ବ୍ରହ୍ମପୁର ଡାକମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧନା ସଭା

ବ୍ରହ୍ମପୁର(ସମୃଦ୍ଧଓଡିଶା)ଶୁକ୍ରବାର ଦିନ ବ୍ରହ୍ମପୁର ଡାକ-ମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଡାକ-ମଣ୍ଡଳ କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଜାତୀୟ ସଞ୍ଚୟ ଯୋଜନା ଅଧୀନରେ ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ ପରିଯୋଜନାର ସଫଳ ରୂପାୟନ ତଥା ଏଥିରେ ଅଧିକରୁ ଅଧିକ ନାରୀଶକ୍ତିଙ୍କୁ ଯୋଡ଼ିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡାକ କର୍ମଚାରୀ ମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଛି। ଉପ-ଡାକ ଅଧୀକ୍ଷକ ପୀତବାସ ଜେନାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ଡାକ ମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ତାରିଣୀ ଚରଣ ପାଢ଼ୀ, ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ଡାକ କ୍ଷେତ୍ରର ସହକାରୀ ନିର୍ଦ୍ଦେଶକ ଏଲ୍. ଏନ୍. ମିଶ୍ର, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ବରିଷ୍ଠ ଡାକ ଅଧୀକ୍ଷକ ତଥା ସମାଜସେବୀ ଦିବାକର ପଟ୍ଟନାୟକ ଓ ବ୍ରହ୍ମପୁର ଦକ୍ଷିଣ ଉପ ଡାକମଣ୍ଡଳର ଡାକ ନୀରିକ୍ଷକ ଲିଙ୍ଗରାଜ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ମଣ୍ଡଳ ସ୍ତରୀୟ ମନିଟରିଂ ପାଈଁ ବ୍ରହ୍ମପୁର ସିଟି ଉପଡାକଘରର ଡାକ ସହାୟକ ଶ୍ରୀରାମ ଜୟରାମ ମହାପାତ୍ର ସ୍ଵତନ୍ତ୍ର ଦାୟୀତ୍ବ ନିର୍ବାହନ କରିଥିଲେ। ପ୍ରକାଶ ଥାଉ କି, ଏକ ସ୍ବତନ୍ତ୍ର ଡ୍ରାଇଭ୍ ଜରିଆରେ ବ୍ରହ୍ମପୁର ଡାକମଣ୍ଡଳରେ ଅକ୍ଟୋବର ୨୧ ତାରିଖରୁ ୩୧ ତାରିଖ ମଧ୍ୟରେ ସମୁଦାୟ ୧୨ ହଜାର ୬୯୮ ଟି ନୂତନ ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ ବିକ୍ରୟ କରାଯାଇ ଏହା ବାବଦକୁ ୨୨ କୋଟି ୨୪ ଲକ୍ଷ ୭୩ ହଜାର ୮୦୦ ଟଙ୍କା ସଂଗୃହୀତ ହୋଇଛି। ଯାହା ଫଳରେ ବ୍ରହ୍ମପୁର ଡାକ ମଣ୍ଡଳ ସର୍ଵ ଭାରତୀୟ ସ୍ତରରେ ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ସଫଳତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡାକ ମଣ୍ଡଳର ମୋଟ ୪୯ ଜଣ ଡାକ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଭାଟକୁମରଡ଼ା ଉପଡାକପାଳ ଏନ. ଗଙ୍ଗାଧର ରେଡ୍ଡୀ ୬୯୪ ଟି ଏବଂ କେଶରୀପଡ଼ାର ଗ୍ରାମୀଣ ଡାକ ସେବକ ୨୩୯ଟି ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ ବିକ୍ରୟ କରି ନିଜ ନିଜ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। କାର୍ଯ୍ୟକ୍ରମକୁ ରଜନୀ ପାଢ଼ୀ ପରିଚାଳନା କରିଥିବା ବେଳେ ଗୌରହରି ପଣ୍ଡା ଓ ଅବନୀ କୁମାର ଭୂୟାଁ ସହଯୋଗ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା