିତ, ଦୀର୍ଘ ସମୟ ପରେ ଭୋଟିଂ ଆରମ୍ଭ ହୋଇଥିଲା । ଏକ ପ୍ରକାର ଭୋଟ ହୋଇ ଚୟନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ, ସିଡ଼ିପିଓ ଘୋଷଣା କରି ନ ଥିବା ଜଣା ପଡ଼ିଛି ।

ରିପୋର୍ଟ : ଭୂପତି ପରିଡା