ଅଙ୍ଗନବାଡି କର୍ମୀ ପକ୍ଷରୁ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା : ବହିସ୍କୃତ ତିନି ଅଙ୍ଗନବାଡି କର୍ମୀଙ୍କୁ କାର୍ଯ୍ୟରେ ନିୟୋଜିତ କରିବାକୁ ଦାବୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଏଆଇଟିୟୁସି ଅନୁବନ୍ଧିତ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘର ଛତ୍ରପୁର ବ୍ଲକ ଶାଖା ପକ୍ଷରୁ ସଭାନେତ୍ରୀ ବାସନ୍ତି ସାହୁଙ୍କ ନେତୃତ୍ୱରେ ୩ ଜଣ ଅଙ୍ଗନବାଡି କର୍ମୀଙ୍କ କାର୍ଯ୍ୟରୁ ବହିସ୍କାର କରାଯାଇଥିବାରୁ ସେମାନଙ୍କୁ ପୁଣି କାର୍ଯ୍ୟରେ ନିୟୋଜିତ କରିବାକୁ ଦାବୀ ନେଇ ସଂଘର ସମସ୍ତ ସଦସ୍ୟା ଆନ୍ଦୋଳନକୁ ଓହ୍ଲାଇ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସେମାନଙ୍କ ଅଭିଯୋଗ ଓ ଦାବି ଗୁଡିକ ହେଲା କରାପଲ୍ଲୀ-୧ କେ.କମଳା, ଟାଙ୍ଗଣାପଲ୍ଲୀ -୨ ମଞ୍ଜୁମାଳା ପଣ୍ଡା ଓ ଚମାଖଣ୍ଡି -୨ କେନ୍ଦ୍ରର ଗିରିଜା ଗୌଡ ଅଙ୍ଗନବାଡି କର୍ମୀଙ୍କୁ ପତ୍ର ସଂଖ୍ୟା ୫୯୮/ତା-୨୫.୦୬.୨୦୨୧ରେ ବହିସ୍କୃତ କରାଯାଇଛି ଏବଂ କେନ୍ଦ୍ରର ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିବା ନିମନ୍ତେ କୁହାଯାଇଛି । ଯାହା କି, ଆଇନ ବିରୋଧି ଅଟେ । ଏଣୁ ସେମାନଙ୍କୁ ଆଜି ଠାରୁ ୭ ଦିନ ଭିତରେ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଚିଠି କରାଯାଉ । ନଚେତ୍ ସଂଘ ପକ୍ଷରୁ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରାଯିବା ସହିତ ଅନିର୍ଦ୍ଦିଷ୍ଠ କାଳ ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି ସଂଘର ସଭାନେତ୍ରୀ ଶ୍ରୀମତି ସାହୁ ଚେତାବନୀ ଦେଇଛନ୍ତି । ସରକାରଙ୍କ ନିର୍ଦ୍ଦେଶନାମା ସଂଖ୍ୟା ୩୬୫୭/ତା.୨.୩.୨୦୧୯ ଅନୁଯାୟୀ ଅଙ୍ଗନବାଡି କର୍ମୀଙ୍କୁ ୬୨ ବର୍ଷ ହେଲେ କାର୍ଯ୍ୟରୁ ଓହରିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ଛତ୍ରପୁର ସିଡିପିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାର ବ୍ୟତିକ୍ରମ କରାଯାଇଛି । ଏହି ତିନି ଜଣ ଅଙ୍ଗନବାଡି କର୍ମୀ ୬୦ ବର୍ଷର ଫିଟନେସ୍ ସାର୍ଟିଫିକେଟ ଠାରୁ ଆରମ୍ଭ କରି ସମସ୍ତ କାଗଜପତ୍ର ପ୍ରଦାନ କରିବା ସହ ସେମାନେ କୋଭିଡ ମହାମାରୀ ସମୟରେ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଆସୁଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା ନ କରାଯାଇ କାର୍ଯ୍ୟରୁ ବହିସ୍କାର କରିବା ଯଥାର୍ଥ ନୁହେଁ ବୋଲି ସେମାନେ କହିଛନ୍ତି । ଅନ୍ୟ ପକ୍ଷରେ ୨୫.୦୬.୨୦୨୧ ଚିଠି ପ୍ରକାରେ ୩ ଜଣ ଅଙ୍ଗନବାଡି କର୍ମୀଙ୍କୁ ବହିସ୍କୃତ କରିବା ନିମନ୍ତେ ଆମକୁ ନିର୍ଦ୍ଦେଶ ରହିଛି । ଏହି ନିର୍ଦ୍ଦେଶ ଅନୁସାରେ ଆମେ କାର୍ଯ୍ୟ କରୁଛୁ ବୋଲି ଛତ୍ରପୁର ସିଡିପିଡ କ୍ରିଷ୍ଣା କୁମାରୀ ନନ୍ଦ କହିଛନ୍ତି । ଏହି ଧାରଣାରେ ଛତ୍ରପୁର ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘର ସଂପାଦିକା ବାସନ୍ତି ତ୍ରିପାଠୀ, ଶାକାମ୍ବରୀ ବାରି. ସର୍ମିଷ୍ଠା ପଣ୍ଡା, ମାମିଷ୍ଠା ଜେନାଙ୍କ ସମେତ ଶତାଧିକ ଅଙ୍ଗନବାଡି କର୍ମୀ ଓ ହେଲପର ମାନେ ସାମିଲ ଥିଲେ ।