ହେ ମହାବାହୁ, ପରମ ବ୍ରହ୍ମ ନାରାୟଣ ଆପଣ କଳିଯୁଗରେ ନୀଳକନ୍ଦରେ ବିଜେ କରି ସମସ୍ତ ଜଗତର ହର୍ତ୍ତା, କର୍ତ୍ତା ଭାଗ୍ୟ ବିଧାତା…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ହେ ମହାବାହୁ, ପରମ ବ୍ରହ୍ମ ନାରାୟଣ ଆପଣ କଳିଯୁଗରେ ନୀଳକନ୍ଦରେ ବିଜେ କରି ସମସ୍ତ ଜଗତର ହର୍ତ୍ତା, କର୍ତ୍ତା ଭାଗ୍ୟ ବିଧାତା ।” କି ଭାବମୟ, ଭକ୍ତିଭରା କଣ୍ଠରେ ମହାବିଷ୍ଣୁଙ୍କ ସାକ୍ଷାତ ରୂପ ଓ ବ୍ରହ୍ମରେ ଶ୍ରୀଜଗନ୍ନାଥ ପାବନ ଶଙ୍ଖକ୍ଷେତ୍ରରେ ବିରାଜମାନ ସେ ଉପରେ ଗଭୀରଭାବେ ଆଲୋକପାତ କରି ୧୨ ବର୍ଷର ଏ ଝିଅ ଅଙ୍କିତା ପ୍ରିୟଦର୍ଶନୀ ଗାଇଛି ହୃଦୟ ତଳର ନିଭୃତ କୋଣରେ ଭାବମୟ ଭକ୍ତି ପରିଵେଶର ପ୍ରତିଧ୍ୱନୀ ଗୁଞ୍ଜରଣ ସୃଷ୍ଟି କରିପାରୁଛି । ମହାବିଷ୍ଣୁ ଭଗବାନଙ୍କର ଆବାସସ୍ଥଳ ଶ୍ୱେତଗିରି ଓ ତାଙ୍କର ଦୀପ ଶ୍ୱେତଦୀପ । ସଦାସର୍ବଦା ଶ୍ୱେତଗିରିରେ ବିରାଜମାନ ଭଗବାନଙ୍କୁ ଧ୍ୟାନ କରୁଛୁ । ବିଷ୍ଣୁଙ୍କ ସମ୍ମୁଖରେ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ଗୁଣଗାନ କରିବା ସହ ଲକ୍ଷ୍ମୀଙ୍କର ନିବାସରେ ଶ୍ୱେତଗିରି ସୁଶୋଭିତ ହୋଇପାରିଛି । ସେ ହିଁ ଆମର ଶ୍ରୀଜଗନ୍ନାଥ, ପରମବ୍ରହ୍ମ, ନାରାୟଣ ମହାବିଷ୍ଣୁ । କୋଟିଏ ବ୍ରହ୍ମାଣ୍ଡର ଗୋଟିଏ ବ୍ରହ୍ମ ସେ ଆମ ଜଗନ୍ନାଥ । କୋଟିଏ କଣ୍ଠରେ ଗୋଟିଏ ଉଚ୍ଚାରଣ ସେ ଆମର ଶ୍ରୀଜଗନ୍ନାଥ । ସମଗ୍ର ଜଗତ ତୁମର ଆଜ୍ଞାଧୀନ ହେ କଳାଶ୍ରୀମୁଖ ନାରାୟଣ । ପତ୍ରର ସବୁ ଜିମାରେ ତୁମରି ସୃଜନୀ, ଫୁଲର ଓଠର ସ୍ମିତହସରେ ଆନନ୍ଦର ଅପାର ପବିତ୍ର ଅବନାକ୍ଷର ଝରି ଆସୁଛି । ସମଗ୍ର ବିଶ୍ୱ ମାୟା ଜାଲରେ କବଳିତ କିନ୍ତୁ ହେ ଜଗନ୍ନାଥ ତୁମେ ଏହି ମାୟା ମୋହର ଉର୍ଦ୍ଧରେ । ଘଣ୍ଟୁଆର ଘଣ୍ଟରେ ହେ ଚକାନୟନ ତୁମରି ଆଳତୀ ଉଠୁଥିବାବେଳେ, ଘଟୁଆରୀର ଘୋରା ଚନ୍ଦନରେ ହେ କଳାଶ୍ରୀମୁଖ ରାତି ଦିନ ତୁମର ଅର୍ଚ୍ଚନା, ଚନ୍ଦନ ଲାଗି କରାଯାଇଥାଏ । ମିଛ, ମୋହ, ମାୟାରେ ସମଗ୍ର ବିଶ୍ୱ ଘୋଟି ରହିଥିବାବେଳେ ତୁମେ ହିଁ ଏ ଜୀବନରେ ଏକମାତ୍ର ସତ୍ୟ, ସନାତନ।ତବ ଦର୍ଶନରେ ସକଳ ଜୀବନର ପାପ ନାଶନ ସହ ମୁକ୍ତିର ପଥ ଉନ୍ମୋଚନ ହୋଇପାରୁଛି । ଏଣୁ ଲକ୍ଷ୍ମୀଙ୍କ ଆବାସରେ ଆପଣଙ୍କ ଶ୍ୱେତଗିରିରେ ଶ୍ୱେତଦୀପ ସଦା ସର୍ବଦା ପ୍ରଜ୍ୱଳିତ ହେଉଛି । ବ୍ରହ୍ମପୁରାଣାନୁଯାୟୀ ପୁରୁଷୋତ୍ତମ ଶଙ୍ଖକ୍ଷେତ୍ରରେ ଦାରୁରୂପୀ ଜଗନ୍ନାଥଙ୍କ ତତ୍ତ୍ୱ ଅତି ଗୋପନୀୟ । ସ୍ୱୟଂ ଭଗବାନ ଲକ୍ଷ୍ମୀଙ୍କୁ କହିଛନ୍ତି ଏହା ମୋର ଏକ ଗୁହ୍ୟ ତୀର୍ଥ । ପତିତଜନଙ୍କୁ ଉଦ୍ଧାର କରିବାକୁ ବ୍ୟାଜ ଶରୀର ଧାରଣ କରିଛନ୍ତି । ସ୍କନ୍ଦପୁରାଣରେ ଏହା ବର୍ଣ୍ଣନା କରାଯାଇଛି । ଅବ୍ୟୟ ଆନନ୍ଦ ପ୍ରଦାନ କରିବା ସହ ଶ୍ରୀକ୍ଷେତ୍ର ବିଷ୍ଣୁଙ୍କ ଆଳୟ ଅଟେ । ଏହା ହିଁ ମର୍ତ୍ତ୍ୟବୈକୁଣ୍ଠ ଓ ନିତ୍ୟ ଗୋଲକ । ଏଣୁ ନୀଳାଚଳ ପରମପୁରୁଷଙ୍କ ନିତ୍ୟ ଲୀଳାକ୍ଷେତ୍ର ।

ରିପୋର୍ଟ : ଦାମୋଦର ପାଢ଼ୀ