୧୫ ଯାଏଁ ଟ୍ରେନ ଓ ବିମାନ ବନ୍ଦ : ମେ’ ୩ ପରେ କ’ଣ ହେବ ଲକଡାଉନ…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) କରୋନା ପାଇଁ ସାରା ଦେଶରେ ମେ’ ୩ ଯାଏଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ ଜାରି କରିଛନ୍ତି । ମେ’ ୩ ପରେ ଲକଡାଉନ ଉଠିବ କି ନ ଉଠିବ ସେ ନେଇ ଆଶଙ୍କା ଥିବା ବେଳେ ଲକଡାଉନ ଉଠିଲେ ସବୁ କିଛି ସ୍ୱାଭାବିକ ଭାବେ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ମେ’ ୩ ପରେ ଲକଡାଉନ ଉଠିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟକିଛି କଟକଣା ଜାରି କରିବେ ବୋଲି ଆଲୋଚନା କରାଯାଉଛି । ଲକଡାଉନ କଟକଣା କିଛି ଅଞ୍ଚଳରେ କୋହଳ କରିବା ପାଇଁ ବିଚାର ବିମର୍ଷ ଚାଲିଥିବା ବେଳେ ଯେଉଁ ଅଞ୍ଚଳରେ ଆଦୌ କରୋନାର ପ୍ରଭାବ ନାହିଁ ସେ ଅଞ୍ଚଳ କୋହଳ କରାଯାଇଥିବା ଖବର ମିଳୁଛି । ତେବେ ୩ ତାରିଖ ପରେ ପରିସ୍ଥିତିକୁ ପରଖି ଲକଡାଉନ ପ୍ରତ୍ୟାହାର କଲେ ମଧ୍ୟ କିଛି ଅଞ୍ଚଳରେ ଏହା ବଳବତ୍ତର ରହିବ ବୋଲି ଜଣାପଡିଛି । ସେହିପରି ମେ’ ୧୫ ତାରିଖ ଯାଏଁ ଟ୍ରେନ, ବସ ଓ ବିମାନ ଚଳାଚଳ ବନ୍ଦ ରଖିବାକୁ କେନ୍ଦ୍ର ସରକାର ଘୋଷଣା କରି ସାରିଛନ୍ତି । ତେବେ କେଉଁ ସବୁ କଟକଣା ଲାଗିବ ଓ କେଉଁ ସବୁ କଟକଣା କୋହଳ କରାଯିବ, ତା’ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଆଜି ସନ୍ଧ୍ୟାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷରେ ଗ୍ରୁପ ଅଫ ମିନିଷ୍ଟର୍ସ ବୈଠକ ବସିବ । ସୂତ୍ର ଅନୁସାରେ, କେନ୍ଦ୍ର ସରକାର ସମଗ୍ର ଭାରତ ବର୍ଷରେ ଲକଡାଉନ ଅବଧିକୁ ବୃଦ୍ଧି କରିବା ପାଇଁ ଆଦୌ ଚିନ୍ତା କରୁ ନାହାନ୍ତି । ତେବେ ସାମାଜିକ ଦୂରତା ଓ ମାସ୍କ ଭଳି ନିୟମ ଜାରି ରହିବ ବୋଲି ଜଣାପଡିଛି । ଏହାକୁ ଦୀର୍ଘ ସମୟ ପାଇଁ କାର୍ଯ୍ୟକ୍ଷମ କରି ରଖିବାକୁ ସରକାର ଚିନ୍ତା କରୁଛନ୍ତି । ସେହିପରି ଟ୍ରେନ, ବିମାନ ଓ ଇଣ୍ଟରଷ୍ଟେଟ ଟ୍ରାଫିକ ମେ’ ୧୫ ଯାଏ ବନ୍ଦ ରହିବ । କେବଳ ଗ୍ରୀନ ଜୋନ ବା ଖୁବ କମ କରୋନା ମାମଲା ଥିବା ଅଞ୍ଚଳରେ ଲକଡାଉନ ନିୟମକୁ କିଛି ଟା କୋହଳ କରାଯିବ ବୋଲି ଖବର ହସ୍ତଗତ ହୋଇଛି । କୋଭିଡି-୧୯ ପାଇଁ ଚିହ୍ନଟ ହୋଇଥିବା କଣ୍ଟେନମେଣ୍ଟ ଜୋନରେ ପୂର୍ବଭଳି କଡ଼ା କଟକଣା ଜାରି ରହିବ । ଏହି କଣ୍ଟେନମେଣ୍ଟ ଜୋନ ଉପରେ ନିଷ୍ପତ୍ତି ପର୍ଯ୍ୟାୟକ୍ରମେ ସ୍ଥିତି ସମୀକ୍ଷା କରି ନିଆଯିବ । ଜିଲ୍ଲା କିମ୍ବା ରାଜ୍ୟ ମଧ୍ୟରେ ଲୋକମାନଙ୍କୁ ଚଳ ପ୍ରଚଳ କରିବା ପାଇଁ ସରକାର ମେ’ ୩ ପରେ ଅନୁମତି ଦେଉ ଥିବା ଶୁଣିବାକୁ ମିଳୁଛି । ଅନୁମତି ଦେଲେ ମଧ୍ୟ ଯେଉଁମାନେ ମାସ୍କ କିମ୍ବା ସାମାଜିକ ଦୂରତାକୁ ପାଳନ ନ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏକାଧିକ ଅଫିସ ଖୋଲିବାକୁ ସରକାର ଅନୁମତି ଦେଲେ ମଧ୍ୟ ସେଗୁଡ଼ିକରେ କମ ସଂଖ୍ୟକ କର୍ମଚାରୀ ଓ ସାମାଜିକ ଦୂରତା କଡାକଡି ପାଳନ କରିବାକୁ ନିର୍ଦ୍ଦେଶନାମା ରହିବ ବୋଲି ଜଣାପଡିଛି । ସରକାର ପରବର୍ତ୍ତୀ ଗୋଟିଏ ମାସ ଯାଏଁ ବଡ଼ ଧରଣର କାର୍ଯ୍ୟକ୍ରମ ଯଥା, ବାହାଘର, ଜନସମାବେଶ, ବ୍ରତ ଘର ଓ ଅନ୍ତିମ ସଂସ୍କାର ଭଳି କାମ ଉପରେ କଟକଣା ପୂର୍ବଭଳି ରଖି ପାରନ୍ତି । ମେ’ ୧୫ ଯାଏ ପ୍ରଥମେ ଏଭଳି ନିୟମ ପାଳନ କରାଯିବ । ଏହାପରେ ପୁଣି ଥରେ ସମୀକ୍ଷା କରି ପରବର୍ତ୍ତୀ ବ୍ୟବସ୍ଥା କରାଯିବ । ବିଶେଷ କରି କରୋନା ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସହର କିମ୍ବା ରାଜ୍ୟ ପାଇଁ ସରକାର ସ୍ୱତନ୍ତ୍ର ରଣନୀତି ଆପଣାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ଆଜି ସନ୍ଧ୍ୟାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷରେ ବାସୁଥିବା ଗ୍ରୁପ ଅଫ ମିନିଷ୍ଟର୍ସ ବୈଠକ ପରେ ସବୁକିଛି ପ୍ରାଞ୍ଜଳ ହୋଇଯିବ ବୋଲି ଅନୁମାନ କରାଯାଉଛି ।