ସୁବର୍ଣ୍ଣରେଖା ବନ୍ୟା ପରେ ବଢୁଛି ଝାଡାବାନ୍ତି ଓ ଜ୍ୱର : କୋଭିଡ୍ ପରୀକ୍ଷା ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖାର ବନ୍ୟାପରେ ବୁଡି ଯାଇଥିବା ଅଂଚଳରେ ଏବେ ବ୍ୟାପକ ଜ୍ୱର ଓ ଝାଡାବାନ୍ତି ବଢୁଥିବାର ଲକ୍ଷ୍ୟ କରାଯାଇଛି । ଅନ୍ୟପକ୍ଷରେ ଜ୍ୱରର ପ୍ରକୋପ ଦେଖା ଦେଇଥିବା ବେଳେ କୋଭିଡ୍ ପରୀକ୍ଷା ପାଇଁ ବହୁ ବ୍ୟକ୍ତି ଦାବି ଜଣାଇଛନ୍ତି । ସୁବର୍ଣ୍ଣରେଖା ବନ୍ୟାରେ ଜଳେଶ୍ୱର ବ୍ଳକର ୨୮ଟି ପଂଚାୟତର ୧୩୪ ଗାଁ ଜଳାର୍ଣ୍ଣବ ହୋଇଥିଲା । ବନ୍ୟାପରେ ଉଣାଅଧିକେ ସବୁ ଗାଁରେ ଜ୍ୱର ଓ ଝାଡାବାନ୍ତି ଦେଖା ଦେଇଛି । ଥଣ୍ଡା ଓ ଜ୍ୱର ଲାଗି ରହିଥିବା ବେଳେ ଝାଡାବାନ୍ତିର ପ୍ରକୋପ ମଧ୍ୟ ବଢି ବଢି ଚାଲିଛି । ଆଜି ଗୋଟିଏ ଦିନରେ ଜଳେଶ୍ୱର ଜିକେ ଭଟ୍ଟର ହସ୍‌ପିଟାଲରେ ୮ଜଣ ଝାଡାବାନ୍ତି ରୋଗୀ ଭତ୍ତି ହୋଇଛନ୍ତି । ସାନ ରାଉତପଡା ଗାଁର ମହେଶ ନନ୍ଦୀ, ଶ୍ରୀରାମପୁରର ପ୍ରିୟ ମଲ୍ଲିକ, ବେହେରାସାହିର ଜ୍ୟୋସ୍ନା ଭୂୟାଁ, ମହମ୍ମଦନଗରପାଟଣାର ନିତାଇଲାଲ ଦେ, ଗୋବର୍ଦ୍ଧନପୁରର ନମିତା କର, ଜମାଳପୁରର ସତ୍ୟରଂଜନ ଦତ୍ତ, ଚାଲନ୍ତିର ଜୟମା ଦେ, ଆଙ୍ଗୁଆର ଶୁଭଦ୍ରା ରାଉତ ପ୍ରମୁଖ ଜିକେ ଭଟ୍ଟର ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହା ବ୍ୟତିତ ନାମ୍ପୋ, ଛମୌଜ, ପଶ୍ଚିମବାର୍ଡ, ଲକ୍ଷ୍ମଣନାଥ, ଶିଖରପୁର, ହାତୀଗଡ, ଖୁଆଡ, ଶାଳବଣୀ, ଜମାଳପୁର ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଜ୍ୱର ଓ ଝାଢାବାନ୍ତି ରୋଗୀ ଚିକିତ୍ସିତ ହେଉଥିବାର ଜଣାଯାଇଛି । ବନ୍ୟାପରେ ଦୁଷିତ ପାଣିର ବ୍ୟବହାର, ସନ୍ତସନ୍ତିଆ ସ୍ଥାନରେ ବସବାସ ଓ ପ୍ରବଳ ଖରା ହେଉଥିବାରୁ ଏବେ ଏପରି ରୋଗ ବଢି ଚାଲିଥିବା କୁହାଯାଇଛି । ବ୍ୟାପକ ଜ୍ୱର ଲାଗି ରହିଥିବାରୁ କୋଭଡ୍ ପରୀକ୍ଷା ଲାଗି ଦାବି କରାଯାଇଛି । ପୂର୍ବରୁ ଜିକେ ଭଟ୍ଟର ହସ୍‌ପିଟାଲରେ କୋଭଡ୍ ପରୀକ୍ଷା ଚାଲୁଥିବାରୁ ଏବେ ହେଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ହାତୀଗଡସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ପ୍ରଭାସ ଚନ୍ଦ୍ର ନାୟକଙ୍କୁ ପଚାରିବାରୁ ସେ କହିଲେ ବନ୍ୟା ସମୟରେ ପିଇବାପାଣିର ବିଶେଷ ଅସୁବିଧା ହୋଇ ନାହିଁ । କିନ୍ତୁ ବର୍ଷା ପରେ ପ୍ରବଳ ଖରା ହେଲେ ‘ଭାଇରାଲ ଫିଭର’ ହୋଇଥାଏ । ନିର୍ଦ୍ଦିଷ୍ଟ ସ୍ଥାନରୁ ଅଧିକ ରୋଗୀ ଆସୁନଥିବାରୁ ଏହାକୁ ଡାଇରିଆ କୁହାଯାଇ ପାରିବ ନାହିଁ ବୋଲି କହିଥିଲେ ।

ରିପୋର୍ଟ : ଭୂପତି ପରିଡା