୨୩ରୁ ମା କୁକୁଟେଶ୍ୱରୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ପ୍ରଶାସନ ଓ ଯାତ୍ରା କମିଟିର ପ୍ରସ୍ତୁତି ବୈଠକ…

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଗଙ୍ଗାପୁର –୨ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା କୁକୁଟେଶ୍ୱରୀ ଠାକୁରାଣୀଙ୍କ ଯାତ୍ରା ଆସନ୍ତା ୨୩ ତାରିଖରୁ ଜୁନ୍ ମାସ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଯାତ୍ରା କମିଟି ଓ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୫ତାରିଖ ଠାରୁ ଗ୍ରାମରେ ପ୍ରତ୍ୟେକ ଦିନ ମା ଘଟ ପରିକ୍ରମା କରିବା ବେଳେ ରାତ୍ର ୧୦ ଟା ପରେ ବାଣ ଓ ଡିଜେ ବଜାଇବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ମିନାବଜାର ସମେତ ସମସ୍ତ ଉଠା ଦୋକାନୀ ମାନେ ସେମାନଙ୍କ ନିଜ ନିଜ ଦୋକାନ ସମ୍ମୁଖରେ ଡଷ୍ଟବିନ୍ ରଖିବା ସହିତ ଦୋକାନକୁ ଆସୁଥିବା ଲୋକଙ୍କୁ ଡଷ୍ଟବିନ୍ ବ୍ୟବହାର କରିବା ପାଇଁ କହିବା ପାଇଁ ଉପଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଗ୍ରାମକୁ ପାନୀୟ ଜଳ ଯୋଗାଣର ସୁବ୍ୟବସ୍ଥା କରିବା ନିମନ୍ତେ ଜଳଓ ପରିମଳ ବିଭାଗର ଅଧିକାରୀଙ୍କୁ କୁହାଯାଇଛି । ଏହାସହିତ ବିଦ୍ୟୁତ ସରବରାହ ସଠିକ୍ ଭାବେ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳଛତ୍ରର ବ୍ୟବସ୍ଥା କରାଯିବା ପାଇଁ ଉପଜିଲ୍ଲାପାଳ କହିଛନ୍ତି । ଏହା ସହ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଅସ୍ଥାୟୀ କ୍ୟାମ୍ପ କରିବା ସହିତ ଆମ୍ବୁଲାନ୍ସ ର ବ୍ୟବସ୍ଥା ଓ ପାରା ମେଡିକାଲ ଷ୍ଟାଫ୍ ସମେତ ବିଭିନ୍ନ କର୍ମଚାରୀ ମାନଙ୍କୁ ନିୟୋଜିତ କରାଯିବ । କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଛତ୍ରପୁର ପୋଲିସ୍ ପକ୍ଷର୍‌ୁ ବ୍ୟାପକ ପୋଲିସ୍ ମୃତୟନ କରାଯିବ । ଏହା ସହିତ ଗ୍ରାମର ବହୁ ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟ ନିୟୋଜିତ ହେବେ । ସ୍ୱେଚ୍ଛାସେବୀ ମାନଙ୍କ ନିମନ୍ତେ ପରିଚୟ ପତ୍ର ସହିତ ସ୍ୱତନ୍ତ୍ର ଡ୍ରେସର ବ୍ୟବସ୍ଥା କରାଯିବ । ଏହି ବୈଠକରେ ପାର୍କିଂ, ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଇଥିଲା । ପୋଲିସ୍ ଠାରୁ ଆରମ୍ଭ କରି ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ଯୋଗାଯୋଗ ନମ୍ବରକୁ ମନ୍ଦିର ପରିସରରେ ଲେଖାଯିବ । ଯାହାଦ୍ୱାରା କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲେ ସ୍ୱେଚ୍ଛାସେବୀ ଓ ସାଧାରଣ ଲୋକମାନେ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇ ପରିବେ । ମନୋରଞ୍ଜନ ପାଇଁ ଆସିଥିବା ରାମଦୋଳି ସମେତ ସମସ୍ତ ଖେଳ ସାମଗ୍ରୀ ଗୁଡିକ ଠିକ୍ ଅଛି କି ନାହିଁ ତାହାକୁ ଛତ୍ରପୁର ସରକାରୀ ଆଇଟିଆଇର ଏକ ବୈଷୟିକ ଟିମ୍ ବୁଲି ଯାଞ୍ଚ କରିବେ । ଏହା ସହିତ ଯାତ୍ରା କିପରି ଶାନ୍ତି ଶୃଙ୍ଖଳା ଭାବେ ଲୋକମାନେ ଉପଭୋଗ କରିପାରିବେ ସେଥି ନିମନ୍ତେ ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ଯାତ୍ରା କମିଟିର ସଭାପତି ଦୁର୍ଯ୍ୟୋଧନ ସ୍ୱାଇଁ, ପୋଟ୍ଟଲାମପୁର ସରପଂଚ ନିରଞ୍ଜନ ପ୍ରଧାନ ଓ ସମିତିସଭ୍ୟ ଶମ୍ଭୁନାଥ ସ୍ୱାଇଁ ସମସ୍ତ ଅଧିକାରୀ ମାନଙ୍କ ସହଯୋଗ କାମନା କରିଥିଲେ । ମାଙ୍କ ଘଟ ନିଜ ମନ୍ଦିରରୁ ଅସ୍ଥାୟୀ ମନ୍ଦିରକୁ ମେ ୨୩ ତାରିଖ ଦିନ ବିଜେ କରିବେ । ଗୋଟାଏ ଦିନ ବିଶ୍ରାମ ପରେ ମାଙ୍କ ଘଟ ଗ୍ରାମର ବିଭିନ୍ନ ସାହିକୁ ସାହି ପରିକ୍ରମା କରିବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି । ଏହି ଯାତ୍ରା ପ୍ରତ୍ୟେକ ୧୨ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ଏହି ଯାତ୍ରାକୁ ବହୁ ଯାକଜକମରେ ପାଳନ କରାଯିବା ନିମନ୍ତେ ଗ୍ରାମବାସୀ ଓ ଯାତ୍ରା କମିଟି ପକ୍ଷରୁ ଆଗୁଆ ପ୍ରସ୍ତୁତ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା ଓ ଅଶୋକ କୁମାର ପ୍ରଧାନ, ଜଳଓପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରମେଶ ପଣ୍ଡା, ଟିପିଏସଓଡିଏଲର ସହକାରୀ ନିର୍ବାହୀଯନ୍ତ୍ରୀ ଇଂ. ରାଜ କିଶୋର ବଲ୍ଲଭ, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ଛତ୍ରପୁର ଜିଲ୍ଲା ଅତିରିକ୍ତ ଶ୍ରମ ଅଧିକାରୀ, ପୋଟ୍ଟଲାମପୁର ସରପଞ୍ଚ ନୀରଜଂନ ପ୍ରଧାନ, ସମିତିସଭ୍ୟ ଶମ୍ଭୁନାଥ ସ୍ୱାଇଁ, ଗଙ୍ଗାପୁର-୨ ଗ୍ରାମ୍ୟ ଠାକୁରାଣୀ ଯାତ୍ରା କମିଟିର ସଭାପତି ଦୁର୍ଯ୍ୟୋଧନ ସ୍ୱାଇଁ, ଭାଗିରଥୀ ମୁଦୁଲି ଓ ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା