![WhatsApp-Image-2023-10-03-at-11.30.30](https://i0.wp.com/www.samrudhaodisha.com/wp-content/uploads/2023/10/WhatsApp-Image-2023-10-03-at-11.30.30.jpeg?fit=1024%2C1365&ssl=1)
![](https://i0.wp.com/www.samrudhaodisha.com/wp-content/uploads/2023/10/WhatsApp-Image-2023-10-03-at-11.30.30-1.jpeg?resize=640%2C853&ssl=1)
ଦିଗପହଣ୍ଡି(ସମୃଦ୍ଧ ଓଡିଶା) ଦିଗପହଣ୍ଡିରେ ବାଜି ମାରିଲା ବିପିନ ପ୍ରଧାନ ଗୋଷ୍ଠୀ । ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନରେ ନିଲମ୍ବିତ ବିଜେଡି ନେତା ବିପିନ ପ୍ରଧାନଙ୍କ ଗୋଷ୍ଠୀର ବିଜୟ ହୋଇଛି । ବିପିନ ପ୍ରଧାନ ଗୋଷ୍ଠୀର ଯମୁନା ନାୟକ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ଆଉ କେହି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନ ଥିବାରୁ ନିର୍ବାଚନ କମିଶନ ଯମୁନାଙ୍କୁ ବିଜୟୀ ବୋଲି ଘୋଷଣା କରିଛନ୍ତି । ପୂର୍ବତନ ବାଚସ୍ପତି ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କ ମୁଣ୍ଡରେ ଅସ୍ତ୍ରୋପଚାର ଯୋଗୁଁ ଅସୁସ୍ଥତା କାରଣରୁ ସେ ଏହି ଉପନିର୍ବାଚନରେ ଅଂଶଗ୍ରହଣ କରିପାରିଲେ ନାହିଁ ଫଳରେ ବିପ୍ଳବଙ୍କ ଗୋଷ୍ଠୀର ପୂର୍ଣ ସମର୍ଥକ ୧୦ ଜଣ ସମିତି ସଭ୍ୟ ମଧ୍ୟ ଭୋଟ ଦେବାକୁ ଯାଇ ନ ଥିବା ଜଣାପଡିଛି । ଅସୁସ୍ଥତା କାରଣରୁ ବିପ୍ଲବଙ୍କ ପକ୍ଷରୁ ମଧ୍ୟ କାହାରିକୁ ପ୍ରାର୍ଥୀ କରାଯାଇ ନ ଥିଲା । ୧୪ ଜଣ ସମିତି ସଭ୍ୟ ବିପିନିଙ୍କ ପ୍ରାର୍ଥୀ ଯମୁନାଙ୍କୁ ଭୋଟ ଦେଇଥିଲେ। ଦିଗପହଣ୍ଡି ବ୍ଲକରେ ୨୫ଟି ପଞ୍ଚାୟତ ରହିଛି । ଫଳରେ ଯମୁନା ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି । ଦୀର୍ଘ ଦିନ ହେବ ବିପ୍ଲବ ପାତ୍ର ଓ ବିପିନ ପ୍ରଧାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା । ଯେଉଁ ଗୋଷ୍ଠୀକୁ ବ୍ଲକ ଅଧ୍ୟକ୍ଷ ପଦଵୀ ମିଳିବ ତାଙ୍କର ଆସନ୍ତା ନିର୍ବାଚନରେ ଦବଦବା ରହିବ ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ବିଧାୟକ ଟିକେଟ ମଧ୍ୟ ସେହି ଗୋଷ୍ଠୀକୁ ମିଳିପାରେ ବୋଲି କୁହା ଯାଉ ଥିଲା । ତେଣୁ ବିପିନି ଗୋଷ୍ଠୀ ବ୍ଲକ ଅଧ୍ୟକ୍ଷ ପଦଵୀ ହାତେଇବାକୁ ପ୍ରାଣପଣେ ଲାଗି ପଡ଼ିଥିଲେ। ଶେଷରେ ଅପରପକ୍ଷର କେହି ପ୍ରାର୍ଥୀ ନ ଥିବାରୁ ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନରେ ବିପିନଙ୍କ ଗୋଷ୍ଠୀର ବିଜୟ ହୋଇଛି । ବିଶୃଙ୍ଖଳିତ କାର୍ଯ୍ୟ ଯୋଗୁଁ ନିକଟରେ ବିଜେଡିରୁ ବହିଷ୍କୃତ ହୋଇ ଥିଲେ ବିପିନ ପ୍ରଧାନ । ଦଳବିରୋଧୀ କାର୍ଯ୍ୟ ଦର୍ଶାଇ ବିପିନଙ୍କୁ ବହିଷ୍କାର କରାଯାଇଥିଲା । ଦିଗପହଣ୍ଡିରେ ବ୍ଲକ ଅଧ୍ୟକ୍ଷ ପଦ ହାତେଇବା ପରେ ବିପିନ ପ୍ରଧାନ କହିଛନ୍ତି, ଏହା ଜନ ସାଧାଣରଣଙ୍କର ବିଜୟ । ଆମେ ସମସ୍ତେ ବିଜେଡି ସମର୍ଥକ । ଆମେ ସମସ୍ତେ ମିଳିମିଶି କାମ କରିବୁ । ଆମେ ସମସ୍ତଙ୍କୁ ନେଇ ଚଳିବୁ । ସୂଚନାଯୋଗ୍ୟ ଯେ କିଛି ମାସ ପୂର୍ବରୁ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ସୁନୀତା ସେଠୀଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟୁ ପରେ ବ୍ଲକ ଅଧ୍ୟକ୍ଷ ପଦଵୀ ଖାଲିପଡ଼ିଥିଲା। ଗତ ଅଗଷ୍ଟ ୩୧ ତାରିଖରେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ହେବ ବୋଲି ତାରିଖ ଘୋଷଣା ହୋଇଥିଲା । ନିର୍ବାଚନ ବେଳେ ପ୍ରବଳ ହିଂସା ହୋଇଥିବାରୁ ଅଧାରୁ ନିର୍ବାଚନକୁ ବାତିଲ କରାଯାଇଥିଲା। ଦିଗପହଣ୍ଡି ବିଧାୟକ ପୂର୍ବତନ ବାଚସ୍ପତି ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦେହାନ୍ତ ପରେ ପରେ ଏବେ ପୁଣି ନିର୍ବାଚନ ତାରିଖ ଘୋଷଣା ହୋଇଥିଲା । ଠିକ ଏତିକି ବେଳକୁ ବିପ୍ଳବଙ୍କ ହଠାତ ମୁଣ୍ଡରେ ଅସ୍ତ୍ରୋପଚାର ହେବାରୁ ସେ ଆଉ ନିର୍ବାଚନ ମଣ୍ଡଳୀ ଯିବାକୁ ସମର୍ଥ ହୋଇ ନ ଥିଲେ । ଫଳରେ ନିର୍ବାଚନ ଏକତରଫା ହୋଇଗଲା । ଜଣେ ଲୋକପ୍ରିୟ ନେତା ରୂପେ ସୂର୍ଯ୍ୟନାରାୟଣ ପାତ୍ର ଦିଗପହଣ୍ଡି ନିର୍ଵାଚନ ମଣ୍ଡଳୀର ଘରେ ଘରେ ହୃଦୟ ହୃଦୟରେ ପରିଚିତ ଥିଲେ । ଯାହାକି ତାଙ୍କ ମୃତ୍ୟୁବେଳେ ଜଣାପଡିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ସୂର୍ଯ୍ୟପାତ୍ରଙ୍କ ପାର୍ଥିବ ଶରୀର ନିକଟରେ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଦେବାସହ ପୁତ୍ର ବିପ୍ଳବକୁ ଅଧର୍ଯ୍ୟ ନ ହେବା ନେଇ ଆଶ୍ୱାସନା ଦେଇଥିଲେ । ଅନୁକମ୍ପା ମୂଳକ ଭାବେ ତାଙ୍କର ଟିକେଟ ନିଶ୍ଚିତ ଓ ଆଗାମୀ ନିର୍ବାଚନରେ ସେ ହିଁ ଦିଗପହଣ୍ଡି ପାଇଁ ବିଜେଡି ଟିକେଟ ପାଇବେ । ଏଥିରେ ଦ୍ବିମତ ନାହିଁ ବୋଲି ବରିଷ୍ଠ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରୁଛନ୍ତି ।
ରିପୋର୍ଟ : ହାଇକୋର୍ଟ ଏଡ଼ଭୋକେଟ ସୁଧୀର କୁମାର ପଟ୍ଟନାୟକ
![](https://i0.wp.com/www.samrudhaodisha.com/wp-content/uploads/2023/09/WhatsApp-Image-2023-09-04-at-15.21.53.jpeg?resize=640%2C417&ssl=1)