ଅଘୋଷିତ ବିଦ୍ୟୁତ କାଟ, ଲୋ ଭୋଲ୍ଟେଜ ଓ ଅହେତୁକ ବିଦ୍ୟୁତ ଶୁକ୍ଳ ବୃଦ୍ଧି ତୁରନ୍ତ ପ୍ରତ୍ୟାହାର ଦାବିରେ ବିକ୍ଷୋଭ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଦ୍ୟୁତ ଶୁକ୍ଲ ବୃଦ୍ଧି ଓ ଅନ୍ୟାନ୍ୟ ସମସ୍ୟା ନେଇ ଗଞ୍ଜାମ ଜିଲ୍ଲାର ହେଡ-କ୍ୱାଟର ଛତ୍ରପୁରସ୍ଥ ବିଦ୍ୟୁତ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ୮ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏଥିରେ ସର୍ବଶ୍ରୀ ପ୍ରଦୀପ ପାଢୀ, ସଂଜୀତ ରାଉଳ, ସୁଦାମ ଜେନା, ଲକ୍ଷ୍ମୀପଣ୍ଡା, ଭୀମସେନ ବେହେରା, ପ୍ରମୋଦ ସାହୁ, ଚୈତନ୍ୟ ପ୍ରଧାନ, ବ୍ରଜମୋହନ ଆଚାର୍ଯ୍ୟ, ପି.ତ୍ରିପତି ରାଓ, ବସନ୍ତ ବେହେରା ପ୍ରମୁଖ ବିଜେପି ନେତା ଓ କର୍ମୀ ଯୋଗଦେଇ ସମସ୍ତ ବିଦ୍ୟୁତ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବୀ କରିଛନ୍ତି । ଓଡ଼ିଶାରେ ଆବଶ୍ୟକ ପରିମାଣରେ ବିଦ୍ୟୁତ ଉତ୍ପାଦନ ହେଉଥିବା ବେଳେ ପ୍ରତି ୟୁନିଟ ପିଛା ଦର ବୃଦ୍ଧି କରାଯାଇ ଗ୍ରାହକଙ୍କ ଉପରେ ଲଦିବା ଏକ ଅଗଣତାନ୍ତ୍ରିକତା ଅଟେ । ଦିଲ୍ଲୀରେ ୨ଶହ ୟୁନିଟ ଛାଡ କରାଯାଉଛି । କିନ୍ତୁ ଏବେ ରାଜ୍ୟରେ ବିଦ୍ୟୁତ ଯୋଗାଣକୁ ଟାଟା କମ୍ପାନୀ ହାତରେ ଟେକି ଦିଆଯାଇଛି । କମ୍ପାନୀ ସେବା ବଦଳରେ ଲୋକଙ୍କୁ ଠାରୁ ଶୁକ୍ଲ ଆଦାୟ କରିବାରେ ଲାଗିଛି । ତେଣୁ ବିଜେପି ପକ୍ଷରୁ ବର୍ଦ୍ଧିତ ଶୁକ୍ଲ ପ୍ରତ୍ୟାହାର ଦାବୀ ସହ ୧ରୁ ଏକ ଶହ ୟୁନିଟ ପର୍ଯ୍ୟନ୍ତ ଗୋଟିଏ ଦର ଲାଗୁ କରାଯିବା, ସେହିଭଳି ଲୋଭୋଲଟେଜ ଅଞ୍ଚଳକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉନାହିଁ । ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରି ୨୪ ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଇ ଦିଆଯିବା ନିମନ୍ତେ ଦାବୀ ହୋଇଛି । ସେହିପରି ଛତ୍ରପୁର ଅଞ୍ଚଳ ଏକ ସାମୁଦ୍ରିକ ବାତ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଭୂତଳ ବିଦ୍ୟୁତସେବା ବ୍ୟବସ୍ଥା କରାଯିବା ସହିତ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତଖୁଣ୍ଟ, ଟ୍ରାନ୍ସଫରମ୍ ଗୁଡିକୁ ସଜାଡ଼ିବା, ତା’ର ଚତୁଃପାଶ୍ୱର୍ରେ ପ୍ରଚେରୀ ନିର୍ମାଣ କରାଯିବା ନିମନ୍ତେ ଦାବୀ ହୋଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା