ସ୍ୱର୍ଗତ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ନନ୍ଦିନୀ ଦେବୀ ସ୍ମୃତି କମିଟି, ବିଭାବନା, କବିଭୂଷଣ ସ୍ମୃତି ସଂସଦ, ବାଳକୃଷ୍ଣ ସାହିତ୍ୟ ସାଂସଦ, ପଣ୍ଡିତ ଡ଼ା.ରୁଦ୍ରନାରାୟଣ ମିଶ୍ର ସ୍ମୃତି ସଂସଦ, ରେଣୁବାଳା ସ୍ମୃତି ସଂସଦ, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଲୌହ ମାନବୀ ସ୍ୱର୍ଗତ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ଅବସରରେ ସାମାଜିକ ଦୂରତ୍ୱ ଓ ଅନ୍ୟାନ୍ୟ କୋଭିଡ଼ ନିୟମ ମାନି ‘ଅଦ୍ୱୈତ ଭବନ’ ଠାରେ ତାଙ୍କର ଫୋଟୋ ଚିତ୍ରରେ ମାଲ୍ୟାର୍ପଣ, ପୁଷ୍ପ, ଧୂପ, ଦୀପ ଅର୍ପଣ କରାଯାଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ପଣ୍ଡିତ ମନୋରଞ୍ଜନ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ନନ୍ଦିନୀ ଦେବୀ ସାଲିସ ବିହୀନ ନେତ୍ରୀ ଥିଲେ ବୋଲି କହିଥିଲେ । ସମାଜସେବୀ ଓ ସୁସାହିତ୍ୟିକା ନିରୂପମା ଦାସ କାର୍ଯ୍ୟକ୍ରମ ସଂଯୋଜନା କରିବା ସଙ୍ଗେ ସଙ୍ଗେ ସ୍ଵୀୟ ବକ୍ତବ୍ୟରେ ନନ୍ଦିନୀ ଦେବୀ ଜଣେ ସୁସାହିତ୍ୟିକା ଓ ଲୌହ ମାନବୀ ଥିଲେ ବୋଲି ଦୃଢ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ, ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ବରିଷ୍ଠ ବିଜ୍ଞାନ ଶିକ୍ଷକ ଡ଼ା. ଦେବୀ ପ୍ରସାଦ ମିଶ୍ର ଓ ସଂସ୍କୃତ ଶିକ୍ଷିକା ଡ଼ଃ ଅନୁପମା ମିଶ୍ର ତାଙ୍କର ବହୁମୁଖୀ ପ୍ରତିଭା ଓ ବହୁବିଧ ଗୁଣାବଳୀ ସମ୍ପର୍କରେ ଆଲୋଚନା କରିଥିଲେ । ଡ଼ଃ ଅନୁପମା ମିଶ୍ର ମଙ୍ଗଳାଚରଣ ଗାନ କରିଥିଲେ । ସୁମିତା ରାୟ ପଟ୍ଟନାୟକ, ଅଞ୍ଜୁ ଅସ୍ମିନ, ମୈତ୍ରେୟୀ ଶୁଭଦା ପ୍ରମୁଖ ଉପସ୍ଥିତ ରହି ସାମାଜିକ ଦୂରତ୍ୱ ଓ ଅନ୍ୟାନ୍ୟ କୋଭିଡ଼ ନିୟମ ଅବଲମ୍ବନ କରି କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଫେସବୁକରୁ ସଂଗୃହିତ ସିଂଦ୍ଧୁ ଜ୍ୟୋତି ତ୍ରିପାଠୀଙ୍କ “ମନେ ପଡ଼ନ୍ତି : ନନ୍ଦିନୀ ଶତପଥୀ” ଲେଖାଟିକୁ ଡ଼ା. ଦେବୀ ପ୍ରସାଦ ମିଶ୍ର କ୍ଷୁଦ୍ର ସନ୍ଦର୍ଭ ଭାବରେ ଉପସ୍ଥାପନ କରିବା ସଙ୍ଗେ ସଙ୍ଗେ ନନ୍ଦିନୀ ଦେବୀଙ୍କ ସ୍ମୃତିରେ ସ୍ୱଲିଖିତ ଗୋଟିଏ ସନେଟ ପାଠ କରିଥିଲେ । ପରିଶେଷରେ ସମାଜସେବୀ ତଥା ସୁସାହିତ୍ୟିକା ନିରୂପମା ଦାସ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ହୋଇଥିଲା ।

ରିପୋର୍ଟ : ଶୁଭମ ପାଣି