![](https://i0.wp.com/www.samrudhaodisha.com/wp-content/uploads/2024/03/download-2-1.jpg?resize=259%2C194&ssl=1)
![](https://i0.wp.com/www.samrudhaodisha.com/wp-content/uploads/2024/03/download-1-3.jpg?resize=259%2C194&ssl=1)
![](https://i0.wp.com/www.samrudhaodisha.com/wp-content/uploads/2024/03/WhatsApp-Image-2024-03-27-at-04.26.19.jpeg?resize=600%2C344&ssl=1)
![](https://i0.wp.com/www.samrudhaodisha.com/wp-content/uploads/2024/03/WhatsApp-Image-2024-03-27-at-04.26.18.jpeg?resize=600%2C344&ssl=1)
ଭୁବନେଶ୍ୱର(ସମୃଦ୍ଧଓଡିଶା)ବିଜେଡିରେ ମିଶିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ଆଜି ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡିରେ ମିଶିବା ପୂର୍ବରୁ ମନ୍ମଥ ଭୁବନେଶ୍ୱର ମାଉସୀମା ମନ୍ଦିର ଛକରୁ ନିଜ କର୍ମୀମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା କରି ଶଙ୍ଖ ଭବନ ଅଭିମୁଖେ ଆସିଥିଲେ। ସୁର ନିଜ ପୁଅର ଏହି ବିରାଟ ଶୋଭାଯାତ୍ରାରେ ସାମିଲ ହୋଇ ନଥିଲେ। ହେଲେ ସେ ନିଜ ପୁଅ ମନ୍ମଥଙ୍କୁ ଜିତାଇବାକୁ ନିଜର କର୍ମୀମାନଙ୍କୁ ଆହ୍ୱାନ କରିଥିଲେ। ସେ କହିଥିଲେ, ମନ୍ମଥ ଯେଉଁ ଦଳକୁ ଯାଉନା କାହିଁକି ସେ ମୋ ପୁଅ। ତାକୁ ଆମେ ଜିତାଇବା । ଅନ୍ୟପକ୍ଷରେ ସୁରଙ୍କ ଆର୍ଶୀବାଦ ନେଇ ବିଜେଡିରେ ସାମିଲ ହୋଇଥିବା ମନ୍ମଥ କହିଥିଲେ, ମୋ ବାପା ସୁର ରାଉତରାୟ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରେରଣାରେ ଆଗକୁ ବଢ଼ିବି। ବିଜେଡିରେ ମିଶିବା ତାଙ୍କର ଏକା ନିଷ୍ପତ୍ତି ନୁହେଁ। ଏହା ତାଙ୍କ ପରିବାରର ନିଷ୍ପତ୍ତି ବୋଲି ମନ୍ମଥ କହିଥିଲେ। ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ମନ୍ମଥ କ୍ୟାପଟନ ଚାକିରି ଛାଡ଼ି ଭୁବନେଶ୍ୱରରେ ପହଞ୍ଚିଥିଲେ। ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସୁର ଶହ ଶହ ସମର୍ଥକଙ୍କୁ ନେଇ ସେଠାରେ ପହଞ୍ଚି ପୁଅକୁ ଭବ୍ୟ ସ୍ୱାଗତ କରି ପାଛୋଟି ଆଣିଥିଲେ। ପରେ ସୁର ମନ୍ମଥଙ୍କୁ ଉତ୍ତରାଧିକାରୀ ଭାବେ ଘୋଷଣା କରିଥିଲେ। ଏହାସହ ଜଟଣୀରୁ ବିଧାୟକ ପ୍ରାର୍ଥୀ ମନ୍ମଥ ରାଉତରାୟ ହେବେ ବୋଲି ସେ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଥିଲେ।ଅନ୍ୟ ପକ୍ଷରେ ଆମ ସ୍ୱତନ୍ତ୍ର ପ୍ରତିନିଧି ଜଣାଇଛନ୍ତି ଯେ ବିଜେଡିରେ ଯୋଗ ଦେଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ କ୍ୟାପଟେନ ମନ୍ମଥ ରାଉତରାୟ । ନିଜ ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଶଙ୍ଖ ଭବନକୁ ଆସି ମନ୍ମଥ ଶଙ୍ଖ ଧରିଛନ୍ତି । ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି ମନ୍ମଥ । ଶଙ୍ଖ ଭବନରେ ଦଳରେ ସାମିଲ ହୋଇ ମନ୍ମଥ କହିଛନ୍ତି ଯେ ବାପାଙ୍କ ଆଶୀର୍ବାଦ ନେଇ ବିଜେଡିରେ ମିଶିଛି । ଏପରି କହିବା ବେଳେ କିଛି ସମୟ ପାଇଁ ସେ ଭାବବିହ୍ୱଳ ହୋଇପଡ଼ିଥିଲେ । ବାପା ସବୁବେଳେ ଆଗରେ ଯାଉଥିଲେ ମୁଁ ପଛରେ ଯାଉଥିଲି । କିନ୍ତୁ ପ୍ରଥମ ଥର ବାପାଙ୍କ ବିନା ଏକୁଟିଆ ଆସିଛି । ବାପାଙ୍କ ଆଶୀର୍ବାଦ ନେଇ ଆଜି ଏଠାକୁ ଆସିଛି । ବିଜୁ ପଟ୍ଟନାୟକ ମୋର ଆଦର୍ଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ସ୍କଲାରସିପ ଏପର୍ୟ୍ୟନ୍ତ ରଖିଛି ବୋଲି କହିଥିଲେ । ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ କାର୍ୟ୍ୟଶୈଳୀକୁ ପ୍ରଶଂସା କରିବା ସହ ପରାମର୍ଶ ଦେଇଥିବାରୁ ପ୍ରଣବ ପ୍ରକାଶ ଦାସଙ୍କୁ ସେ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ମନ୍ମଥ କହିଛନ୍ତି ଓଡ଼ିଶାକୁ ନେଇ ମୋର ଯେଉଁ ଆଶା ଅଛି ତାହା କେବଳ ବିଜେଡି ଦଳରେ ପୁରା କରାଯାଇପାରିବ । ସବୁ ବର୍ଗ ଓ ସବୁ କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଭଳି କାମ କରୁଛନ୍ତି ତାହା ତାଙ୍କୁ ଏକ ନମ୍ବର ମୁଖ୍ୟମନ୍ତ୍ରୀର ପରିଚୟ ଦେଇଛି । ବିଜେଡିରେ ଏକ ସୈନିକ ହିସାବରେ କାମ କରିବି । ବିଜେଡିରେ ମିଶିବା ପରେ ଜଟଣୀରୁ ମନ୍ମଥ ବିଜେଡି ଟିକେଟ ପାଇବା ନେଇ କିମ୍ବା ଲୋକସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ରିପୋର୍ଟ : ରଜତ ମହାପାତ୍ର